LIVE TV

ମୋ ଅବସର ପରେ ମାମଲାର ଶୁଣାଣି ଚାହୁଁଛନ୍ତି କି ? କେନ୍ଦ୍ର ଉପରେ ବର୍ଷିଲେ ପ୍ରଧାନ ବିଚାରପତି

NEWS7
food-minister-prahallad-joshi-reaction

ନୂଆଦିଲ୍ଲୀ, ୦୭|୧୧  :  କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ  । ଟ୍ରିବ୍ୟୁନାଲ ସଂସ୍କାର ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ୍ କରି ଦାଖଲ ଆବେଦନ ବେଳେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି କୋର୍ଟ । ଏହାସହ କଡା ସମାଲୋଚନା କରିଛନ୍ତି । ଅବସର ପରେ କେନ୍ଦ୍ର ସରକାର ମାମଲାର ଶୁଣାଣି ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଭୂଷଣ ଆର ଗଓ୍ୱାଇ ।

ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ଟ୍ରିବ୍ୟୁନାଲରେ ସଂସ୍କାର ଆଣିବାକୁ ଚାହୁଁଛନ୍ତି । ଏନେଇ ୨୦୨୧ ମସିହାରେ ଆଇନ ମଧ୍ୟ ଆଣିଛନ୍ତି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା । ମାମଲାର ଶୁଣାଣି ବେଳେ ଲଗାତାର ଭାବେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଅନୁପସ୍ଥିତ ରହିଥିଲେ । ଯାହାକୁ ନେଇ ବର୍ଷିଥିଲେ କୋର୍ଟ ।

ଗୁରୁବାର ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ ଯେ, ତାଙ୍କର ନଭେମ୍ବର ୨୩ ତାରିଖରେ କାର୍ଯ୍ୟକାଳ ସରୁଛି । ଏହା ପରେ କେନ୍ଦ୍ର ସରକାର ମାମଲାର ଶୁଣାଣି ଚାହୁଁଛନ୍ତି କି ବୋଲି ସେ ପଚାରିଥିଲେ । ଯାହାର ଜବାବରେ ଅତିରିକ୍ତ ସଲିସେଟର ଜେନେରାଲ କହିଥିଲେ ଯେ, ଆଟର୍ଣ୍ଣି ଜେନେରାଲ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ବ୍ୟସ୍ତ ଅଛନ୍ତି । ତେଣୁ ଶୁଣାଣିକୁ ସ୍ଥଗିତ କରିବାକୁ ସେ ନିବେଦନ କରିଥିଲେ ।

ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଯଦି ଆପଣ ଶୁଣାଣି ଚାହୁଁ ନାହାଁନ୍ତି ତାହାଲେ ସ୍ପଷ୍ଟ ଭାବେ କହିଦିଅନ୍ତୁ । ସରକାର ନଭେମ୍ବର ୨୪ ପରେ ମାମଲାର ଶୁଣାଣି ଚାହୁଁଛନ୍ତି । ଆଟର୍ଣ୍ଣି ଜେନେରାଲଙ୍କୁ ତିନିଥର ଡକାଯାଇଛି । କିନ୍ତୁ ସବୁଥର ସେ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା କୁହାଯାଉଛି । ଆହୁରି ଅନେକ ଦକ୍ଷ ସଲିସେଟର ଜେନେରାଲ ଅଛନ୍ତି । ଆଉ କେହି ମଧ୍ୟ ମାମଲା ପରିଚାଳନା କରିପାରିବେ ।

ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟରାତ୍ରରେ ଦାଖଲ ହୋଇଥିବା ମାମଲା ଉପରେ କୋର୍ଟ କହିଛନ୍ତି ଯେ, ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଦର୍ଶାଯାଇଛି । ଏଜି କିପରି ହାଜର ହୋଇପାରିବେ ସେନେଇ ପୂର୍ବରୁ କୋର୍ଟ ସମୟ ଦେଇଥିଲେ । ଶୀଘ୍ର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ କୋର୍ଟ ଚାହିୁଁଥିଲେ । ସରକାରଙ୍କ ପ୍ରତି ସମ୍ମାନ ଅଛି । କିନ୍ତୁ କୋର୍ଟଙ୍କ ସହ ରାଜନୈତିକ ଖେଳ ସରକାର ବନ୍ଦ କରନ୍ତୁ । ଯଦି ସୋମବାର ଏଜି ବ୍ୟକ୍ତିଗତ ଭାବେ ହାଜର ନହେବେ ତାହାଲେ ମାମଲାକୁ ବନ୍ଦ କରାଯିବ ବୋଲି କହି ପ୍ରଧାନ ବିଚାରପତି ବର୍ଷିଥିଲେ ।