ଘରକୁ ଫେରିଲେ ରବି ବିଷ୍ଣୋଇ, ନିଲାମୀରେ ଚେନ୍ନାଇଠୁ ଛଡାଇ ଆଣିଲା ରାଜସ୍ଥାନ ରୟାଲ୍ସ

NEWS7
first-plasma-bank-launched-in-telengana

ନୂଆଦିଲ୍ଲୀ, ୧୮/୧୨: ସରିଛି ଆଇପିଏଲର ମିନି ଅକ୍ସନ । ସବୁ ଦଳ ବଛା ବଛା ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିଛନ୍ତି । ଚାମ୍ପିଅନ୍ ହେବାକୁ ଷ୍ଟାର୍ ଏବଂ ଯୁବ ଖେଳାଳିଙ୍କୁ କିଣିଛନ୍ତି ଫ୍ରାଞ୍ଚାଇଜି । ତେବେ ଏଥର ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ରାଜସ୍ଥାନ ରୟାଲ୍ସ । ଦଳ ଅନେକ ବଡ ଖେଳାଳିଙ୍କୁ କିଣିଛି । ଯାହା ମଧ୍ୟରେ ଅଛନ୍ତି ଭାରତୀୟ ସ୍ପିନର ରବି ବିଷ୍ଣୋଇ ।

ରବିଙ୍କୁ ୭ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ । ଗତବର୍ଷ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିଲେ । ତାଙ୍କୁ ଅକ୍ସନ ପୂର୍ବରୁ ଟିମ୍ ରିଲିଜ୍ କରିଥିଲା । ତେବେ ଯେତେବେଳେ ଦୁବାଇରେ ନିଲାମ ଆରମ୍ଭ ହୋଇଥିଲା ସେତେବେଳେ ବେସ୍ ପ୍ରାଇସ ଥିଲା ୨ କୋଟି ଟଙ୍କା । ତାଙ୍କ ନାଁ ଡକାଯିବା ପରେ ତୁରନ୍ତ ରାଜସ୍ଥାନ ରୟାଲ୍ସର ଅଧିକାରୀ ହାତ ଉପରକୁ ଟେକିଥିଲେ ।

କିନ୍ତୁ ପରେ ଚେନ୍ନାଇ ସୁପର କିଙ୍ଗସ ରବିଙ୍କୁ ନେବାକୁ ଚାହିଁଥିଲା । କିନ୍ତୁ ଟିମ୍ ୪ କୋଟି ୨୦ ଲକ୍ଷ ପରେ ଚୁପ୍ ବସିଥିଲା । ଏହାପରେ ରାଜସ୍ଥାନ ପୁଣି ରବିଙ୍କ ନେବାକୁ ଦାବି କରିଥିଲା । ଶେଷରେ ୭ କୋଟି ୨୦ ଲକ୍ଷରେ ରାଜସ୍ଥାନ ପାଖକୁ ଭାରତୀୟ ସ୍ପିନର ଚାଲିଯାଇଥିଲେ ।

ତେବେ ବିଷ୍ଣୋଇ କହିଛନ୍ତି ଯେ, ତାଙ୍କର ଘର ଓ୍ୱାପସି ହୋଇଛି । ଅର୍ଥାତ ସେ ନିଜ ଘରକୁ ଫେରି ଆସିଛନ୍ତି । ରାଜସ୍ଥାନ ପକ୍ଷରୁ ସେ ନେଟ୍ ବୋଲର ଭାବେ କ୍ୟାରିଅର ଆରମ୍ଭ କରିଥିଲେ । ପରେ ଏହି ଯାତ୍ରା ଖୁବ୍ ଲମ୍ବା ଯାଇଥିଲା । ଦୀର୍ଘ ଦିନ ହେବ ସେ ନିଜ ଘରୋଇ ଟିମ୍ ପାଇଁ ଖେଳିବେ ବୋଲି ଆଶା ରଖିଥିଲେ । ଯାହା ପୁରା ହୋଇଛି । ଆଗାମୀ ସିଜିନରେ ସେ ନିଜ ଫ୍ୟାନ୍ସଙ୍କୁ ଅନେକ ଭଲ ମୁହୁର୍ତ୍ତ ପ୍ରଦାନ କରିବେ ।

ସେ ଆହୁରି କହିଛନ୍ତି ଯେ, ଜୀବନରେ ବହୁତ କିଛି ବାକି ରହିଛି । ପଞ୍ଜାବରେ ସେ ଖେଳୁଥିବା ବେଳେ କେଏଲ ରାହୁଲ ତାଙ୍କୁ ବହୁତ ସମର୍ଥନ କରୁଥିଲେ । ତାଙ୍କୁ ସ୍ୱାଧିନତା ପ୍ରଦାନ କରୁଥିଲେ । ଲକ୍ଷ୍ନୌରେ ଋଷଭ ପନ୍ତ ମଧ୍ୟ ଅନେକ ସୁଯୋଗ ଦେଇଛନ୍ତି । ସେମାନଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିଛି ।

ସୂଚନାଯୋଗ୍ୟ ୨୫ ବର୍ଷୀୟ ରବି ଦୁଇଟି ଦଳ ପାଇଁ ଆଇପିଏଲରେ ଖେଳିଛନ୍ତି । ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ପଞ୍ଜାବ କିଙ୍ଗସ ତରଫରୁ ୭୭ଟି ମୁକାବିଲା ଖେଳି ୭୨ ଓ୍ୱିକେଚ୍ ଅକ୍ତିଆର କରିଛନ୍ତି ।