କୋରାପୁଟ ୦୪।୦୬ : ଭୁଲ୍ ଇଞ୍ଜେକସନ ଲାଗି ଚାଲିଗଲା ୫ ଜୀବନ । ଗୋଟିଏ ରାତିରେ ଏକାସାଙ୍ଗେ ଚାଲିଯାଇଛି ୫ ରୋଗୀଙ୍କ ଜୀବନ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରୁ ଆସିଛି ଏପରି ଅଭବାନୀୟ ଘଟଣା ।
ଖବର ଅନୁଯାୟୀ, କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ପରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବେଡରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ତୁରନ୍ତ ରୋଗୀ ସମ୍ପର୍କୀୟଙ୍କ ଉତ୍ତେଜନା ଦେଖି ଟାଉନ୍ ଥାନା ପୋଲିସ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା।
ଅନ୍ୟପଟେ ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, ଆଇସିୟୁରେ ଅପରେସନ ପରେ ରୋଗୀ ଠିକ୍ ଥିଲେ। ରାତି ଦାୟିତ୍ଵରେ ଥିବା କର୍ମଚାରୀ କିଛି ଇଞ୍ଜେକ୍ସନ ଦୁଇ ଥର ଦେଇଥିଲେ। ଇଞ୍ଜେକ୍ସନ ଦେବାର ୧୫ ମିନିଟ ଭିତରେ ଆଇସିୟୁରେ ତିନି ରୋଗୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ବେଡରେ ଥିବା ରୋଗୀଙ୍କ ମୃତ୍ୟୁ ନେଇ କିଛି ସ୍ପଷ୍ଟତା ମିଳିପାରିନାହିଁ। ଅଳ୍ପ ସମୟ ଭିତରେ ରାତି ରାଉଣ୍ଡର ଶେଷ ଡୋଜରେ ଆଇସିୟୁରେ ତିନି ଏବଂ ବେଡରେ ଦୁଇ ରୋଗୀଙ୍କ ମୃତ୍ୟୁ ନେଇ ପରିବାର ପ୍ରଶ୍ନ ଉଠାଉଥିବାରୁ ଶବ ଜବତ କରିଛି ଟାଉନ ପୋଲିସ। ଆଇସିୟୁ ତିନି ଶବ ସହ ଅନ୍ୟ ଶବକୁ ବ୍ୟବଛେଦ କରିବାକୁ ତତ୍ପରତା ପ୍ରକାଶ ପାଇଛି। ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୈାଣସି ସ୍ପଷ୍ଟିକରଣ ଦେଇନାହାନ୍ତି। ବିଗତ ଦିନରେ କର୍ତ୍ତୃପକ୍ଷଙ୍କ ଏପରି ଅବହେଳାକୁ ନେଇ ଅନେକ ପ୍ରଶ୍ନ ଉଠିଛି।