ଉମରିଆ ( ମଧ୍ୟ ପ୍ରଦେଶ) – ମଧ୍ୟ ପ୍ରଦେଶର ଉମରିଆ ଜିଲ୍ଲାର ଏକ ସରକାରୀ ସ୍କୁଲର ହଷ୍ଟେଲରୁ ୫ ଜଣ ଛାତ୍ରୀଙ୍କ ନିଖୋଜ ଖବରରେ ଆତଙ୍କ ଖେଳି ଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଅଷ୍ଟମ ଶ୍ରେଣୀର ଏହି ଛାତ୍ରୀମାନେ ସହରର ଗିଞ୍ଜରୀ ଅଞ୍ଚଳରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗର୍ଲ୍ସ ହଷ୍ଟେଲରୁ ନିଖୋଜ ହୋଇ ଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ୍ ଗଠନ କରାଯାଇଛି।
ହଷ୍ଟେଲର ସହାୟକ ୱାର୍ଡନ ସାରିକା ଶର୍ମା କହିଛନ୍ତି ଯେ, ପାଞ୍ଚ ଜଣ ବାଳିକା ଶନିବାର ରାତିରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ। ଏହାପରେ ସେମାନେ ଭୋଜନ କଲେ ଏବଂ ଶୋଇବାକୁ ଚାଲି ଗଲେ। କିନ୍ତୁ ସକାଳ ୮ଟା ସମୟରେ ଏହି ବାଳିକା ଜଳଖିଆ ଖାଇବାକୁ ଆସି ନଥିଲେ। ଜଣାପଡ଼ି ଥିଲା ଯେ, ବାଳିକାମାନେ ହଷ୍ଟେଲରୁ ନିଖୋଜ ହୋଇ ଯାଇଛନ୍ତି।
ଜିଲ୍ଲା ପୁଲିସ ଅଧିକାରୀ ନିବେଦିତା ନାଇଡୁ ସାମ୍ୱାଦିକଙ୍କୁ କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗର୍ଲ୍ସ ହଷ୍ଟେଲରୁ ୫ ଜଣ ଛାତ୍ରୀଙ୍କ ନିଖୋଜ ହେବାର ମାମଲା ସାମ୍ନାକୁ ଆସିଛି। ବାଳିକାଙ୍କ ତଲାସୀ ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସଆଇଟି)ର ଗଠନ କରାଯାଇଛି।
ଏସପି ନାଇଡୁ କହିଛନ୍ତି ଯେ, ଯାଞ୍ଚକାରୀଙ୍କୁ ଜଣେ ଛାତ୍ରୀଙ୍କ ନୋଟବୁକ୍ରୁ ଏକ ନୋଟ୍ ମିଳିଛି। ଏଥିରେ ଲେଖା ଅଛି , ମୁଁ ଜୀବନରେ କିଛି କରିବାକୁ ଚାହୁଁଛି , ମୁଁ ରୋଜଗାର କରି ଖାଇବାକୁ ଚାହୁଁଛି , ଏଥିପାଇଁ ମୁଁ ଯାଉଛି। ସେ କହିଛନ୍ତି , ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ବସ ଷ୍ଟାଣ୍ଡ , ରେଲୱେ ଷ୍ଟେସନ ଓ ଅନ୍ୟ ସ୍ଥାନ ଗୁଡ଼ିକରେ ତଲାସୀ ବୃଦ୍ଧି କରାଯାଇଛି।
ନିଖୋଜ ଛାତ୍ରୀଙ୍କ ପରିବାର ଲୋକେ ହଷ୍ଟେଲ ପ୍ରଶାସନ ଉପରେ ଅବହେଳା ପ୍ରଦର୍ଶନ କରିବାର ଅଭିଯୋଗ ଲଗେଇଛନ୍ତି। ତାଙ୍କର କହିବାନୁସାରେ, ହଷ୍ଟେଲର ଗେଟ୍ ଭାଙ୍ଗି ଯାଇ ଥିଲା ଏବଂ କୌଣସି ପାଚେରୀ ନଥିଲା। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ହଷ୍ଟେଲରେ ଲାଗି ଥିବା ସିସିଟିଭି କ୍ୟାମେରା କାମ କରୁ ନଥିଲା।