ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲା: କଲେଜରେ କ୍ରାଇମବ୍ରାଞ୍ଚ ଟିମ୍ ଜୋରଦାର ତଦନ୍ତ

Published By : Prameya-News7 Bureau | July 17, 2025 IST

ଭୁବନେଶ୍ଵର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମ ବ୍ରାଞ୍ଚ ଆରମ୍ଭ କରିଛି ତନାଘନା।  କ୍ରାଇମ ବ୍ରାଞ୍ଚ ଟିମ୍ ଆଜି କଲେଜରେ ପରିସରକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛି। ସେହିପରି କ୍ରାଇମ ବ୍ରାଞ୍ଚ ଟିମ୍ ଆହତ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ମଧ୍ୟ ପଚରା ଉଚରା କରିଛି।  ସେହିପରି ଛାତ୍ରୀ ରହୁଥିବା ହଷ୍ଟେଲରେ ମଧ୍ୟ ସ୍ଥିତି ଯାଞ୍ଚ କରିଛି ତଦନ୍ତକାରୀ ଟିମ୍। 

ଗତକାଲି ରାଜ୍ୟ ସରକାର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ୍। ବାଲେଶ୍ବର ଏବଂ କଟକ ଉଭୟ ସ୍ଥାନରେ ଦୁଇଟି ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଏଫ ଏମ କଲେ କ୍ୟାମ୍ପସରେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ CAW & CW ଆଇଜି ଏସ ସାଇନ ଏବଂ ତଦନ୍ତକାରୀ ଅଧିକାରୀ ଡିଏସପି ଇମନ କଲ୍ୟାଣ  କଲେଜ ପରିସରକୁ ଯାଇଛନ୍ତି। ସେଠାରେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ଜଣଙ୍କ ଦେହରେ ନିଆଁ ଲାଗିଲା ତାହାର ଅନୁଧ୍ୟାନ କରିଛନ୍ତି। କିଛି କର୍ମଚାରୀ ଓ ଛାତ୍ରୀଙ୍କୁ ପଚରା ଉଚରା କରିଛି। 

ସେହିପରି କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ କଟକରେ ଚିକିତ୍ସାଧୀନ ଥିବା ଛାତ୍ର  ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କୁ ପଚରା ଉଚରା କରିଛି।  ଜ୍ୟୋତି ପ୍ରକାଶ ପୀଡ଼ିତା ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଆହତ ହୋଇଥିଲେ।   ଏବଂ ସେ ଏବେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।   କଟକ ଏସସିବି ମେଡିକାଲରେ ତିନି ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଜ୍ୟୋତି ପ୍ରକାଶ ତାଙ୍କ ମା ଏବଂ ଡାକ୍ତରଙ୍କୁ ପଚରା ଉଚରା କରିଛି। 

ଏ ହେଉଛି ସେହି ଘର ଯେଉଁଠାରେ ପାଠ ପଢ଼ିବା ପାଇଁ ରହୁଥିଲେ ଛାତ୍ରୀ ଜଣକ। କଲେଜରେ ପଢୁଥିବା ବେଳେ ଛାତ୍ରୀ ଜଣଙ୍କ ଏହି ଭଡା ଘରେ ରହୁଥିଲେ । ଘଟଣା ଦିନ ଏହି ଘରୁ ସେ କଲେଜକୁ ଯାଇଥିଲେ । ହେଲେ ଆଉ ତାଙ୍କ ରୁମକୁ ଫେରି ନ ଥିଲେ । ଏବେବି ସେହି ରୁମରେ ତାଙ୍କର ପୋଷାକ, ବାକ୍ସ , ରୋଷେଇ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ରହିଛି । ପୋଲିସ ଏଠାକୁ ଆସି ଯାଞ୍ଚ କରି ଫେରିଛି । ହେଲେ ଘଟଣା ପରଠୁ ତାଙ୍କ ଘର ଲୋକ କେହି ସେଠାକୁ ଆସିନାହାନ୍ତି । ତାଙ୍କ ସହ ରହୁଥିବା ଅନ୍ୟ ଜଣେ ସହପାଠୀ ଏବେ ସେ ରୁମ୍ ଛାଡି ଦେଇଛନ୍ତି ।

ଘଟଣାକୁ ନେଇ ତନାଘନା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କିଛି ଆପତ୍ତିଜନକ ଟିପ୍ପଣୀକୁ ନେଇ ଭୋଗରାଇ ଥାନା ଆଇଆଇସିଙ୍କ ପାଖରେ  ଏତଲା ଦେଇଛନ୍ତି । ଏତଲାରେ ୪ ରୁ ଅଧିକ ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି। କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.