ପୁର୍ଣ୍ଣିଆ ୭।୭: ବିହାର ପୁର୍ଣ୍ଣିୟା ଜିଲ୍ଲା ମୁଫସିଲ ଥାନା ଟେଟଗାମା ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଡାହାଣୀ କହି ଗୋଟିଏ ପରିବାରର ୫ ଜଣଙ୍କୁ ମାଡ଼ ମାରି ଜିଅନ୍ତା ଜାଳେଇ ଦିଆଯାଇଛି। ଏହି ମର୍ମନ୍ତୁଦ ଘଟଣା ଝାଡ଼ଫୁଙ୍କକୁ ନେଇ ଘଟିଛି। ଏହା ପରେ ଗାଁରେ ଏବେ ଆତଙ୍କ ଖେଳି ଯାଇଛି। କୁହାଯାଉଛି ରୋମଦେବ ଓରାମଙ୍କ ଝିଅକୁ ଝଡାଫୁଙ୍କା କରିବା ବେଳେ ତାର ମୃତ୍ୟୁ ହୋଇଥିଲା। ଗାଁ ଲୋକେ ଏହା ଡାହାଣୀର କୁ ପ୍ରଭାବ କହି ପରିବାରର ଲୋକଙ୍କୁ ସନ୍ଦେହ କରିଥିଲେ।
କୁହାଯାଉଛି ଗାଁ ଲୋକେ ମେଳି ହୋଇ ପ୍ରଥମେ ବାବୁଲାଲ ଓରାମ, ସୀତା ଦେବୀ, ମନଜିତ ଓରାମ, ରିନିୟା ଦେବୀ ଓ ତପତୋ ମୋସମଙ୍କୁ ପିଟିଥିଲେ। ଏହା ପରେ ସେମାନଙ୍କୁ ଜୀବନ୍ତ ପୋଡି ଦେଇଥିଲେ। ସମସ୍ତ ମୃତ ଗୋଟିଏ ପରିବାରର। ହତ୍ୟାକାଣ୍ଡ ପରେ ଶବ ଗୁଡିକୁ ନିକଟରେ ଥିବା ପୋଖରୀକୁ ଫିଙ୍ଗି ଦିଆଯାଇଥିଲା। ଘଟଣା ପରେ ଗାଁରେ ଆତଙ୍କ ଖେଳି ଯାଇଥିବା ବେଳେ କେତେକ ପରିବାର ଗାଁ ଛାଡି ପଳାଇଛନ୍ତି।
ମାମଲାରେ ପୋଲିସ ନକୂଳ କୁମାର ନାମକ ଜନୈକ ଅଭିଯୁକ୍ତକୁ ଗିରଫ କରିଛି। ନକୂଳ ଉପରେ ଭିଡକୁ ଉସକେଇବାର ଅଭିଯୋଗ ହୋଇଛି। ପୋଲିସ ଏବେ ଡଗ ସ୍କ୍ୱାର୍ଡ ଓ ଫରେନସିକ୍ ଟିମ୍ ସହିତ ଗାଁରେ ତଦନ୍ତ ଚଳାଇଛି। ପୋଲିସ ପୋଖରୀରୁ ୪ଟି ଶବ ଉଦ୍ଧାର କରିଛି। ଶବ ଗୁଡିକ ସମ୍ପୂର୍ଣ୍ଣ ଜଳି ଯାଇଛି। ଘଟଣାରୁ ବର୍ତ୍ତି ଯାଇଥିବା ପରିବାରର ଲଳିତ କୁମାର କହିଛନ୍ତି ଯେ ତାଙ୍କର ପୁରା ପରିବାରକୁ ଡାହାଣୀ କହି ହତ୍ୟା କରାଯାଇଛି।
ଏସପି ସ୍ୱିଟି ସହରାବତ କହିଛନ୍ତି ଯେ ମାମଲା ଝାଡଫୁଙ୍କ ଓ ତନ୍ତ୍ରମନ୍ତ୍ର ସମ୍ପର୍କିତ। ମୃତକଙ୍କ ପରିଜନ ଓ ପିଲାମାନେ ଏବେବି ଭୟଭୀତ ଅଛନ୍ତି। ଏଣୁ ପୋଲିସ ବିସ୍ତୃତ ସୂଚନା ସଂଗ୍ରହ କରିପାରି ନାହିଁ। ଆରଜେଡି ନେତା ତେଜସ୍ୱୀ ଯାଦବ ଘଟଣାରେ ଗଭୀର ଦୁଃଖ ପ୍ରକଟ କରିଛନ୍ତି। ସେ ମାମଲାରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛନ୍ତି।