ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ : ବିକଶିତ ଓଡିଶା ଲକ୍ଷ୍ୟକୁ ମିଳିବ ନୂଆ ଦିଗ

NEWS7
father-in-law-committed-suicide-after-attacking-daughter-in-law-in-jajpur

ଭୁବନେଶ୍ୱର, ୨୦/୦୨ : କେତେ ବଢ଼ିବ କାର୍ଯ୍ୟକ୍ରମ ଖର୍ଚ୍ଚ ବ୍ୟୟ ବରାଦ, ପୁଞ୍ଜି ଖର୍ଚ୍ଚ ବୃଦ୍ଧି ପାଇଁ କି ଉପାୟ କରାଯିବ? ରାଜ୍ୟର ନିରନ୍ତର ବିକାଶ ଦୌଡ଼କୁ ତ୍ୱରାନ୍ୱିତ କରିବା ପାଇଁ ସୀମିତ ସମ୍ବଳକୁ କେମିତି ବଣ୍ଟାଯିବ? ଆଗାମୀ ଆର୍ଥିକ ବର୍ଷ (୨୦୨୬-୨୭)ର ଆୟ ବ୍ୟୟ ଚିଠାରେ ଏସବୁ ପ୍ରଶ୍ନର ସମାଧାନ ବାଟ ଦେଖାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ ।

ମିଳିଥିବା ସୂଚନା କହୁଛି ବଜେଟ୍ ବ୍ୟୟ ବରାଦ ପାଖାପାଖି ୯ ପ୍ରତିଶତ ବଢ଼ିପାରେ । ବଜେଟ୍ ଆକାର ୩ ଲକ୍ଷ ୧୫ ହଜାର କୋଟି ଛୁଇଁବ । (୬୦%ରୁ ଅଧିକ) ବିକାଶମୂଳକ କାର୍ଯ୍ୟକ୍ରମରେ ବିନିଯୋଗ ହେବ । କାର୍ଯ୍ୟକ୍ରମ ଖର୍ଚ୍ଚ ୧୧ ପ୍ରତିଶତ ବଢ଼ିପାରେ । ଅଭିବୃଦ୍ଧିର ଇଂଜିନ୍ କୁହାଯାଉଥିବା ପୁଂଜି ଖର୍ଚ୍ଚ ବି ସମାନ ହାରରେ ବଢ଼ିବ । ରାଜସ୍ୱ ଆୟ ପାଖାପାଖି ୮ ପ୍ରତିଶତ ବଢ଼ି ୨ ଲକ୍ଷ ୫୦ ହଜାର କୋଟି ଟପିପାରେ । ଅବଶିଷ୍ଟ ସମ୍ବଳ ଋଣ ସୂତ୍ରରୁ ସଂଗ୍ରହ ହୋଇପାରେ । ସୀମିତ ସମ୍ବଳରେ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ବଳରେ ସବୁ କ୍ଷେତ୍ରର ସମାନୁପାତିକ ବିକାଶ ଚିଠା ପ୍ରସ୍ତାବରେ ଉଦ୍ୟମ ହୋଇଥିବା ଜଣାପଡ଼ିଛି ।

ରାଜ୍ୟର ନିଜସ୍ୱ ଟିକସ ସୂତ୍ରରୁ ୬୬ ହଜାର କୋଟି ଆୟ ହେବ ବୋଲି ୨୦୨୫-୨୬ ବଜେଟରେ ଆକଳନ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ଟିକସ ଆୟ ୧୦ ପ୍ରତିଶତ ବଢ଼ି ୭୨ ହଜାର କୋଟି ଡେଇଁପାରେ ଆଗାମୀ ଆର୍ଥିକ ବର୍ଷ । ଅଣଟିକସ ଆୟ ଚଳିତ ଆଥିର୍କ ବର୍ଷ ତୁଳନାରେ ପାଖାପାଖି ୯% ବଢ଼ି ୬୫ ହଜାର କୋଟି ଛୁଇଁପାରେ।

କେନ୍ଦ୍ରୀୟ ଟିକସ ଭାଗ ବାବଦରେ ମିଳିବ ୬୭ ହଜାର ୪୬୦ କୋଟି ଯାହା ଚଳିତ ଆର୍ଥିକ ବର୍ଷ ତୁଳନାରେ ୭% ଅଧିକ । ବଜେଟ ଆକଳନ ତୁଳନାରେ ୨୦୨୫-୨୬ରେ ୧୩୦୦ କୋଟି କମ୍ ମିଳିବ । ଆକଳନ ଥିଲା ୬୪ ହଜାର ୪୬୦ କୋଟି ମିଳିବ । କିନ୍ତୁ ସଂଶୋଧିତ ଆକଳନରେ ଏହାକୁ ୬୩ ହଜାର ୭୩ କୋଟି ଟଙ୍କାକୁ ଖସିଛି କେନ୍ଦ୍ର ବଜେଟରେ । କେନ୍ଦ୍ରୀୟ ଅନୁଦାନ ସୂତ୍ରରୁ ପାଖାପାଖି ୪୩ ହଜାର କୋଟି ଟଙ୍କା ମିଳିବ ବୋଲି ଅର୍ଥ ବିଭାଗ ଅନୁମାନ କରୁଛି । ଗତ ବଜେଟରେ ଆକଳନ ଥିଲା ୪୧ ହଜାର ୫୯୨ କୋଟି । ହେଲେ ଡିସେମ୍ବର ସୁଦ୍ଧା ମିଳିଛି ମାତ୍ର ୯ ହଜାର ୮୨୫ କୋଟି, ଯାହା ପାଖାପାଖି ୨୪% । ଷୋଡ଼ଷ ଅର୍ଥ କମିଶନଙ୍କୁ ସୁପାରିସରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୫ ବର୍ଷ ପାଇଁ ୧୧ ହଜାର ୮୬୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆସନ୍ତା ୫ ବର୍ଷ ଭିତରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୭ ହଜାର ୧୧୯ ଟଙ୍କା ଏବଂ ସ୍ୱାୟତ୍ତ ଶାସନ ସଂସ୍ଥାକୁ ୨୩ ହଜାର ୭୯୩ କୋଟି ଟଙ୍କା ହସ୍ତାନ୍ତର କରିବ କେନ୍ଦ୍ର ।ଏହା ସତ୍ତେ୍ୱ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ସମ୍ବଳ ରହିବ ନାହିଁ । ଋଣ ସୂତ୍ରରୁ ଏହାକୁ ଭରଣା କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।