କେନ୍ଦ୍ରାପଡା ୧୭/୦୭: ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ବ୍ୟବସ୍ଥାକୁ ନ୍ୟାୟ ମାଗି ନପାଇବାରୁ ଶେଷରେ ଜୀବନ ହାରିଥିଲେ । ସମାନ ଘଟଣାର ପୁନରାବୃତ୍ତି ହେବ କି କେନ୍ଦ୍ରାପଡ଼ାରେ? ଅପହୃତା ନାବାଳିକା ଝିଅକୁ ଉଦ୍ଧାର ପାଇଁ ପୁଲିସ ପାଖରେ ଗୁହାରି କରି ନ୍ୟାୟ ନପାଇବାରୁ ଶେଷରେ ବାପା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଚକଡ଼ା-ଗଗୁଆ ଗ୍ରାମରୁ ଏଭଳି ଅଭିଯୋଗ ଆସିଛି ।
ମାସାଧିକ କାଳ ପରେ ନିଜ ଅପହୃତା ଝିଅକୁ ନପାଇ ବିଷ ପିଇ ବାପା ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତି ସୁଦ୍ଧା ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଗତ ମେ ମାସ ୨୭ ତାରିଖରେ ମହାକାଳପଡ଼ା ବ୍ଲକ ତଥା ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଚକଡ଼ା-ଗଗୁଆ ଗ୍ରାମର କଳ୍ପତରୁ ଓଝାଙ୍କ ନାବାଳିକା ଝିଅଙ୍କୁ ସେହି ଗ୍ରାମର ଚଗଲା ଓରଫ ରାଜେନ୍ଦ୍ର ଜେନା ଅପହରଣ କରିନେଇଥିଲେ ।
ଏନେଇ କଳ୍ପତରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ସ୍ଥାନୀୟ ଆଇଆଇସି ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲେ । କେବଳ ମାମଲାଟିଏ ରୁଜୁ କରି ଚୁପ୍ ବସିଯାଇଥିଲେ । ସ୍ଥାନୀୟ ପୋଲିସଠାରୁ ନ୍ୟାୟ ଉପେକ୍ଷିତ ହୋଇ ପୀଡ଼ିତ ପରିବାର ନ୍ୟାୟ ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ଗୁହାରି କରିଥିଲେ । ଏସ୍ପି ଲିଖିତ ଅଭିଯୋଗ ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା ।
କିନ୍ତୁ ଅଭିଯୋଗକୁ ଦେଢ଼ ମାସ ବିତିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । କେବଳ ପୁଲିସ ନୁହେଁ³ ନାବାଳିକାଙ୍କ ବାପା-ମା’ ଏନେଇ ଗଗୁଆ ସରପଞ୍ଚ ଓ ସ୍ଥାନୀୟ ବିଧାୟକଙ୍କୁ ତାଙ୍କ ନିଜ ଘରେ ଭେଟି ମଧ୍ୟ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ କଥା ଶୁଣୁ ନଥିବା କହି ଝିଅକୁ ଉଦ୍ଧାର ପାଇଁ ନେହୁରା ହୋଇଥିଲେ । ହେଲେ କେଉଁଠୁ ବି ତାଙ୍କୁ ସାହାଯ୍ୟ, ସହଯୋଗ ମିଳିନଥିଲା ।
କେନ୍ଦ୍ରାପଡ଼ା ପୋଲିସର ନିଷ୍କ୍ରିୟତା ଏବଂ ନିଜ ଝିଅକୁ ଫେରି ପାଉ ନଥିବାରୁ ନିରାଶ ହୋଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କଳ୍ପତରୁ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ କଳ୍ପତରୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଛନ୍ତି, ସେ ଏହି ମାମଲାର ଅନୁଧ୍ୟାନ କରୁଛନ୍ତି । ସ୍ଥାନୀୟ ପୁଲିସ ସହ ଏନେଇ କଥା ହୋଇଛନ୍ତି । ନାବାଳିକାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ପୀଡ଼ିତାଙ୍କ ବାପା କେମିତି ସୁସ୍ଥ ହୋଇ ଫେରିବେ ସେ ଦିଗରେ ଅଧିକାରୀଙ୍କ ସହ ଆଲୋଚନା କରିଥିବା ସେ କହିଛନ୍ତି ।