ଖେଳ ଆରମ୍ଭ ହେବା ପୂର୍ବରୁ ପଡ଼ିଆରେ ଟଳିପଡ଼ିଲେ କୋଚ୍, ଖେଳିଗଲା ଶୋକର ଛାୟା

NEWS7
first-day-night-pink-ball-match-play-in-kolkata-eden-garden-statdium

ଢାକା: ବାଂଲାଦେଶ ପ୍ରିମିୟର ଲିଗାରେ ବଡ଼ ଅଘଟଣ । ଫିଲ୍ଡରେ ଟଳିପଡ଼ିଲେ କୋଚ୍ । ଢାକା କ୍ୟାପିଟାଲ୍ସର ସହାୟକ କୋଚ୍ ଖେଳ ଆରମ୍ଭ ହେବା ପୂର୍ବରୁ ହୃଦଘାତରେ ପ୍ରାଣ ହରାଇଛନ୍ତି । ଖେଳ ହେବାକୁ ଯାଉଥିବା ବେଳେ ଆସିଷ୍ଟାଣ୍ଟ କୋଚଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଅବାକ କରି ଦେଇଥିଲା । ଶନିବାର ଢାକା କ୍ୟାପିଟାଲ୍ସ ଏବଂ ରାଜାଶାହି ଓ୍ବାରିୟର୍ସ ମଧ୍ୟରେ ସିଲହେଟରେ ଖେଳ ହେବାର ଥିଲା ।

ଏହି ସମୟରେ ଢାକା କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍ ମେହବୁବ ଅଲି ଜାକିଙ୍କୁ ହୃଦଘାତ ହୋଇଥିଲା ଏବଂ ସେ ପଡ଼ିଆରେ ଟଳିପଡ଼ିଥିଲେ । ସିପିଆର ଦିଆଯିବା ସହ ତାଙ୍କୁ ଅଲ ହାରାମିଆନ୍ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ପ୍ରଶିକ୍ଷକଙ୍କ ମୃତ୍ୟୁ ପରେ ପଡ଼ିଆରେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ପରେ ଖେଳ ଆରମ୍ଭ ହୋଇଥିଲା ।

ଜାକିଙ୍କ ମୃତ୍ୟୁକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଶୋକ ପ୍ରକାଶ କରିଛି । ଦୀର୍ଘ ୧୭ ବର୍ଷ ଧରି ବସିବିରେ କାର୍ଯ୍ୟ କରିଥିଲେ ଜାକି । ବିସିବି ସୋସିଆଲ ମିଡିଆରେ ଲେଖିଛି, ‘ମେହବୁବ ଅଲି ଜାକି ବାଂଲାଦେଶ କ୍ରିକେଟକୁ ନିଜ ଜୀବନ ଉତ୍ସର୍ଗ କରିଦେଇଥିଲେ । ଖେଳାଳିଙ୍କ ଉନ୍ନତି ପାଇଁ ସେ ବହୁତ କିଛି କରିଥିଲେ । ୨୦୦୮ରେ ସେ ବିସିବିରେ ଯୋଗ ଦେଇଥିଲେ । ଦେଶରେ ପେସ୍ ବୋଲିଂରେ ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।’

କୋଚ୍ ହେବା ପୂର୍ବରୁ ଜାକି ଦକ୍ଷୀଣ ହାତି ଦ୍ରୁତ ବୋଲ୍ର ଥିଲେ । ସେ ନ୍ୟାସନାଲ୍ କ୍ରିକେଟ ଚାମ୍ପିଅନସିପରେ ଖେଳିଥିଲେ । ଏହା ସହ ଦେଶର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଦ୍ରୁତ ବୋଲିଂରେ ସେ ଖୁବ ଅଭିଜ୍ଞତା ହାସଲ କରିଥିଲେ । ପରେ କୋଚିଂ କ୍ୟାରିୟରରେ ଏହା ତାଙ୍କୁ ବେଶ ସହାୟକ ହୋଇଥିଲା । ଜାକି ୨୦୦୮ରେ ବିସିବିରେ ଯୋଗ ଦେଇଥିଲେ । ତସକିନ ଅହମଦଙ୍କ ବୋଲିଂରେ ସୁଧାର ଆଣି ତାଙ୍କୁ ପରିଚିତ କରାଇଥିଲେ ଜାକି । ୨୦୧୬ ଟି-୨୦ ବିଶ୍ବକପରେ ତସକିନ୍ ଅହମଦ ନିଜର ବୋଲିଂ ଆକ୍ସନ ପାଇଁ ବିବାଦ ଘେରକୁ ଆସିଥିଲେ ।