ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଥାନାରେ ମାମଲା

Published By : Prameya-News7 Bureau | April 10, 2025 IST

indiatoday

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ମାଧ୍ୟମରେ ଘୃଣିତ ଭାଷଣ ଦେବା ଓ ହିନ୍ଦୁ ଧର୍ମକୁ ଆଘାତ ଦେବା ଅଭିଯୋଗରେ ଚଳିଚ୍ଚିତ୍ର ନିର୍ଦ୍ଦେଶକ ରାମଗୋପାଲ ବର୍ମାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାକୁ ଅଭିଯୋଗ ହୋଇଛି। ଆନ୍ଧ୍ର ପ୍ରଦେଶର ଏକ ଆଞ୍ଚଳିକ ରାଜନୈତିକ ଦଳର ଜଣେ ସଦସ୍ୟ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ରାମ ଗୋପାଳ ଫେସବୁକ୍ ଏବଂ ୟୁଟ୍ୟୁବ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଘୃଣାପୂର୍ଣ୍ଣ ଭାଷଣ ଦେବା ଏବଂ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ରାଷ୍ଟ୍ରୀୟ ପ୍ରଜା କଂଗ୍ରେସ ସଭାପତି ଏବଂ ହାଇକୋର୍ଟର ଓକିଲ ମେଦା ଶ୍ରୀନିବାସ ଥ୍ରୀ ଟାଉନ୍ ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଦାଖଲ କରିଛନ୍ତି। ଯେଉଁଥିରେ ସେ ପ୍ରମାଣ ସ୍ୱରୂପ ଭିଡିଓ କ୍ଲିପିଂ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ଥାନାରେ ଦେଇଛନ୍ତି। ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମେଦା ଶ୍ରୀନିବାସ କହିଛନ୍ତି ଯେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ "ବର୍ବର" ପୋଷ୍ଟ କେବଳ ସମାଜର ବିଭିନ୍ନ ବର୍ଗଙ୍କୁ ଗଭୀର ଆଘାତ ଦେଇଛି ତାହା ନୁହେଁ, ବରଂ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଏକତା ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି।

ସେ ଆହୁରି କହିଛନ୍ତି ଯେ ବର୍ମା ହିନ୍ଦୁ ଦେବାଦେବୀ ଏବଂ ରାମାୟଣ, ମହାଭାରତ ସମେତ ପବିତ୍ର ଗ୍ରନ୍ଥଗୁଡ଼ିକୁ ଉପହାସ କରିଛନ୍ତି। ତେଣୁ ତାଙ୍କର ଏଭଳି ବୟାନ ଉତ୍ତେଜକ ଏବଂ ଅପମାନଜନକ ବୋଲି କହି ଶ୍ରୀନିବାସ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ପାଖରେ ଫେରାଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପୁଲିସ ବର୍ତ୍ତମାନ ଶ୍ରୀନିବାସଙ୍କ ଅଭିଯୋଗର ଯାଞ୍ଚ କରୁଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.