ସାଧାରଣ ବଜେଟ୍; ମଧ୍ୟବିତ୍ତ, ମହିଳା, ଗରିବଙ୍କୁ ମିଳିପାରେ ପ୍ରାଧାନ୍ୟ, ବଡ଼ ଘୋଷଣା ଉପରେ ନଜର

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନାକୁ ଆଉ କେଇ ଘଣ୍ଟା ବାକି । ଦିନ ୧୧ଟାରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଦସ୍ତାବିଚ୍ ଆଗତ କରିବେ । ଲଗାତର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ସୀତାରମଣ । ମୋଦି-୩.O   ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ହେବ । ଏଥର ବଜେଟରେ ମଧ୍ୟବିତ୍ତ, ମହିଳା   ଏବଂ ଗରିବଙ୍କୁ ମିଳିପାରେ ସର୍ବାଧିକ ପ୍ରାଧାନ୍ୟ । ନିଜେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସଂକେତ ଦେଇଛନ୍ତି ।  ଶୁକ୍ରବାର ନିଜ ପ୍ରାକ୍‌-ବଜେଟ୍‌ ଅଭିଭାଷଣରେ  ପ୍ରଧାନମନ୍ତ୍ରୀ ଏହି ୩ ବର୍ଗଙ୍କ ମଙ୍ଗଳ କାମନା କରିଛନ୍ତି ।  ଦେବୀ ଲକ୍ଷ୍ମୀ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ  ଆଶୀର୍ବାଦ ଢାଳି ଦିଅନ୍ତୁ ବୋଲି ସେ କହିଛନ୍ତି । 

ଅନ୍ୟପକ୍ଷରେ, ଦରଦାମ ବୃଦ୍ଧି ଏବଂ ଟିକସ ଚିନ୍ତାରେ ସନ୍ତୁଳି ହେଉଛି ମଧ୍ୟବିତ୍ତ । ଅର୍ଥମନ୍ତ୍ରୀ ନିର୍ମଳା  ସୀତାରମଣ ବଜେଟରେ ସେମାନଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି । ମଧ୍ୟମ ଆୟବର୍ଗଙ୍କୁ ଟିକସ   ରିହାତି ମିଳିପାରେ । ମୋଦି ୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ ଟିକସ କମାଇ ସେମାନଙ୍କୁ ଖୁସ୍‌ କରିପାରନ୍ତି ବୋଲି ଆଶା କରାଯାଉଛି । ସେହିପରି ମନ୍ଥର ଅଭିବୃଦ୍ଧିରେ ଜୀବନ ଫୁଙ୍କିବା ତଥା ଅର୍ଥନୀତିରେ ଚାହିଦା ଫେରାଇବା ପାଇଁ ଅର୍ଥମନ୍ତ୍ରୀ କିଛି ପ୍ରସ୍ତାବ ଆଣିପାରନ୍ତି । ନୂଆ ଟିକସ ଢାଞ୍ଚା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ  ଆୟ ଟିକସମୁକ୍ତ ହୋଇପାରେ । ୧୫ରୁ ୨୦ ଲକ୍ଷ  ଟଙ୍କା ମଧ୍ୟରେ ଆୟ ପାଇଁ ୨୫%ର ନୂଆ ଟିକସ ସ୍ଲାବ୍‌  ଅଣାଯାଇପାରେ । ଏବେ ଏଥିରେ ୬ଟି ଟିକସ ଥାକ ରହିଛି । ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟରେ ୩୦%  ଟିକସ ଲାଗୁଛି । ନୂଆ ଟିକସ ଢାଞ୍ଚା ଅଧୀନରେ ମୂଳ ଟିକସ ଛାଡ଼ ସୀମାକୁ ୩ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ  ଟଙ୍କା କରାଯାଇପାରେ ବୋଲି ଅନୁମାନ ରହିଛି ।

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.