ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ବାମହାତୀ ସ୍ପିନର ଦିଲ୍ଲୀପ ଦୋଶୀଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ବର୍ଷ ହେଲା ଲଣ୍ଡନରେ ରହୁଥିଲେ, ସେଠାରେ ସେ ସୋମବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦ୍ଘାତରେ ଦୋଶୀଙ୍କର ପରଲୋକ ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣା ପଡ଼ିଛି ।
ସେ ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ମାତ୍ର ଚାରି ବର୍ଷର କ୍ୟାରିଅରରେ ଦିଲୀପ ଦୋଶୀ ୧୦୦ ରୁ ଅଧିକ ୱିକେଟ୍ ନେଇଥିଲେ। ସେ ହଠାତ୍ କ୍ରିକେଟରୁ ଅବସର ନେଇଥିଲେ। ଦିଲୀପ ଦୋଶୀ ତାଙ୍କ କ୍ରିକେଟ କ୍ୟାରିଅର ଉପରେ ଏକ ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି, ଯାହାର ନାମ 'ସ୍ପିନ୍ ପଞ୍ଚ।'
୧୯୭୯ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିଲ୍ଲୀପ ଟେଷ୍ଟ ପଦାର୍ପଣ କରିଥିଲେ । କ୍ୟାରିୟରରେ ସେ ୩୩ଟି ମ୍ୟାଚ୍ ଖେଳି ୧୧୪ଟି ୱିକେଟ୍ ନେଇଥିଲେ । ସେମିତି ୧୫ଟି ଦିନିକିଆ ଖେଳି ୨୨ଟି ୱିକେଟ୍ ପାଇଥିଲେ । ଶେଷ ଟେଷ୍ଟ ସେ ୧୯୮୩ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ବେଙ୍ଗଲ ଓ ସୌରାଷ୍ଟ୍ର ପକ୍ଷରୁ ଦିଲ୍ଲୀପ ଘରୋଇ କ୍ରିକେଟ୍ ଖେଳିଥିଲେ । ଏହା ବ୍ୟତୀତ ଦିଲୀପ ଦୋଶୀ ଫାର୍ଷ୍ଟ କ୍ଳାସ୍ କ୍ରିକେଟ ମଧ୍ୟ ଖେଳିଛନ୍ତି। ସେ ସୌରାଷ୍ଟ୍ର, ବେଙ୍ଗଲ, ବର୍କଶାୟାର ଏବଂ ନଟିଂହାମଶାୟାର ପାଇଁ ଫାର୍ଷ୍ଟ କ୍ଳାସ କ୍ରିକେଟ ମଧ୍ୟ ଖେଳିଛନ୍ତି। ଦୀର୍ଘବର୍ଷ ଧରି ସେ କାଉଣ୍ଟି କ୍ରିକେଟ୍ ଖେଳିବା ସହ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୨୩୮ଟି ମ୍ୟାଚ୍ ଖେଳି ୮୯୮ଟି ୱିକେଟ୍ ପାଇଥିଲେ ।
ଦିଲୀପ ଦୋଶୀଙ୍କ ପରିବାରରେ ତାଙ୍କ ପତ୍ନୀ କାଳିନ୍ଦୀ, ପୁଅ ନୟନ ଏବଂ ଝିଅ ବିଶାଖା ଅଛନ୍ତି। ଦିଲୀପ ଦୋଶୀଙ୍କ ପୁଅ ନୟନ ମଧ୍ୟ ସୌରାଷ୍ଟ୍ର ଏବଂ ସୁରେ ପାଇଁ ଫାର୍ଷ୍ଟ କ୍ଳାସ କ୍ରିକେଟ୍ ଖେଳିଛନ୍ତି। ଦିଲୀପ ଦୋଶୀ ତାଙ୍କ ପରିବାର ସହିତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଲଣ୍ଡନରେ ରହୁଥିଲେ।