ଫୁଲୁଛି ବୈତରଣୀ, ଆଲର୍ଟରେ ପ୍ରଶାସନ : ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଓ ଯନ୍ତ୍ରୀ

Published By : Prameya-News7 Bureau | July 01, 2025 IST

ଭଦ୍ରକ ୦୧।୦୭ : ଫୁଲୁଛି ବୈତରଣୀ । ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ନିକଟରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ବନ୍ୟା ଜଳ । ପୂର୍ବରୁ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଆନିକଟ ମରାମତି ସହ ବିଭିନ୍ନ ଘାଇ ଓ ଏସ୍କେପର ଉଚ୍ଚତା ବୃଦ୍ଧି ପରେ ବିପଦ ସଙ୍କେତ ୧୮.୩୩ ମିଟରକୁ ବୃଦ୍ଧି କରାଯାଇଛି । ଆଖୁଆପଦା ଆନିକଟ ଠାରେ ବୈତରଣୀ ୧୮.୨୦ରେ ପ୍ରବାହିତ ହେଉଛି । 

ତେବେ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକକୁ ଆଲର୍ଟ କରାଯାଇଛି । ଉପର ମୁଣ୍ଡ ଅର୍ଥାତ କେନ୍ଦୁଝର, ଆନନ୍ଦପୁର, ସୋମପାଟଣା ଆଦି ଅଞ୍ଚଳର ହେଉଥିବା ବର୍ଷାର ପରିମାଣ ଉପରେ ରଖିଛି ପ୍ରଶାସନ । ବନ୍ୟା ଭଳି ସ୍ଥିତି ଉପୁଜି ନଥିଲେ ମଧ୍ୟ ପୂର୍ବରୁ ପ୍ରଭାବିତ ହେଉଥିବା ତଳିଆ ଅଞ୍ଚଳ ଗୁଡ଼ିକ ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ଇଟାଭାଟି ଓ ତଳିଆ ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧିଙ୍କୁ ସଜାଗ ରଖାଯାଇଛି । ବିଭିନ୍ନ ସ୍କୁଲ ଗୃହଗୁଡିକୁ ପ୍ରସ୍ତୁତ ରଖାଯାଇଛି । ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି । ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ବୈତରଣୀ ନଦୀ କୂଳରେ ଥିବା ଗାଁ ବୁଲି ସ୍ଥିତି ଦେଖିଛନ୍ତି । ଆଖୁଆପଦା ଇରିଗେଶନ ଡିଭିଜନର ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପରେ ଭଣ୍ଡାରିପୋଖରୀ ବ୍ଲକ ପରିସରରେ ମଧ୍ୟ ସମୀକ୍ଷା କରିଛନ୍ତି । ଆଖୁଆପଦା ଡିଭିଜନର ଯନ୍ତ୍ରୀ କହିଛନ୍ତି ଯେ, ଉପରମୁଣ୍ଡରେ ବର୍ଷା କମ ରହିଛି। ତେବେ କଣ୍ଟିଘାଇ, ବାଲିପୋଖରୀ ଏସ୍କେପ ଦେଇ ବନ୍ୟା ଜଳ ପ୍ରବାହିତ ହେଉନାହିଁ । କିଛି ଘଣ୍ଟା ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.