ମୁହଁରେ ହେଉଥିବା ଛୋଟମୋଟ ପରିବର୍ତ୍ତନକୁ କରନ୍ତୁନି ଅଣଦେଖା, ସାଧାରଣ ଫୋଟକା ବି ହୋଇପାରେ କର୍କଟ

NEWS7
fifa-to-consider-expanding-world-cup-to-64-teams

ନୂଆଦିଲ୍ଲୀ ୪।୨: ମୁଖ ଗହ୍ୱର କର୍କଟକୁ ଲୋକେ ସେତିକି ଧ୍ୟାନ ଦିଅନ୍ତିନି ଯେତିକି ଦିଆଯିବା କଥା। ଏଠାରେ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ନାଟକୀୟ ହୋଇନଥାଏ ଓ ଯେବେ କୌଣସି ଅସୁବିଧା ବା ଯନ୍ତ୍ରଣା ହୁଏ ଲୋକେ ଅଣଦେଖା କରିଦେଇଥାନ୍ତି। ଲୋକେ ଭାବନ୍ତି ଏହା ଛୋଟମୋଟ ସମସ୍ୟା ନଚେତ ଦାନ୍ତ ବା ମାଢ଼ିର ସମସ୍ୟା, ମନକୁ ମନ ଭଲ ହୋଇଯିବ। ମୁଖ ଗହ୍ୱର କର୍କଟ ତମାଖୁ ଖାଇବା, ଧୂମ୍ରପାନ କରିବା ଓ ମଦ୍ୟପାନ କରିବା ଭଳି ଅଭ୍ୟାସ ସହିତ ଜଡିତ। ଏଭଳି ଅଭ୍ୟାସକୁ ଆଜିବି ସମାଜରେ କଳଙ୍କ ମନେ କରାଯାଏ। ଲୋକେ ଏ ବାବଦେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ମଧ୍ୟ ଚାହିଁନଥାନ୍ତି।

ସଚେତନତାର ଅଭାବ ଏକ୍ଷେତ୍ରରେ ଏବେବି ସବୁଠୁ ବଡ଼ ସମସ୍ୟା ହୋଇ ରହିଛି। ଏଣୁ ଲୋକେ ଜାଣି ପାରନ୍ତିନି ଲକ୍ଷଣ ଉପରେ ଧ୍ୟାନ ଦିଆଯିବା ଦରକାର କି ପ୍ରାରମ୍ଭରେ ଚିହ୍ନଟ ହୋଇଗଲେ ଆଗକୁ କେଉଁ ସମସ୍ୟା ହେବ? ହେଲେ ଲୋକେ ଯେତେବେଳେ ଏ ନେଇ ଡାକ୍ତରଙ୍କ ପାଖକୁ ପହଞ୍ଚିଥାନ୍ତି ସେତେବେଳକୁ ସମସ୍ୟା ଉତ୍କଟ ହୋଇସାରିଥାଏ। ଏହି ନିରବତା ହିଁ ମୁଖ ଗହ୍ୱର କର୍କଟର ସବୁଠୁ ବଡ଼ ମୁଖ୍ୟ କାରଣ। ମୁହଁରେ ଘା ଅଥବା ଫୋଟକା ହେବା ସାଧାରଣ କଥା। ହେଲେ କେବେ କେବେ ଏହା ଗୁରୁତର ସମସ୍ୟାର କାରଣ ବି ହୋଇପାରେ।

ସାଧାରଣତଃ ତମାଖୁ ସେବନ କରୁଥିବା ଲୋକେ, ଧୂମ୍ରପାନ କରୁଥିଲେ କିମ୍ବା ମଦ୍ୟପାନ କରୁଥିବା ଲୋକଙ୍କ ମୁହଁରେ ଘା ହେଲେ କି ଫୋଟକା ଉଠିଲେ ଖାସ କରି ଯେବେ ଦୁଇ ସପ୍ତାହରେ ଠିକ୍ ନ ହୁଏ ଓ ପରିସ୍ଥିତି ବିଗିଡି ଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ। କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସାରା ବିଶ୍ୱରେ ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ପାଳନ କରାଯାଏ। ଏହି ଅବସରରେ ମୁମ୍ବାଇସ୍ଥିତ ସାର ଏଚ.ଏନ. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଅନକୋ ସାଇନ୍ସେସ ଅଧ୍ୟକ୍ଷ ଡ. ବିଜୟ ହରିଭକ୍ତି ମୁଖ କର୍କଟର ସାଧାରଣ ଲକ୍ଷଣ, ଘାଆ ବା ଫୋଟକାର ତତ୍କାଳ ଚିକିତ୍ସା କିପରି କରାଯିବ ସେ ସମ୍ପର୍କରେ ସୂଚିତ କରିଛନ୍ତି।

ସେ କହିଛନ୍ତି ଯେ ମୁହଁରେ ଚିହ୍ନ ଅନେକ ପ୍ରକାରର ହୋଇଥାଏ ଓ ସେ ଗୁଡିକ ସାଧାରଣତଃ ଧଳା ବା ଲାଲ ଚିହ୍ନ ହୋଇଥାଏ। ମୁହଁରେ ଫୋଟକା ଛୋଟ ତଥା ଯନ୍ତ୍ରଣାଦାୟକ ହୋଇଥାଏ। ଏହା ମଝିରେ ଧଳା କିମ୍ବା ହଳଦିଆ ଚିହ୍ନ ଥାଏ ଓ ଏହାର ଚାରିପାଖ ଲାଲ ହୋଇଥାଏ। ଏହା ଯନ୍ତ୍ରଣାଦାୟକ ହୋଇଥିଲେ ବି ସପ୍ତାହ ବା ଦୁଇ ସପ୍ତାହରେ ଠିକ୍ ହୋଇଯାଏ। ମୁହଁରେ ଫୋଟକା ଅଧିକାଂଶ ହାନିକାରକ ହୋଇନଥାଏ। ଏହା ଆଘାତ, ସଂକ୍ରମଣ ଅଥବା ଭିଟାମିନ ଅଭାବ ଯୋଗୁ ମଧ୍ୟ ହୋଇଥାଏ।

ତେବେ ମୁଖ କର୍କଟରୁ ବର୍ତ୍ତିବା ବାଇଁ ତମାଖୁ ସେବନ ଓ ଅତ୍ୟଧିକ ମଦ୍ୟପାନରୁ ବର୍ତ୍ତିବା ଦରକାର। ହେଲେ ଏପରି କର୍କଟ ରୋଗରୁ ରକ୍ଷା ପାଇବା ପାଇଁ ସବୁଠୁ ଭଲ ଉପାୟ ହେଉଛି ଶୀଘ୍ର ନିଦାନ ବା ଡାକ୍ତରଙ୍କ ସହ ପରାମର୍ଶ କରିବା। ଏହା ଛଡା ମୁହଁରେ ହେଉଥିବା ଚିହ୍ନ ଅଥବା ଘାଆକୁ କେବେ ଅଣଦେଖା ନକରିବା । ଖାସ କରି ଯଦି ଏହା ଭଲ ହେଉ ନଥାଏ, ଏହାର ରଙ୍ଗ ବଦଳୁଥାଏ କିମ୍ବା ଏହା ଦ୍ୱାରା ଯନ୍ତ୍ରଣା ହେଲେ ସଂକୋଚ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରି।