ନୂଆଦିଲ୍ଲୀ ୫।୬: ୱାଲମାର୍ଟ ସମର୍ଥିତ ଇ-କମର୍ସ ମଞ୍ଚ ଫ୍ଲିପକାର୍ଟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଋଣ ବିତରଣ ନିମନ୍ତେ ଲାଇସେନ୍ସ ପ୍ରଦାନ କରିଛନ୍ତି। ଫ୍ଲିପକାର୍ଟ ଗୁରୁବାର ଏହି ସୂଚନା ଦେଇଛି। ସୂତ୍ର ଅନୁସାରେ ଫ୍ଲିପକାର୍ଟକୁ ମାର୍ଚ୍ଚ ୨୦୨୫ରେ ଏଥି ଲାଗି ମଞ୍ଜୁରୀ ମିଳିଯାଇଥିଲା। ଏନବିଏଫସି ଲାଇସେନ୍ସ ନେଇ ପ୍ରଶ୍ନ କରାଯିବାରେ ଫ୍ଲିପକାର୍ଟ ଏହା ପୁଷ୍ଟି କରିଛି ହେଲେ ବିସ୍ତୃତ ବିବରଣୀ ଦେଇ ନାହିଁ। ସୂତ୍ର ଅନୁସାରେ ଏବେ ଫ୍ଲିପକାର୍ଟ ଗ୍ରାହକଙ୍କୁ ସିଧାଶଳକ ଋଣ ଦେବାର ରାସ୍ତା ସଫା ହୋଇଯାଇଛି।
ପ୍ରସଙ୍ଗରେ ଫ୍ଲିପକାର୍ଟ କିଛି ଉଦାହରଣ ଦେଇଛି, ଯେଉଁଥିରେ ଗ୍ରାହକଙ୍କୁ ଅନେକ ବାର ସେମାନେ ବାଛିଥିବା ଉତ୍ପାଦ ପାଇଁ ପୈଠ ନିମନ୍ତେ ଇଏମଆଇ ମଡେଲ ବାଛନ୍ତି। ତେବେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନବିଏଫସି) ଭାବେ କମ୍ପାନୀର ଯୋଜନା ସମ୍ପର୍କରେ ବର୍ତ୍ତମାନ ଲାଗି କୌଣସି ସୂଚନା ହସ୍ତଗତ ହୋଇ ନାହିଁ। ତେବେ ୱାଲମାର୍ଟ ନିକଟରେ ଏବେ ଫ୍ଲିପକାର୍ଟର ୮୦%ରୁ ଅଧିକ ଭାଗିଦାରୀ ରହିଛି। ୨୦୧୮ ମସିହାରେ ୱାଲମାର୍ଟ ଇ-କମର୍ସ ମଞ୍ଚର ବହୁଳାଂଶ ଭାଗିଦାରୀ କ୍ରୟ କରିଥିଲା।