ଭୁବନେଶ୍ଵର: ମିଛ ତଥ୍ୟ ଦେଇଥିବା ଚାଷୀଙ୍କୁ ହେବ କାରଣ ଦର୍ଶାଅ ନୋଟିସ । ୭ଦିନ ଭିତରେ ଉତ୍ତର ନରଖିଲେ ବର୍ଷେ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍ ପଡ଼ିବେ । ଜମିରେ ଚାଷ ନକରି ଧାନ ସଂଗ୍ରହ ପାଇଁ କରିଥିଲେ ପଞ୍ଜିକରଣ । ୨୦୨୪-୨୫ ରବି ଋତୁରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ । ପୋଲ୍ ଖୋଲିଦେଲା ସାଟେଲାଇଟ୍ ସର୍ଭେ ।
ସାଟେଲାଇଟ୍ ସର୍ଭେରୁ ଜଣାପଡ଼ିଥିଲା ଯେ, ୧ଲକ୍ଷ ୮୦ହଜାରରୁ ଅଧିକ ପ୍ଲଟରେ ଧାନ ଚାଷ ହୋଇନଥିଲା । ସେଥି ମଧ୍ୟରୁ ଯେଉଁ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ ସେମାନଙ୍କୁ ଏବେ କାରଣ ଦର୍ଶାଅ ନୋଟିସର ଜବାବ୍ ଦେବାକୁ ପଡ଼ିବ । ବର୍ତ୍ତମାନ ଯେତେବେଳେ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଚାଲିଛି। ସେତେବେଳେ ନକଲି ଚାଷୀଙ୍କୁ ତାଲିକାରୁ ହଟାଇବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର। ଅନେକ ଚାଷୀ କେବଳ କାଗଜପତ୍ରରେ ଚାଷ କରି ଧାନ ବିକ୍ରି କରିବା ସହ ବିଭିନ୍ନ ଯୋଜନାରେ ସରକାରୀ ସହାୟତା ହାତେଇ ନେଉଛନ୍ତି । ଏଭଳି ଚାଷୀ ତାଲିକାରୁ ବାଦ୍ ପଡ଼ିଲେ ଯାଇଁ ପ୍ରକୃତ ଚାଷୀ ସରକାରୀ ସୁବିଧାର ଫାଇଦା ପାଇପାରିବେ ।
ସେପଟେ ଧାନ ବିକ୍ରି ପାଇଁ ଉଦ୍ଦିଷ୍ଟ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଦେଖାଦେବାରେ ଲାଗିଛି ଅସନ୍ତୋଷ। ବ୍ୟବସ୍ଥାର ଜଟଳି ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣ କରିପାରୁନଥିବା ଅଭିଯୋଗ କରିଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଲେଣି। ସେପଟେ ଯୋଗାଣମନ୍ତ୍ରୀ କହିଛନ୍ତି ଜାଲ ଚାଷୀ ଓ ଅବ୍ୟବସ୍ଥା ହଟାଇବା ଲାଗି ଇ କେୱାଇସି ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଏପଟେ ଚାଷୀଙ୍କ ଏଭଳି ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେଡି କହିଛି ସରକାର ଯେଉଁ ଧାନ ବିକିବା ପାଇଁ ଯେଉଁ ପଞ୍ଜୀକରଣ ନିୟମ କରିଛନ୍ତି ଏଥିରେ ବାସ୍ତବତା ନାହିଁ। ସରକାର କୁଇଣ୍ଟାଲ ପିଛା ୮ଶହ ଟଙ୍କା ଇନପୁଟ ସିବସିଡ ଦେଉଛନ୍ତି । ଆର୍ଥିକ ବୋଝ ପଡୁଛି ବୋଲି ଏଭଳି ନିୟମ କରି ଚାଷୀଙ୍କୁ ନାଁ କାଟୁଛନ୍ତି। ଏପଟେ କଂଗ୍ରେସ କହିଛି ଇକେଓ୍ବାସି ନାଁରେ ସରକାର ଚାଷୀଙ୍କୁ ହଇରାଣ କରୁଛନ୍ତି।
ଏପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ଦଲାଲ ମାନଙ୍କୁ ରୋକିବାକୁ ସରକାର୍ ଇ କେୱାଇସି ବ୍ୟବସ୍ଥା କରିଛନ୍ତି। ବ୍ୟବସ୍ଥାକୁ ସରଳ କରିଛନ୍ତି। କାହାକୁ ହଇରାଣ କରିବା ଉଦ୍ଦେଶ୍ୟ ନାହିଁ, ଯେଉଁଠି ଅଭିଯୋଗ ଆସିବ ଯେ ଫର୍ମ ଗ୍ରହଣ ହେଉନି ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାଗ ଚାଷୀ ମଧ୍ୟ ମାଲିକଠାରୁ ଲେଖା ଆଣିବେ। ତାହେଲେ ତାଙ୍କର ମଧ୍ୟ ପଞ୍ଜିକରଣ ହୋଇପାରିବ । ପ୍ରକୃତ ଚାଷୀଙ୍କୁ ଚିହ୍ନିବା ଏବଂ ଦଲାଲଙ୍କୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।