ଭୁବନେଶ୍ଵର: ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି କଲେଜରେ ପରିସରକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛି। ଏହା ମଧ୍ୟରେ ଆସନ୍ତାକାଲି ବାଲେଶ୍ବର ଯିବ ଉଚ୍ଚଶିକ୍ଷା ବିଭାଗର ଟିମ୍। ଘଟଣାକୁ ନେଇ ଗଠିତ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗସ୍ତ କରିବ। ତେଣୁ ଆଭ୍ୟନ୍ତରୀଣ କମିଟି ସଦସ୍ୟକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୩ରେ ଅନ୍ତରୀଣ ରିପୋର୍ଟ ପ୍ରସ୍ତୁତ କରିଥିଲା ଆଭ୍ୟନ୍ତରୀନ ଟିମ୍।
ରାଜ୍ୟ ସରକାର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍। ବାଲେଶ୍ବର ଏବଂ କଟକ ଉଭୟ ସ୍ଥାନରେ ଦୁଇଟି ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଏଫ ଏମ କଲେ କ୍ୟାମ୍ପସରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ CAW & CW ଆଇଜି ଏସ ସାଇନ ଏବଂ ତଦନ୍ତକାରୀ ଅଧିକାରୀ ଡିଏସପି ଇମନ କଲ୍ୟାଣ କଲେଜ ପରିସରକୁ ଯାଇଛନ୍ତି। ସେଠାରେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ଜଣଙ୍କ ଦେହରେ ନିଆଁ ଲାଗିଲା ତାହାର ଅନୁଧ୍ୟାନ କରିଛନ୍ତି। କିଛି କର୍ମଚାରୀ ଓ ଛାତ୍ରୀଙ୍କୁ ପଚରା ଉଚରା କରିଛି।
ସେହିପରି କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ କଟକରେ ଚିକିତ୍ସାଧୀନ ଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ପଚରା ଉଚରା କରିଛି। ଜ୍ୟୋତି ପ୍ରକାଶ ପୀଡ଼ିତା ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଆହତ ହୋଇଥିଲେ। ଏବଂ ସେ ଏବେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି। କଟକ ଏସସିବି ମେଡିକାଲରେ ତିନି ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଜ୍ୟୋତି ପ୍ରକାଶ ତାଙ୍କ ମା ଏବଂ ଡାକ୍ତରଙ୍କୁ ପଚରା ଉଚରା କରିଛି।
ସୂଚନାଯୋଗ୍ୟ, ଗତ ଶନିବାର ବାଲେଶ୍ବର ଏଫଏମ୍ କଲେଜ ପରିସରରେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍ନାରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଏମିତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ହେଲେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମଙ୍ଗଳବାର ବାଲେଶ୍ବର ଭୋଗରାଇ ବ୍ଲକରେ ଥିବା ପଳାସିଆ ମଶାଣିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର ସମୟରେ ହଜାର ହଜାର ଲୋକେ ଉପସ୍ଥିତ ଥିଲେ।