LIVE TV

ବାଂଲାଦେଶ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାୟ, ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ

NEWS7
forest-department-seized-unauthorised-expensive-wood-logs-in-titlagarh

ନୂଆଦିଲ୍ଲୀ ୧୭/୧୧: ବାଂଲାଦେଶ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ । ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । କୋର୍ଟ ଜୁଲାଇ ବିଦ୍ରୋହ ପାଇଁ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଦେଇଛନ୍ତି। ହସିନାଙ୍କ ବିରୋଧରେ ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗ ଥିଲା । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ହସିନାଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ।

ବାଂଲାଦେଶୀ ଗଣମାଧ୍ୟମ ପ୍ରଥମ ଆଲୋ ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହାସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ । ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା। ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା ।କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛନ୍ତି ।

ରାୟର ଗୋଟିଏ ଦିନ ପୂର୍ବରୁ, ହସିନାଙ୍କ ଦଳ, ଆୱାମୀ ଲିଗ୍, ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରିଛି । ଏହି ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗ୍ର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । 

ମିଳିଥିବା ସୂଚନା ମୁତାବକ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ସୈୟଦା ରିଜୱାନା ହାସନଙ୍କ ଘର ବାହାରେ ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ କରୱାନ୍ ବଜାର ଅଞ୍ଚଳରେ ଆଉ ଏକ ବିସ୍ଫୋରଣ ହୋଇଛି । ସୌଭାଗ୍ୟବଶତଃ, ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ଉତ୍ତେଜନା ରୋକିବା ପାଇଁ, ଢାକା ପୋଲିସ କମିସନର ଶେଖ ମହମ୍ମଦ ସଜ୍ଜାଦ ଅଲ୍ଲୀ ପୋଲିସ୍ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୋଲିସ ଉପରେ ଆକ୍ରମଣ କରୁଥିବା କିମ୍ବା ହିଂସାକୁ ଉସୁକାଉଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା କରାଯିବ ।