ନୂଆଦିଲ୍ଲୀ: OYO ନାଁରେ ଠକେଇ ଅଭିଯୋଗ । କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଜୟପୁରର ଏକ ରିସର୍ଟକୁ କୋଟିଏ ଟଙ୍କାର ଜିଏସଟି ନୋଟିସ୍ ଲାଗିବା ପରେ ଟେବୁଲ ବୁକିଂ ପ୍ଲାଟଫର୍ମ OYO ବିରୋଧରେ ମାମଲା ରୁଜୁ ହୋଇଛି । ଫେକ୍ ସୂଚନା ପାଇଁ ଏହି ନୋଟିସ୍ ଦିଆଯାଇଛି ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ଜୟପୁରର ଅଶୋକ ନଗର ଥାନା ଅଞ୍ଚଳରେ ଥିବା ସଂସ୍କାର ରିସର୍ଟକୁ ଏହି ନୋଟିସ୍ ଲାଗିଛି । ମଦନ ଜୈନ ନାମକଙ୍କ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏଫଆଇଆର୍ ରୁଜୁ ହୋଇଛି । ସଂସ୍କାର ରିସର୍ଟକୁ ୨.୬୬ କୋଟି ଟଙ୍କାର ଜିଏସଟି କାରଣ ଦର୍ଶାଅ ନୋଟିସ୍ ଲାଗିଛି ।
ଏଫଆଇଆରରେ କୁହାଯାଇଛି, ଚଳିତ ଆର୍ଥିକ୍ ବର୍ଷରେ ଟର୍ଣ୍ଣଓଭର ବଢ଼ାଇବା ପାଇଁ ରିସର୍ଟ ନାଁରେ ଫେକ୍ ବୁକିଂ ଦେଖାଯାଇଛି । ଏହି ଏଫଆଇଆର୍ ଆରାଓ୍ବେଲ୍ ଷ୍ଟେଜ୍ ପ୍ରାଇଭେଟ୍ ଲିମିଟେଡ୍ ବା OYO ସହିତ OYO ସଂସ୍ଥାପକ ଓ ସିଇଓ ରିତେଶ ଅଗ୍ରଓ୍ବାଲ ଏବଂ କିଛି ଅନ୍ୟ ଲୋକଙ୍କ ନାଁରେ ଦିଆଯାଇଛି । ଭାରତୀୟ ନ୍ୟାୟ ସଂହିତା ଆଧାରରେ ଧୋକା ଦେବା, ଅପରାଧିକ ବିଶ୍ବାସଘାତକ ଓ ଅପରାଧିକ ଷଡ଼ଯନ୍ତ୍ର ଆଦି ଧାରାରେ ମାମଲା ରୁଜୁ ହୋଇଛି ।
ଜୟପୁର ସଂସ୍କାର ରିସର୍ଟ ଆନଲାଇନ୍ ବୁକିଂ ସହିତ ବ୍ୟାକ୍-ଇନ୍ ଜରିଆରେ ସେବା ପ୍ରଦାନ କରାଯାଏ । ମଦନ ଜୈନ କହିଥିଲେ, ସଂସ୍କାର ଓ OYO ମଧ୍ୟରେ ଗତ ବର୍ଷ ଏପ୍ରିଲ୍ ୧୮ ତାରିଖ ୨୦୧୯କୁ ୧୨ମାସ ପାଇଁ ବୁଝମଣା ହୋଇଥିଲା । ମାତ୍ର OYO ଆର୍ଥିକ୍ ବର୍ଷ ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୦୨୧ ପାଇଁ ସଂସ୍କାରରେ ବୁକିଂ ହୋଇଥିବା ନେଇ ବାର୍ଷିକ୍ ରିପୋର୍ଟରେ ଦେଖାଯାଇଛି । ଏଫଆଇଆରରେ ଆହୁରି ମଧ୍ୟ କୁହାଯାଇଛି, ୨୦୧୯ ଏପ୍ରିଲ୍ ୧୮ ତାରିଖରୁ ୧୦୨୦ ଏପ୍ରିଲ ୨୦ ତାରିଖ ଭିତରେ OYO ଓ ସଂସ୍କାର ମଧ୍ୟରେ ୧୦.୯୫ ଲକ୍ଷ ଟଙ୍କା କାରବାର ହୋଇଛି । ଏହି ଅନୁଯାୟୀ, ଜିଏସଟି ମଧ୍ୟ ଦାଖଲ କରାଯାଇଛି । ମାତ୍ର ଅସଲରେ ଏହି ସମୟ ମଧ୍ୟରେ ୨୨.୨୨ କୋଟି ଟଙ୍କାର ବ୍ୟବସାୟ ହୋଇଛି । ଯାହା ସାମ୍ନାକୁ ଆସିବା ପରେ ଜିଏସଟି ବିଭାଗ ପକ୍ଷରୁ ନୋଟିସ୍ ଲାଗିଛି ।