ଏପ୍ରିଲରେ ଖାଲି ପଡ଼ିବ ଓଡିଶାର ୪ ରାଜ୍ୟସଭା ଆସନ, ଗୋଟିଏ ସିଟକୁ ନେଇ BJP-BJD ଛକାପଞ୍ଝା

NEWS7
fear-of-tigers-in-ganjam-border-dfo-appeals-to-be-alert

ଭୁବନେଶ୍ଵର: ଏପ୍ରିଲରେ ଖାଲି ପଡିବ ଓଡିଶାର ୪ ରାଜ୍ୟସଭା ଆସନ । ଓଡିଶା ସମେତ ୧୦ଟି ରାଜ୍ୟରୁ ମୋଟ୍ ୩୭ଟି ଆସନ ଖାଲି ହେଉଥିବାରୁ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡିଶାରୁ ଖାଲି ପଡୁଥିବା ୪ ଆସନ ଭିତରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନ ଜିତିବା ଥୟ । କିନ୍ତୁ କିଏ ଏହି ଆସନରେ ପ୍ରାର୍ଥିହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ୪ ସିଟ ପାଇଁ ବିଜେପି କି ବିଜେଡି ପାଖରେ ସଂଖ୍ୟାନଥିବାରୁ ଏହି ଆସନ ପାଇଁ ଛକାପଞ୍ଛା ଦେଖିବାକୁ ମିଳିବ ।

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଓଡ଼ିଶା ସମେତ ୧୦ ରାଜ୍ୟରେ ଖାଲିପଡିବାକୁ ଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ କରିବାକୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେବା ପରେ ରାଜ୍ୟସଭା ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟସଭାରେ ୨୦୨୬ ଏପ୍ରିଲରେ ୧୦ଟି ରାଜ୍ୟରୁ ମୋଟ୍ ୩୭ଟି ଆସନ ଖାଲି ହେବ । ସେଥିରୁ ଓଡିଶାର ୪ଟି ଆସନ ରହିଛି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସରଙ୍କର ନିଯୁକ୍ତି ପାଇଁ ପ୍ରସ୍ତାବ ମାଗାଯିବା ସହ ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟାଲଟ୍ ବକ୍ସ ଆଦି ଉପରେ ପ୍ରସ୍ତାବ ପଠାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି । ଏହାସହ ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର, ମୋବାଇଲ୍ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇ-ମେଲ୍ ଆଇଡି ଦେବାକୁ ମଧ୍ୟ କୁହାଯାଇଛି । ଏହା ବାଦ୍ ଭୋଟ ଗ୍ରହଣ ସ୍ଥାନ ଏବଂ ବ୍ୟବହାର ହେବାକୁ ଥିବା ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ମାଗିଛନ୍ତି ନିର୍ବାଚନ କମିଶନ ।

ଏପ୍ରିଲ ମାସରେ ଓଡିଶାରୁ ଖାଲି ହେଉଥିବା ୪ ରାଜ୍ୟସଭା ଭିତରୁ ଏବେ ୨ ଜଣ ବିଜେପିର ଓ ଦୁଇଜଣ ବିଜେଡିର ସଦସ୍ୟ ଅଛନ୍ତି । ଯଦିବା ୪ ଜଣ ଯାକ ସାଂସଦ ମମତା ମହାନ୍ତ, ସୁଜିତ କୁମାର, ମୁନା ଖାଁ ଓ ନିରଞ୍ଜନ ବିସି ବିଜେଡିର ଥିଲେ କିନ୍ତୁ ସେମାନଙ୍କ ଭିତରୁ ମମତା ମହାନ୍ତ, ସୁଜିତ କୁମାର ପରେ ବିଜେପିରେ ମିଶି ପୁଣି ରାଜ୍ୟସଭା ଯାଇଥିଲେ । ତେଣୁ ଏମାନଙ୍କ ଭିତରୁ କିଏ ରିପିଟ ହେବେ ନା ନୂଆ ଚେହେରା ରାଜ୍ୟ ସଭାକୁ ଯିବେ ତାକୁ ନେଇ ଚାଲିଛି ଅଙ୍କକଷା । ଯେଉଁସବୁ ନାଁ ଉପରେ ଆଲୋଚନା ହେଉଛି ସେମାନଙ୍କ ଭିତରୁ ବିଜେଡିର ସନ୍ତୃପ୍ତ ମିଶ୍ର, ସନ୍ତୋଷ ସତପଥୀଙ୍କ ନାଁ ଆଗରେ ରହିଛି ।

ସେହିଭଳି ବିଜେପିରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସମୀର ମହାନ୍ତି, ବସନ୍ତ ପଣ୍ଡା ଓ ଗୋଲେଖ ମହାପାତ୍ର ଆଦି ପ୍ରମୁଖ ନେତାଙ୍କ ନାଁକୁ ନେଇ ବି ଚର୍ଚା ହେଉଛି । ତେବେ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନକୁ ସହଜରେ ଜିତି ପାରିବେ । ଅସଲ ଖେଳ ହେବ ୪ର୍ଥ ଆସନ ପାଇଁ । କାରଣ ୪ର୍ଥ ଆସନ ପାଇଁ କାହାପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ । ସେହି ସିଟ୍ ରୁ ବିଜେପି ପକ୍ଷରୁ ଦିଲ୍ଲିପ ରାୟଙ୍କୁ ପ୍ରାର୍ଥି କରିଯାଇପାରେ ବୋଲି ପାୱାର କରିଡରେ ଚର୍ଚ୍ଚା ଚାଲିଛି ।

୧୦ ରାଜ୍ୟର ଖାଲି ପଡୁଥିବା ରାଜ୍ୟସଭା ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡୁର ୬ଟି, ପଶ୍ଚିମବଙ୍ଗର ୫ଟି, ତେଲଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୫ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି ।