ଜୁଲାଇ ୧୫ରେ ଭାରତରେ ଖୋଲିବ ଟେସଲାର ପ୍ରଥମ ଶୋ’ ରୁମ୍, ସାମ୍‌ନାକୁ ଆସିଲା ଫାର୍ଷ୍ଟ ଲୁକ୍

Published By : Prameya-News7 Bureau | July 11, 2025 IST

Hindustan Times

ମୁମ୍ବାଇ: ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନି ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି। ଏହି ଷ୍ଟୋର ମୁମ୍ବାଇରେ ଖୋଲିବ। ଏହି ଷ୍ଟୋର ଲୋକଙ୍କ ପାଇଁ ଏକ ଏକ୍ସପିରିଏନ୍ସ ସେଣ୍ଟର ଭାବରେ ମଧ୍ୟ କାମ କରିବ। ଅର୍ଥାତ ଏଠାରେ ଗାଡ଼ି ବିକ୍ରି ସହ ଲୋକେ ଟେସଲାର ଟେକ୍ନୋଲୋଜି ଏବଂ ଫିଚର୍ସକୁ ମଧ୍ୟ ଦେଖିପାରିବେ। 

ସୂଚନାଥାଉକି, କମ୍ପାନି ପୂର୍ବରୁ ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୪ ହଜାର ବର୍ଗ ଫୁଟ୍‌ର ରିଟେଲ ସ୍ପେସ ପାଇଁ ଲିଜ୍‌ ସାଇନ କରିଥିଲା। ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ଲେକ୍ସରେ ଆପଲର ଫ୍ଲାଗସିପ୍ ଷ୍ଟୋର ମଧ୍ୟ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ, ଟେସଲା ଏହାର ମଡେଲ୍ Y SUV ବିକ୍ରି କରିବ। ଏହା ଟେସଲାର ସାଂଘାଇ କାରଖାନାରୁ ଆମଦାନୀ ହୋଇଛି। ଭାରତରେ ଏହି କାର୍‌ର ମୂଲ୍ୟ ପ୍ରାୟ ୪୮ ଲକ୍ଷ ଟଙ୍କା ହୋଇପାରେ।

ମଡେଲ୍ Y ହେଉଛି ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର

କମ୍ପାନୀର ମଡେଲ Y ହେଉଛି ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର। ଭାରତୀୟ ଗ୍ରାହକମାନେ ମଧ୍ୟ ଏହାକୁ ପସନ୍ଦ କରିପାରନ୍ତି। କମ୍ପାନି ଆମେରିକା, ଚୀନ୍ ଏବଂ ନେଦରଲ୍ୟାଣ୍ଡସ୍‌ରୁ ସୁପରଚାର୍ଜର ଉପାଦାନ, କାର୍ ଆସେସୋରିଜ୍, ସାମଗ୍ରୀ ଏବଂ ସ୍ପେୟାର ସାମଗ୍ରୀ ମଧ୍ୟ ଆମଦାନୀ କରିଛି।

ଶୋ’ରୁମ୍ ଭଡ଼ା ମାସିକ ପ୍ରାୟ ୩୫ ଲକ୍ଷ

ରିପୋର୍ଟ ଅନୁଯାୟୀ, ଟେସଲା ମୁମ୍ବାଇର ବିକେସିରେ ଥିବା ମେକର ମ୍ୟାକ୍ସିଟି ବିଲଡିଂର ଏହି ସ୍ଥାନକୁ ୫ ବର୍ଷ ପାଇଁ ଭଡ଼ାରେ ନେଇଛି। ଯାହାର ଭଡ଼ା ମାସିକ ପ୍ରାୟ ୩୫ ଲକ୍ଷ ଟଙ୍କା। ଶୋ'ରୁମରେ ଟେସଲାର ପ୍ରିମିୟମ୍ ଇଲେକ୍ଟ୍ରିକ୍ ଯାନ ରହିବ। ଏଠାରେ ଗ୍ରାହକମାନେ ଟେଷ୍ଟ ଡ୍ରାଇଭ୍ କରିବାର ସୁଯୋଗ ମଧ୍ୟ ପାଇବେ।

କମ୍ପାନି ଏବେ ଭାରତରେ କେବଳ ଆମଦାନୀ ହୋଇଥିବା କାର ବିକ୍ରି କରିବ

କମ୍ପାନି ମୁମ୍ବାଇରେ ପ୍ରଥମ ଶୋରୁମ୍ ଖୋଲିବାକୁ ଯାଉଥିଲେବି, ଟେସଲା ଏପର୍ଯ୍ୟନ୍ତ ଭାରତରେ ଏହାର କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇନାହିଁ। ନିକଟରେ କିଛି ଖବରରେ କୁହାଯାଇଥିଲା ଯେ, ଟେସଲା ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲେଙ୍ଗାନାରେ କାରଖାନା ତିଆରି କରିବାକୁ ଯୋଜନା କରୁଛି। କିନ୍ତୁ ବର୍ତ୍ତମାନ କମ୍ପାନି ଭାରତରେ କେବଳ ଆମଦାନୀ ହୋଇଥିବା କାର ବିକ୍ରୟ ଉପରେ ଧ୍ୟାନ ଦେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.