ଭୁବନେଶ୍ୱର ୨୬/୦୬: ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ନିଆଁ ଲିଭାଇବାକୁ ଯାଇ ବସ୍ତ୍ରାଳୟର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।
କଳ୍ପନା ଛକ ନିକଟରେ ଥିବା ତାରିଣୀ ବସ୍ତ୍ରାଳୟର ପଛ ପଟ ଗଳିରେ ଏକ ୫ ମହଲା ବିଶିଷ୍ଟ ଗୋଦାମ ଘର ଅଛି । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଗୋଦାମର ସ୍କାଏ ଲାଇଟରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଏହା ସହ ବସ୍ତ୍ରାଳୟ ସୋ ରୁମରେ ଶୋଇଥିବା କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ବସ୍ତ୍ରାଳୟର ୮ରୁ ୧୦ ଜଣ କର୍ମଚାରୀ ତୁରନ୍ତ ଗୋଦାମରେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପଶିଥିଲେ । ସେତେବେଳକୁ ପ୍ରଥମ ଓ ଦ୍ୱିତୀୟ ମହଲାକୁ ନିଆଁ ବ୍ୟାପୀ ଯାଇଥିଲା ।
ଦ୍ୱିତୀୟ ମହଲାରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲାବେଳେ ଡ୍ରେସ ରଖାଯାଇଥିବା ଏକ ର୍ୟାକ ଜଣେ କର୍ମଚାରୀଙ୍କ ଉପରେ ପଡ଼ିଯାଇଥିଲା । ସେ ର୍ୟାକ୍ ତଳେ ଚାପି ହୋଇଯାଇଥିଲେ । ଏତିକି ବେଳେ କଳ୍ପନା ଓ ସଚିବାଳୟ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରୁ ୫ଟି ଦମକଳ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ପ୍ରବଳ ଧୂଆଁ ସତ୍ୱେ ଅଗ୍ନିଶମ କର୍ମଚାରୀ ଭିତରକୁ ପଶି ପ୍ରଥମେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଦେଇଥିଲେ ।
ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସେତେବେଳକୁ କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ସାମଗ୍ରୀ ଜଳି ଯାଇଥିଲା । ସହକାରୀ ଅଗ୍ନିଶମ ଅଧିକାରୀ ମନରଞ୍ଜନ ରାଉତ କହିଛନ୍ତି, ତାରିଣୀ ବସ୍ତ୍ରାଳୟ ଗୋଦାମର ଦୁଇଟି ମହଲା ନିଆଁରେ କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲାବେଳେ ସଟ୍ ସର୍କିଟରୁ ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।