କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ରାଜ୍ୟରେ ବିଶ୍ୱସ୍ତରୀୟ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ଲୋଡ଼ିଲେ ସହଯୋଗ

NEWS7
father-dies-of-sons-sword-wound

ଭୁବନେଶ୍ୱର: ରାଜ୍ୟରେ ବୈଜ୍ଞାନିକ ଭିତ୍ତିଭୂମି ଓ ନବସୃଜନର ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାରେ ଆଞ୍ଚଳିକ ବୈଜ୍ଞାନିକ ଲକ୍ଷ୍ୟ ହାସଲ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଅଭିବୃଦ୍ଧି ପାଇଁ ବିସ୍ତୃତ ଆଲୋଚନା ହୋଇଛି।

ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ମନ୍ତ୍ରୀ, କେନ୍ଦ୍ରୀୟ ସହାୟତା ଲୋଡ଼ିଛନ୍ତି । ଭୁବନେଶ୍ୱର ଉପକଣ୍ଠରେ ଏହି ସାଇନ୍ସ ସିଟି ପ୍ରତିଷ୍ଠା ପାଇଁ ୧୦୦ ଏକର ଜମି ଚିହ୍ନଟ କରାଯାଇଛି । ଏହା ଦ୍ୱାରା ଅତ୍ୟାଧୁନିକ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଓ ଶିକ୍ଷା ପାଇଁ ଏହି କେନ୍ଦ୍ର ଯୁବପିଢ଼ିଙ୍କୁ ପ୍ରେରଣା ଦେବାର ଲକ୍ଷ୍ୟ ରଖାଯାଇଛି ।ଏହି ଅବସରରେ ରାଜ୍ୟରେ ଷ୍ଟାର୍ଟ ଅପ୍ ଓ ଗବେଷଣାକୁ ପ୍ରୋତ୍ସାହନ ଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏଥିସହ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ଓ ବୁର୍ଲାସ୍ଥିତ ଭିସୁଟରେ ଉପଲବ୍ଧ ଗବେଷଣା ଓ ପ୍ରୟୋଗଶାଳାର ବୈଷୟିକ ବିଶେଷଜ୍ଞତାକୁ ଉପଯୋଗ କରି ଉପଗ୍ରହ ତଥ୍ୟ ପ୍ରୟୋଗ ଓ ଏହାର ଅଗ୍ରଗତି ଉପରେ ଗବେଷଣାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉପରେ ମଧ୍ୟ ଆଲୋଚନା ହୋଇଛି । ଏଥିସହ ଜାତୀୟ ଜୈବ ଇ-ଥ୍ରୀ ନୀତି ସହ ସମନ୍ୱୟ ରକ୍ଷାକରି ଓଡ଼ିଶାରେ ଜୈବ ଇ-ସେଲ୍ର ପ୍ରଚଳନ କରାଯିବା ପ୍ରସଙ୍ଗ ବୈଠକରେ ସ୍ଥାନ ପାଇଥିଲା । ଏହି କେନ୍ଦ୍ରଗୁଡ଼ିକ ଉଚ୍ଚକ୍ଷମତାସଂପନ୍ନ ଜୈବ ଉପାଦାନ, ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାକୁ ପ୍ରୋତ୍ସାହନ ଓ ଗବେଷଣା ଉପରେ ବିଶେଷ ଦୃଷ୍ଟି ଦେବ ।

ଉକ୍ତ ବୈଠକରେ ମନ୍ତ୍ରୀ ରାଜ୍ୟକୁ ସମସ୍ତ କ୍ଷେତ୍ରରେ ସହଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଡ. ସିଂହଙ୍କୁ ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏହି ଉତ୍ତମ ସମନ୍ୱୟ ଦ୍ୱାରା ଓଡ଼ିଶାକୁ ଭାରତରେ ଏକ ଅଗ୍ରଣୀ ବୈଜ୍ଞାନିକ ଓ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ନିମନ୍ତେ ସହଯୋଗ ମିଳିବ ବୋଲି କୃଷ୍ଣ ପାତ୍ର ଆଶାବ୍ୟକ୍ତ କରିଥିଲେ । ଅନୁରୂପ ଭାବେ ମନ୍ତ୍ରୀ ଡ. ସିଂହ ମଧ୍ୟ ବିକଶିତ ଭାରତ ଲକ୍ଷ୍ୟ ପୂରଣରେ ଓଡ଼ିଶାର ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।