ଆମେରିକାରେ ଗିରଫ ପଞ୍ଜାବୀ ଟ୍ରକ୍‌ ଡ୍ରାଇଭରଙ୍କ ପରିବାର କଲେ ଗୁହାରୀ, ସଜା କୋହଳ କରିବାକୁ କଲେ ନିବେଦନ

Published By : Prameya-News7 Bureau | August 24, 2025 IST

ଚଣ୍ଡିଗଡ଼ : ଆମେରିକାରେ ଏକ ଦୁର୍ଘଟଣା ପରେ ଗିରଫ ଟ୍ରକ୍ ଚାଳକ ଓ ପଞ୍ଜାବ ନିବାସୀ ହରଜିନ୍ଦର ସିଂହଙ୍କ ପରିବାର ଓ ପୈତୃକ ଗାଁ ରତୌଲର ଲୋକେ ମାମଲାରେ କୋର୍ଟଙ୍କୁ ନରମ ଆଭିମୁଖ୍ୟ ଆପଣାଇବାର ଗୁହାରୀ କରିଛନ୍ତି। ଏହି ମାମଲାରେ ହରଜିନ୍ଦରଙ୍କୁ ୪୫ ବର୍ଷର ଜେଲ ଦଣ୍ଡ ହୋଇ ପାରେ। ପରିବାର ସଦସ୍ୟ ଓ ଗାଁର ଲୋକେ ଏହି ମାମଲାରେ ଏକତ୍ର ହୋଇ କହିଛନ୍ତି, ତାଙ୍କୁ ଏବେ ୨୮ବର୍ଷ ବୟସ। ଏହା ତାଙ୍କର ଦୁର୍ଭାଗ୍ୟ ଥିଲା। ପଞ୍ଜାବର ତରନତାରନ ଜିଲ୍ଲାର ରତୌଲ ଗାଁର ୨୮ ବର୍ଷିୟ ଡ୍ରାଇଭର ପାଇଁ ସମର୍ଥନ ଯୋଗାଡ଼ କରିବାକୁ ଅନଲାଇନ୍ ଅଭିଯାନ ମଧ୍ୟ ଆରମ୍ଭ ହୋଇ ଯାଇଛି।

ମିଡ଼ିଆ ଖବର ଅନୁସାରେ, ହରଜିନ୍ଦରଙ୍କ (୨୮) ଉପରେ ଆମେରିକାରେ ଗାଡ଼ି ଦୁର୍ଘଟଣାରେ ହତ୍ୟା ନେଇ ଦୋଷାରୋପ କରାଯାଇଛି। ତାଙ୍କ ଗାଡ଼ିରେ ୧୨ ଅଗଷ୍ଟରେ ଫ୍ଲୋରିଡାର ହାଇୱେରେ ହୋଇଥିବା ଦୁର୍ଘଟଣାରେ ତିନି ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇଥିଲା। ଦୁର୍ଘଟଣା ସମୟରେ ସେ କଥିତ ଭାବେ ସଡ଼କରେ ଭୁଲ୍‌ ଉପାୟରେ ୟୁ-ଟର୍ନ ନେଇଥିଲେ। ନ୍ୟୁୟର୍କ ପୋଷ୍ଟରେ ଗୁରୁବାର ପ୍ରକାଶିତ ଖବର ମୁତାବିକ, ହରଜିନ୍ଦର ଦୁର୍ଘଟଣା ପରେ କାଲିଫର୍ଣ୍ଣିଆ ଫେରାର ହୋଇ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଗିରଫ କରି ମୋକଦମା ପାଇଁ ଫ୍ଲୋରିଡା ଅଣାଯାଇଛି।

ହରଜିନ୍ଦରଙ୍କ ଜଣେ ସଂପର୍କୀୟ ଦିଲବାଗ ସିଂହ କହିଛନ୍ତି , ପରିବାର ଲୋକ କିଛି କହିବା ସ୍ଥିତିରେ ନାହାନ୍ତି। ପୂରା ପରିବାର ଦୁଃଖ ସନ୍ତାପରେ। ସେ ସାମ୍ୱାଦିକଙ୍କୁ କହିଛନ୍ତି – ଆମେ ଦୁର୍ଘଟଣାରେ ତିନି ଜଣ ଲୋକଙ୍କ ମୃତ୍ୟୁରେ ବି ଦୁଃଖ ପ୍ରକାଶ କରୁଛୁ। ଏମିତି ଘଟଣା ପୂର୍ବରୁ ବି ହୋଇଛି। ତାଙ୍କର ବୟସ ୨୮ ବର୍ଷ ଏବଂ ଯଦି ତାଙ୍କୁ ୪୫ ବର୍ଷ ଜେଲ୍‌ ହୁଏ ତ ଆପଣ କଳ୍ପନା କରି ପାରୁଛନ୍ତି, ତାଙ୍କ ପରିବାରର କଣ ସ୍ଥିତି ହେବ। ଦିଲବାଗ ଶିଖ୍‌ ସଙ୍ଗଠନକୁ ହରଜିନ୍ଦରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆଗେଇ ଆସିବାକୁ ଅପିଲ କରିଛନ୍ତି। ହରଜିନ୍ଦର ଜମି ବନ୍ଧକ ରଖି ଆମେରିକା ଯାଇ ଥିଲେ।

ହରଜିନ୍ଦରଙ୍କ ବଡ଼ ଭାଇ ତେଜିନ୍ଦର ସିଂହ ନିଜ ପରିବାର ଓ ମାଆଙ୍କ ସହ ତରନତାରନରେ ରୁହନ୍ତି। ତାଙ୍କ ପିତାଙ୍କ ମୃତ୍ୟୁ ହୋଇ ଯାଇଛି। ପରିବାର ଚାଷ କାମ କରି ଜୀବନଯାପନ କରନ୍ତି। ଘଟଣାର ଏକ ସପ୍ତାହ ପରେ, ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ବାଣିଜ୍ୟିକ ଟ୍ରକ୍‌ ଚାଳକ କାର୍ଯ୍ୟ ଭିସା ଜାରି କରିବା ଉପରେ ରୋକ୍ ଲଗେଇବାକୁ ଘୋଷଣା କରିଥିଲେ। ରତୌଲ ଗାଁର ଅନେକ ଲୋକ ହରଜିନ୍ଦରଙ୍କ ସମର୍ଥନରେ ଆଗେଇ ଆସିଛନ୍ତି ଏବଂ ସେ ଜଣେ ପରିଶ୍ରମୀ ବ୍ୟକ୍ତି ବୋଲି କହିଛନ୍ତି। ହେଲେ ସେମାନେ ସ୍ୱୀକାର କରିଛନ୍ତି ହରଜିନ୍ଦର ଭୁଲ କରିଛନ୍ତି , କିନ୍ତୁ ସେମାନେ ଦାବି କରିଛନ୍ତି ଯେ, ଆମେରିକୀୟ ଅଧିକାରୀ ମାମଲାରେ ନରମ ଆଭିମୁଖ୍ୟ ଆପଣାନ୍ତୁ।

ଗାଁର ସରପଞ୍ଚ ଜଶନଦୀପ୍‌ ସିଂହ କହିଛନ୍ତି ଯେ, ସେ ପରିବାର ସହ ଠିଆ ହୋଇଛନ୍ତି ଏବଂ ଅପିଲ କରିଛନ୍ତି ଯେ,ହରଜିନ୍ଦରଙ୍କୁ କୌଣସି କଠୋର ସଜା ଦିଆନଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.