ୱକ୍‌ଫ ଉପରେ ପାକିସ୍ତାନର ବୟାନକୁ ସମାଲୋଚନା କଲା ଭାରତ, କହିଲା, ଆଗ ନିଜର ଖରାପ ରେକର୍ଡ ଦେଖ

Published By : Prameya-News7 Bureau | April 15, 2025 IST

indiatoday

ନୂଆଦିଲ୍ଲୀ: ଭାରତର ୱାକ୍‌ଫ ସଂଶୋଧନ ଆଇନକୁ ନେଇ ପାକିସ୍ତାନ ଦେଇଥିବା ଉସକାଇବା ଭଳି ବୟାନକୁ ନେଇ କଡ଼ା ଜବାବ ଦେଇଛି ଭାରତ। ପାକିସ୍ତାନ ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ପୂର୍ବରୁ ଆଗ ନିଜ ଦେଶର ସଂଖ୍ୟାଲଘୁଙ୍କ କଥା ଚିନ୍ତା କରୁ ବୋଲି ଭାରତ କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମନ୍ତବ୍ୟ ଦେବାର ପାକିସ୍ତାନର କୌଣସି ଅଧିକାର ନାହିଁ। ଅନ୍ୟମାନଙ୍କୁ ଉପଦେଶ ଦେବା ପରିବର୍ତ୍ତେ ସଂଖ୍ୟାଲଘୁ ଅଧିକାର ଉପରେ ନିଜର ଦୁଃଖଦ ଟ୍ରାକ୍ ରେକର୍ଡ ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି।

ପଢନ୍ତୁ- ଭାରତ ସରକାରଙ୍କ କଥା ରଖିଲା ସାଉଦି ଆରବ: ୧୦ ହଜାର ଭାରତୀୟ ହଜ୍‌ ଯାତ୍ରୀଙ୍କୁ ମକ୍କା ଯିବାକୁ ମିଳିଲା ଅନୁମତି

ଏମଇଏ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି "ଭାରତୀୟ ସଂସଦ ଦ୍ୱାରା ପ୍ରଣୟନ କରାଯାଇଥିବା ୱାକଫ ସଂଶୋଧନ ଆଇନ ଉପରେ ପାକିସ୍ତାନ ଦ୍ୱାରା ଦିଆଯାଇଥିବା ଉଦ୍ଦେଶ୍ୟପ୍ରଣୋଦିତ ଏବଂ ଭିତ୍ତିହୀନ ମନ୍ତବ୍ୟକୁ ଆମେ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମନ୍ତବ୍ୟ ଦେବାର ପାକିସ୍ତାନର କୌଣସି ଅଧିକାର ନାହିଁ। ଅନ୍ୟମାନଙ୍କୁ ଉପଦେଶ ଦେବା ପରିବର୍ତ୍ତେ, ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ ପାକିସ୍ତାନ ନିଜର ଖରାପ ରେକର୍ଡକୁ ଦେଖିଲେ ଭଲ ହେବ।"

ଭାରତର ୱାକ୍‌ଫ ସଂଶୋଧନ ଆଇନକୁ ନିକଟରେ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ନିନ୍ଦା କରିଥିଲେ। ଏହି ଆଇନ ଭାରତୀୟ ମୁସଲମାନମାନଙ୍କ ଧାର୍ମିକ ଏବଂ ଆର୍ଥିକ ଅଧିକାରର ଉଲ୍ଲଂଘନ କରୁଛି ବୋଲି ସେ କହିଥିଲେ। ସେ କହିଥିଲେ "ଏହି ପକ୍ଷପାତମୂଳକ ଆଇନ ଗୃହୀତ ହେବା ଭାରତରେ ବଢ଼ୁଥିବା ବହୁସଂଖ୍ୟକବାଦକୁ ମଧ୍ୟ ପ୍ରତିଫଳିତ କରୁଛି। ଏହା ଭାରତୀୟ ମୁସଲମାନମାନଙ୍କୁ ଆହୁରି ଦୁର୍ବଳ କରିବାରେ ସହାୟକ ହେବ ବୋଲି ଗମ୍ଭୀର ଆଶଙ୍କା ରହିଛି।" 

ପଢନ୍ତୁ- India Justice Report 2025: ଭାରତରେ ୧୦ ଲକ୍ଷ ଲୋକଙ୍କ ପାଇଁ କେବଳ ୧୫ ଜଜ୍, ଲ’ କମିଶନ ସୁପାରିଶଠାରୁ ବହୁ ପଛରେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.