ରୋହିତ କାନ୍ଧରେ ହାତ ରଖି କରିଥିଲେ ଭବିଷ୍ୟବାଣୀ, ବାସ୍ତବତାର ରୂପ ନେଲା ସଞ୍ଜୁଙ୍କ ଇନିଂସ

NEWS7
father-murdered-his-8-year-old-daughter-in-nuapada

ମୁମ୍ବାଇ, ୦୩ /୦୩: ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷ ନକ୍ ଆଉଟ୍ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ ବଳରେ ସୂର୍ଯ୍ୟ ସେନା ମ୍ୟାଚ୍ ଜିତିନେଇଛି । ଦୀର୍ଘଦିନ ଧରି ସଞ୍ଜୁଙ୍କ ବ୍ୟାଟ୍ ଶାନ୍ତ ଥିଲା । ସେ ଖେଳି ପାରୁ ନଥିଲେ । ଚୂଡାନ୍ତ ଏକାଦଶରେ ସାମିଲ କରୁନଥିଲା ଟିମ୍ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ତାଙ୍କ ବ୍ୟାଟ ଗର୍ଜନ କରିଛି । ସମସ୍ତ ସମାଲୋଚକଙ୍କ ପାଟି ସେ ବନ୍ଦ କରିଦେଇଛନ୍ତି । ଏହାରି ଭିତରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କ ପୁରୁଣା ବୟାନ ଭାଇରାଲ ହେଉଛି।

ଭାରତ ଆମେରିକା ବିପକ୍ଷରେ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଲିଗ୍ ମୁକାବିଲା ଖେଳିଥିଲା । ଏଥିରେ ରୋହିତ ଉପସ୍ଥିତ ଥିଲେ । ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ସଞ୍ଜୁଙ୍କୁ ସ୍ଥାନ ମିଳିନଥିଲା । ଏହି ସମୟରେ ରୋହିତ ପଡିଆକୁ ଆସିଥିଲେ । ସେ ସଞ୍ଜୁଙ୍କ ସହ କିଛି ମିନିଟ୍ କଥା ହୋଇଥିଲେ ।

ରୋହିତ ପ୍ରଥମେ ତାଙ୍କୁ କିପରି ଅଛ ବୋଲି ପଚାରିଥିଲେ । ହିଟମ୍ୟାନ୍ କହିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ବହୁତ ଲମ୍ବା ହେବାକୁ ଯାଉଛି । କେତେବେଳେ ବି ସୁଯୋଗ ମିଳିପାରେ । ଭଲ ଦିନ ଆସିବ । ଏହାସହ ଦୁଃଖି ନହେବାକୁ ରୋହିତ ସଞ୍ଜୁଙ୍କୁ କହିଥିଲେ । ତେବେ ରୋହିତଙ୍କ ଏହି କଥା ବାସ୍ତବତାର ରୂପ ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର ୮ ମ୍ୟାଚରେ ଭାରତ ହାରିବା ପରେ ସାମସନଙ୍କୁ ସୁଯୋଗ ମିଳିଥିଲା । ଜିମ୍ବାଓ୍ୱେ ବିପକ୍ଷରେ ସେ କିଛି ବଡ ସଟ୍ ଲଗାଇଥିଲେ । ଏବେ ଓ୍ୱେଷ୍ଟ୍ ଇଣ୍ଡିଜ ବିପକ୍ଷରେ ଦଳର ସଙ୍କଟ ମୋଚକ ହୋଇ ସେ ଟିମ୍ କୁ ସେମିରେ ପହଁଚାଇଛନ୍ତି ।

ଭାରତ ନକ୍ ଆଉଟ୍ ମ୍ୟାଚ୍ ଜିତିବା ପରେ ସଞ୍ଜୁ ରୋହିତ ଏବଂ ବିରାଟ କୋହଲିଙ୍କୁ ଶ୍ରେୟ ଦେଇଥିଲେ । ଦୁଇ ଭେଟେରାନଙ୍କଠୁ ସେ ବହୁତ କିଛି ଶିଖିଥିବା ପ୍ରକାଶ କରିଥିଲେ ।