ମହାକୁମ୍ଭରେ ଏବେ ସମସ୍ତ ଶକ୍ତି ଲଗାଇଦେଇଛନ୍ତି FMCG, ୨ ଲକ୍ଷ କୋଟିର କାରବାର ଅନୁମାନ

Published By : Prameya-News7 Bureau | January 17, 2025 IST

ପ୍ରୟାଗରାଜ ୧୭।୧: ମହାକୁମ୍ଭ ୨୦୨୫ରେ ଏଫଏମସିଜି କମ୍ପାନୀମାନେ ଅଭିନବ ଗତିବିଦ୍ଧି ସହିତ ଗ୍ରାମୀଣ ବଜାରରେ ନିଜର ପ୍ରବେଶ ବଢାଇବାରେ ଲାଗିଛନ୍ତି। ଏଥିରୁ ୨ଲକ୍ଷ କୋଟି ଟଙ୍କାର କାରବାର ଅନୁମାନ କରାଯାଉଛି, ଯାହା ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ବିଶ୍ୱର ସର୍ବ ବୃହତ୍ତ ଆଧ୍ୟାତ୍ମିକ ଆୟୋଜନରୁ ଟାର୍ଗେଟ୍ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୪୦ରୁ ୪୫ କୋଟି ଶ୍ରଦ୍ଧାଳୁ ଯୋଗ ଦେବାର ଅନୁମାନ କରାଯାଉଛି। ୧୪ ଜାନୁୟାରୀରୁ ଆରମ୍ଭ ହୋଇଥିବା କୁମ୍ଭମେଳା ୪୫ ଦିନ ପର୍ଯ୍ୟନ୍ତ ଚାଲିବ। 

ଏଣୁ ଫାଷ୍ଟମୁଭିଂ କଞ୍ଜ୍ୟୁମର ଗୁଡସ୍ (ଏଫଏମସିଜି) କମ୍ପାନୀ ଏହି ବଡ ଆୟୋଜନର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଅଭିନବ ମାର୍କେଟିଂ ରଣନୀତି ଲାଗୁ କରିଛନ୍ତି, ଯାହା ଦ୍ୱାରା ଗ୍ରାମୀଣ ବଜାରରେ ନିଜକୁ ପ୍ରବେଶ କରାଇ ପାରିବେ। କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଟି) ଏହି ଆୟୋଜନରୁ ପାଖାପାଖି ୨ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି।  ଏଫଏମସିଜି କମ୍ପାନୀମାନେ ଏହି ଅବସରର ଲାଭ ଉଠାଇ ଏବେ ଗ୍ରାମୀଣ କ୍ଷେତ୍ରରେ ନିଜର ଉପସ୍ଥିତି ମଜଭୁତ କରୁଛନ୍ତି। 

ଡାବର ସିଇଓ ମୋହିତ ମଲହୋତ୍ରା କହିଛନ୍ତି ଯେ ଏପରି ପାରମ୍ପରିକ ମେଳାମାନଙ୍କରେ ଉପଭୋକ୍ତାଙ୍କ ସହିତ ସିଧାଶଳଖ ସମ୍ପର୍କ ସ୍ଥାପନା କରିବା ଆମ ଲାଗି ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଉପଭୋକ୍ତାଙ୍କୁ ଆମ ଉତ୍ପାଦକୁ ଛୁଇଁବା ଓ ଅନୁଭବ କରିବାର ସୁଯୋଗ ମିଳିଥାଏ। କୁମ୍ଭମେଳାରେ ଡାବର ବିଶେଷ କରି ଓରାଲ ହାଇଜିନ ଜୋନ ସ୍ଥାପନା କରିଛି, ଯେଉଁଥିରେ ଅଟୋମେଟେଡ ଟୁଥପେଷ୍ଟ ଡିସ୍ପେନସର ଲଗାଇଛନ୍ତି। ଏହା ସହିତ ଡାବର ଆମଲା ଓ ଡାବର ଭାଟିକା ହେୟାରକେୟାର ବ୍ରାଣ୍ଡସରେ ମହିଳାଙ୍କ ନିମନ୍ତେ ଚେଞ୍ଜିଂ ରୁମ ମଧ୍ୟ ସ୍ଥାପନା କରାଯାଇଛି। 

ଡାବର ତାଙ୍କର ପ୍ରମୁଖ ଡାଇଜେଷ୍ଟିଭ  ବ୍ରାଣ୍ଡସ ଯେପରି ହାଜମୋଲା ଓ ଲବଣ ଭାଷ୍କର ଚୁର୍ଣ୍ଣ ସାମ୍ପଲସ ବିଭିନ୍ନ ଢାବା ଓ ଖାଇବା ପିଇବା ଷ୍ଟଲରେ ବିତରଣ କରୁଛନ୍ତି। ସେହିପରି ପର୍ସନାଲ କେୟାର ଓ ହେଲଥ୍ କେୟାର ଉତ୍ପାଦ ନିର୍ମାତା ଇମାମି ତାଙ୍କର ମୁଖ୍ୟ ଆଣ୍ଟିସେପ୍ଟିକ କ୍ରିମ ବୋରପ୍ଲସ୍ ଲାଗି ସମର୍ପିତ ଷ୍ଟଲ ଲଗାଇଛି। ଏଠାରେ ଉତ୍ପାଦର ସାମ୍ପୁଲ ବିତରଣ କରାଯାଉଛି। ଏହା ଛଡା କମ୍ପାନୀ ନିଜ ବ୍ରାଣ୍ଡର ପ୍ରଚାର ବଢାଇବା ପାଇଁ ଲାଇଭ ସାଇଜର କଟଆଉଟ୍ ଓ ହୋର୍ଡିଂସ୍ ମଧ୍ୟ ଲଗାଇଛି।  

ଆଇଟିସି ଫୁଡସ୍ ତାଙ୍କ ସ୍ନାକ୍ ବ୍ରାଣ୍ଡ ‘ବିଙ୍ଗୋ’ର ପ୍ରଚାର ପାଇଁ ରିଲ ମେକିଂ ବୁଥ ଲଗାଇଛନ୍ତି। ଏହା ଛଡା ତାଙ୍କର ସୁଗନ୍ଧିତ ଅଗରବତୀ ବ୍ରାଣ୍ଡ ମଙ୍ଗଲଦୀପ ମହାକୁମ୍ଭରେ ନିଜର ଉପସ୍ଥିତି ବଢାଇବା ପାଇଁ ବିଭିନ୍ନ ଅନଗ୍ରାଉଣ୍ଡ ଓ ଅଫଗ୍ରାଉଣ୍ଡ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛି। ରେକିଟର ଆଣ୍ଟିସେପ୍ଟିକ୍ ବ୍ରାଣ୍ଡ ଡେଟଲ ଏବେ ମହାକୁମ୍ଭରେ ସାବୁନ ବିତରଣ କରୁଛି। ଏଥିରେ ଡେଟଲ ବନେଗା ସ୍ୱସ୍ଥ ଇଣ୍ଡିଆ ସ୍ଲୋଗାନ ଅନୁସାରେ ୧୫ ହଜାର ସଫେଇ କର୍ମୀଙ୍କୁ ପ୍ରଶିକ୍ଷିତ ମଧ୍ୟ କରିବ। 

ଏହି ସବୁ କମ୍ପାନୀଙ୍କ ଯୋଜନାରୁ ଏହା ସ୍ପଷ୍ଟ ଯେ ଏଫଏମସିଜି କ୍ଷେତ୍ର ମହାକୁମ୍ଭମେଳା ୨୦୨୫କୁ ଏକ ବଢିଆ ଅବସର ମନେ କରୁଛି। ଯାହା ଦ୍ୱାରା ଗ୍ରାମୀଣ ବଜାରରେ ନିଜର ଉପସ୍ଥିତି ବନାଇ ପାରିବ ଓ ଉପଭୋକ୍ତାଙ୍କ ସହିତ ମଜଭୁତ ସମ୍ବଦ୍ଧ ସ୍ଥାପନ କରିପାରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.