ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ କତାର, କ୍ୱେତ ଓ UAE ବନ୍ଦ କଲେ ଏୟାରସ୍ପେସ୍, ବିମାନ ସେବା ପ୍ରଭାବିତ

NEWS7
fm-nirmala-sitharaman-to-present-union-budget-today

ନୂଆଦିଲ୍ଲୀ ୨୮।୨: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ଇରାନ ପଡୋଶୀ ଦେଶମାନେ ନିଜନିଜ ଏୟାରସ୍ପେସ୍ ବନ୍ଦ କରିଦେଇଛନ୍ତି। କତାର, କ୍ୱେତ ଓ ୟୁଏଇ ଅଧିକାରୀକ ଭାବେ ଏହା ପୁଷ୍ଟି କରିଛନ୍ତି। ତେହେରାନରେ ବିସ୍ଫୋରଣ ଓ ଇସ୍ରାଏଲର ଇରାନ ବିରୋଧରେ ଯୁଦ୍ଧ ଘୋଷଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁଏଇର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଜିସିଏଏ) ଅନୁସାରେ ସତର୍କତା ସ୍ୱରୂପ ୟୁଏଇ ଏୟାରସ୍ପେସ୍ କୁ ଅସ୍ଥାୟୀ ଓ ଆଂଶିକ ବନ୍ଦ କରିବାକୁ ଘୋଷଣା କରାଯାଇଛି।

ଏଣୁ ଯାତ୍ରୀମାନଙ୍କୁ ଅପଡେଟ୍ ପାଇଁ ନିଜନିଜ ଏୟାରଲାଇନ୍ସ ସହିତ ସମ୍ପର୍କ କରିବାକୁ କୁହାଯାଇଛି। ସେହିପରି ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯେଉଁଠି ଆବଶ୍ୟକ ସେଠାରେ ରହଣୀ କରିବା ସହ ଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଅନ୍ତୁ। ଆଞ୍ଚଳିକ ସୁରକ୍ଷା କାରଣରୁ କ୍ୱେତର ବେସାମରିକ ବିମାନ ଚଳାଚଳପ୍ରାଧିକରଣ ନିଜ ଏୟାରସ୍ପେସ୍ ବନ୍ଦ ଘୋଷଣା କରିଛି। ଏହା କେଉଁ ପର୍ଯ୍ୟନ୍ତ ବନ୍ଦ ରହିବ ସେ ନେଇ ତତ୍କାଳ କୌଣସି ସମୟ ସୀମା ଘୋଷଣା ହୋଇ ନାହିଁ। ତେହେରାନରେ ଲଗାତର ବିସ୍ଫୋରଣ ପରେ ଇରାନ ବେସାମରିକ ବିମାନ ସେବା ସଙ୍ଗଠନ ୬ ଘଣ୍ଟା ଲାଗି ଇରାନ ଏୟାର ସ୍ପେସ୍ କୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି।

ଇରାନ ଗଣମାଧ୍ୟମରେ ଲଗାତାର ବିମାନ ଆକ୍ରମଣର ସୂଚନା ପ୍ରସାରଣ ହେଉଛି। ଅନ୍ୟପଟେ ଇସ୍ରାଏଲ ଇରାନ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିବା ପୁଷ୍ଟି କରିଛି। ଅନ୍ୟପଟେ ଇରାନ ଉପରେ ଜାରି ଆକ୍ରମଣ ମଧ୍ୟରେ ପଡୋଶୀ ଇରାକ୍ ନିଜ ଏୟାରସ୍ପେସ୍ କୁ ବନ୍ଦ ଘୋଷଣା କରିଛି। ଏୟାର ସ୍ପେସ୍ ବନ୍ଦ କରିବା ପୂର୍ବରୁ ଇରାକ୍ ଆକାଶରେ ସବୁ ପ୍ରକାର ବିମାନ ଯାତାୟାତକୁ ରୋକା ଯାଇଥିଲା। ସେହିପରି ଏରବିଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁ ପ୍ରକାର ବିମାନ ଉଡାଣକୁ ନିଲମ୍ବିତ କରାଯାଇଛି। ବାହାରିନରେ ଜାତୀୟ ସଞ୍ଚାର କେନ୍ଦ୍ର କହିଛି ଯେ ସୀମା ବାହାରୁ ରାଜ୍ୟ ଭିତରକୁ ଟାର୍ଗେଟ୍ କରାଯାଇଛି। ଏହାକୁ ବାହାରିନ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଥିବା ବେଳେ ପଞ୍ଚମ ସ୍କ୍ୱାଡ୍ରନ ଉପରେ ଏକ ମିଜାଇଲ ଆକ୍ରମଣ ହୋଇଥିବା ପୁଷ୍ଟି କରିଛି।

Also Read..

ଚୀନ୍‌ରେ ମୋୟା ମାନିଆ; ହଲି ହଲି ଚାଲୁଛି, ହସୁଛି, ଆଖି ବି ମାରୁଛି...