ଶ୍ରୀନଗର: ଜମ୍ମୁ - କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ନ୍ୟାସନାଲ କନଫରେନ୍ସର ପ୍ରମୁଖ ଫାରୁକ୍ ଅବଦୁଲ୍ଲା ରାଜ୍ୟରେ ଆତଙ୍କବାଦକୁ ନେଇ ବିବାଦୀୟ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନରେ ଯେବେସୁଦ୍ଧା ସ୍ଥିତି ସୁଧୁରିବ ନାହିଁ, ସେପର୍ଯ୍ୟନ୍ତ କାଶ୍ମୀରରେ ଆତଙ୍କବାଦ କେବେ ବି ଶେଷ ହେବ ନାହିଁ।
ମିଡ଼ିଆ ସହ ଆଲୋଚନା କରି ସେ( ଫାରୁକ୍ ଅବଦୁଲ୍ଲା) କହିଛନ୍ତି, ମୁଁ ଦାବି କରୁଛି ଯେ, ଯେପର୍ଯ୍ୟନ୍ତ ଆମର ପଡୋଶୀ ଦେଶ ପାକିସ୍ତାନ ଏବଂ ସେଠାର ସ୍ଥିତିରେ ସୁଧାର ନଆସିଛି , ଏଠାରେ ମିଲିଟାନ୍ସି କେବେ ଶେଷ ହେବ ନାହିଁ। ଅନ୍ୟପଟେ, ଜମ୍ମୁ-କାଶ୍ମୀରରେ ପାଞ୍ଚ ଅଗଷ୍ଟକୁ ନେଇ ସୁରକ୍ଷା କଡ଼ାକଡ଼ି କରି ଦିଆ ଯାଇଛି। ପାଞ୍ଚ ଅଗଷ୍ଟ, ୨୦୧୯ରେ ଜମ୍ମୁ ଓ କାଶ୍ମୀରର ଅନୁଚ୍ଛେଦ - ୩୭୦ଅନୁସାରେ ଦିଆଯାଇଥିବା ସ୍ୱତନ୍ତ୍ର ସ୍ଥିତିକୁ ରଦ୍ଦ କରି ଦିଆ ଯାଇଥିଲା।
ଚଳିତ ବର୍ଷର ଆରମ୍ଭରୁ ଏବେସୁଦ୍ଧା ସୁରକ୍ଷାକର୍ମୀମାନେ ଜମ୍ମୁ-କାଶ୍ମୀରରେ ୫୯ ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି। ଏଥିରେ ୩୧ ଜଣ ଆତଙ୍କୀ ପାକିସ୍ତାନୀ ଓ ୨୮ ଟି ସ୍ଥାନୀୟ ଆତଙ୍କୀ ଥିଲେ। ଏହି ସଂଖ୍ୟା ଗୃହ ମନ୍ତ୍ରଣାଳୟ ଓ ମିଡ଼ିଆର ଖବର ଅନୁସାରେ ଆସିଛି।୨୨ ଅପ୍ରେଲରେ ପାକିସ୍ତାନୀ ଆତଙ୍କୀମାନେ ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରି ଦେଇ ଥିଲେ। ଏହି ଆତଙ୍କୀ ହମଲା ପରେ ସୁରକ୍ଷାବାହିନୀ ଆତଙ୍କୀଙ୍କ ଉପରେ ବଡ଼ ଆକ୍ରମଣ କରୁଛି। ୨୨ ଅପ୍ରେଲ ପରେ ୬ଟି ଭିନ୍ନ ଭିନ୍ନ ଗୁଳି ବିନିମୟରେ ୨୧ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।
ପହଲଗାମ ଆକ୍ରମଣ ପରେ ୨୪-୨୫ ଅପ୍ରେଲରେ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ,ଏହିପରି ଆତଙ୍କବାଦୀ ହମଲା ମାନବତା ବିରୁଦ୍ଧ। ସେ ଆତଙ୍କ ବିରୋଧରେ ସ୍ଥାନୀୟ ଲୋକଙ୍କୁ ଏକାଠି ହେବାକୁ ଅପିଲ କରି ଥିଲେ।
୧ରୁ ୩ ମେ ମଧ୍ୟରେ , ସେ ମିଡ଼ିଆ ସହ କଥାବାର୍ତ୍ତା ବେଳେ ଏହି ଆକ୍ରମଣ ପାଇଁ ସୁରକ୍ଷା ଓ ଗୁଇନ୍ଦା ତନ୍ତ୍ରର ତ୍ରୁଟିକୁ ମୁଖ୍ୟ ଦାୟୀ କରାଇ ଥିଲେ। ସେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିବାର ନିଷ୍ପତ୍ତି ଉପରେ ଭାରତ ସରକାରଙ୍କୁ ଏହି ମାମଲାରେ ପୁନର୍ବାର ବିଚାର କରିବା କଥା କହି ଥିଲେ। ୨୭ ମେ’ରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ବେଳେ ଫାରୁକ୍ ଅବଦୁଲ୍ଲା କହିଥିଲେ ଯେ, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ , ଯୁଦ୍ଧ କେବଳ ବିନାଶ ଆଡ଼କୁ ନେଇଯାଏ।