ଆମେରିକା ଆକ୍ରମଣ ବେଳେ ରକ୍ତ ବାନ୍ତି କରିଥିଲେ ଭେନେଜୁଏଲା ସୈନିକ, ନାକରୁ ବାହରିଥିଲା ବ୍ଲଡ୍; ଟ୍ରମ୍ପଙ୍କ ରହସ୍ୟମୟ ଅସ୍ତ୍ର କ’ଣ ?

NEWS7
four-arrested-in-loot-case-in-ganjam-district

ନୂଆଦିଲ୍ଲୀ: ଭେନେଜୁଏଲାରେ ଆମେରିକୀୟ ସେନାର ଆକ୍ରମଣ ସମ୍ପର୍କରେ ମିଳିଥିବା ସୂଚନା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ନିକୋଲାସ ମାଦୁରୋଙ୍କୁ ଧରିବାକୁ ଆସିଥିବା ଆମେରିକୀୟ ସେନା ଏକ ଶକ୍ତିଶାଳୀ ରହସ୍ୟମୟ ଅସ୍ତ୍ର ବ୍ୟବହାର କରିଥିଲା । ଏହାର ପ୍ରଭାବରେ ଭେନେଜୁଏଲାର ସୈନିକମାନେ ଆଣ୍ଠୁମାଡ଼ି ବସିପଡ଼ିଥିଲେ । ସେମାନେ ରକ୍ତ ବାନ୍ତି କରିଥିଲେ ଏବଂ ସେମାନଙ୍କ ନାକରୁ ରକ୍ତ ବାହାରିଥିଲା । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ପ୍ରତିକ୍ରିୟାକୁ ହ୍ବାଇଟ ହାଉସ୍ର ପ୍ରେସ ସଚିବ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ଚର୍ଚ୍ଚା ବଢ଼ିଛି ।

ସାକ୍ଷାତକାରରେ ଗାର୍ଡ (ପ୍ରତ୍ୟେକ୍ଷଦର୍ଶୀ) ବର୍ଣ୍ଣନା କରିଛନ୍ତି ଯେ, କିପରି ଆମେରିକୀୟ ସେନା ଜଣେ ବି ସୈନିକଙ୍କୁ ନହରାଇ ଶହ ଶହ ଯୋଦ୍ଧାଙ୍କୁ ହତ୍ୟା କରିଥିଲା । ଏପରି କୌଶଳ ସେ ପୂର୍ବରୁ କେବେ ଦେଖି ନଥିଲେ କିମ୍ବା ଶୁଣି ନଥିଲେ। ସେ କହିଛନ୍ତି, ‘ଆମେ ସତର୍କ ଥିଲୁ ଏବଂ ହଠାତ୍ ଆମର ସମସ୍ତ ରାଡାର ସିଷ୍ଟମ ବନ୍ଦ ହୋଇଗଲା। ତା'ପରେ ବହୁତ ଡ୍ରୋନ ଦେଖାଗଲା । ଆମେ କ'ଣ କରିବୁ ଜାଣିପାରିଲୁ ନାହିଁ । କିଛି ମୁହୂର୍ତ୍ତ ପରେ, ହେଲିକପ୍ଟର ଦେଖାଗଲା। ପ୍ରାୟ ଆଠଟି ହେଲିକପ୍ଟର ଥିଲା । ସେଥିରୁ ପ୍ରାୟ ୨୦ ଜଣ ସୈନିକ ତଳକୁ ଓହ୍ଲାଇଲେ । ପୂର୍ବରୁ ଆମେ ଲଢ଼ିଥିବା ଯେକୌଣସି ଶତ୍ରୁଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଏହା କୌଣସି ଯୁଦ୍ଧ ନଥିଲା, ଏହା ଏକ ଗଣହତ୍ୟା ଥିଲା।’

ସେ ଆହୁରି କହିଛନ୍ତି, ‘ସେମାନେ ବନ୍ଧୁକ ବ୍ୟତୀତ ଅନ୍ୟ ରହସ୍ୟମୟ ଅସ୍ତ୍ର ଆଣିଥିଲେ । ଟେକ୍ନୋଲୋଜିକାଲି ସେମାନେ ଉନ୍ନତ ଥିଲେ । ଆମେ ଶତାଧିକ ସଂଖ୍ୟାରେ ଥିଲୁ । କିନ୍ତୁ ଆମେ ସୁଯୋଗ ପାଇଲୁ ନାହିଁ। ସେମାନେ ଏତେ ସଠିକତାରେ ଗୁଳି ଚଳାଇଥିଲେ ଯେ, ମନେ ହେଉଥିଲା ଯେପରି ପ୍ରତ୍ୟେକ ସୈନିକ ପ୍ରତି ମିନିଟରେ ୩୦୦ ଗୁଳି ଫୁଟାଉଛନ୍ତି। ତା'ପରେ ସେହି ଅସ୍ତ୍ର ଆସିଲା ଯାହା ବିଷୟରେ ଭାବିବା ଦ୍ୱାରା ଜଣେ ଥରି ଉଠିବ।’

ସେ କହିଛନ୍ତି, ‘ଗୋଟିଏ ସମୟରେ, ସେମାନେ ଏପରି କିଛି ଛାଡିଲେ ଯାହା ମୁଁ ବର୍ଣ୍ଣନା କରିପାରୁନାହିଁ। ଏହା ଏକ ଅତ୍ୟନ୍ତ ତୀବ୍ର ଶବ୍ଦ ତରଙ୍ଗ ଥିଲା। ହଠାତ୍, ମୁଁ ଅନୁଭବ କଲି ଯେପରି ମୋର ମୁଣ୍ଡ ଭିତରୁ ଫାଟିଯାଉଛି। ଏହାର ପ୍ରଭାବ ଭୟଙ୍କର ଥିଲା। ସମସ୍ତଙ୍କ ନାକରୁ ରକ୍ତ ବାହାରିବା ଆରମ୍ଭ ହୋଇଗଲା। କେତେକ ରକ୍ତ ବାନ୍ତି କରୁଥିଲେ। ଆମେ ତଳେ ପଡ଼ିଗଲୁ, ଗତି କରିପାରିଲୁ ନାହିଁ। ଏହାକୁ ବ୍ୟବହାର କରିବା ପରେ ଆମେ ଛିଡ଼ା ହୋଇପାରିଲୁ ନାହିଁ।’

ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ଶନିବାର ଦିନ X ରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପୋଷ୍ଟ କରିଛନ୍ତି। କାରୋଲିନ୍ ଲେଭିଟ୍ ପୋଷ୍ଟ ସେୟାର କରିବା ସୂଚାଇ ଦେଉଛି କି ପ୍ରଶାସନ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଯାଞ୍ଚ କରୁଛି । କିନ୍ତୁ ଏନେଇ ହ୍ବାଇଟ ହାଉସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଏ ନାହିଁ ।

ଜଣେ ପୂର୍ବତନ ଆମେରିକୀୟ ଗୁପ୍ତଚର ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି ଯେ, ଆମେରିକୀୟ ସେନା ବହୁ ବର୍ଷ ଧରି ଶକ୍ତି ଅସ୍ତ୍ର ବ୍ୟବହାର କରିଆସୁଛି । ଏହା ମାଇକ୍ରୋୱେଭ୍ କିମ୍ବା ଲେଜର ବିମ୍ ଭଳି ଶକ୍ତି ବ୍ୟବହାର କରି ଲକ୍ଷ୍ୟକୁ ନିଷ୍କ୍ରିୟ କରିଥାଏ । ହୁଏତ ଏହା ପ୍ରଥମ ଥର ହୋଇପାରେ, ଆମେରିକା ଯୁଦ୍ଧରେ ସେଗୁଡ଼ିକୁ ବ୍ୟବହାର କରିଛି।