‘ପିଲାଙ୍କ ପାଇଁ ଅଷ୍ଟ୍ରେଲିଆ ପରି ସୋସିଆଲ୍ ମିଡିଆ ଉପରେ କଟକଣା ଜରୁରୀ’, ମାଦ୍ରାସ ହାଇକୋର୍ଟଙ୍କ କେନ୍ଦ୍ରକୁ ପରାମର୍ଶ

NEWS7
famous-singer-darshan-raval-tied-the-knot

ନୂଆଦିଲ୍ଲୀ: ଦେଶରେ ୧୬ ବର୍ଷରୁ କମ ପିଲାଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରଖିବା ପାଇଁ ଅଷ୍ଟ୍ରେଲିଆ ପରି ଆଇନ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ମାଦ୍ରାସ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ନିକଟରେ ଅଷ୍ଟ୍ରେଲିଆ ଏକ ଆଇନ ପ୍ରଣୟନ କରି ୧୬ ବର୍ଷରୁ ସାନ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ ଓ ଟିକଟକ୍ ଉପରେ ବ୍ୟାନ ଲଗାଇଛି । ଜଷ୍ଟିସ୍ ଜି ଜୟଚନ୍ଦ୍ରନ ଓ ନ୍ୟାୟମୂର୍ତ୍ତି କେ.କେ ରାମ କୃଷ୍ଣନଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଡିସେମ୍ୱର ୨୩ରେ ଇଣ୍ଟରନେଟରେ ଅଶ୍ଲୀଳ ସାମଗ୍ରୀର ସହଜ ଉପଲବ୍ଧ ଉପରେ ଏକ ଆବେଦନ ଶୁଣାଣି ବେଳେ କରିଥିଲେ ।

କୋର୍ଟ କହିଥିଲେ, ଭାରତ ସରକାର ସଂସଦରେ ଅଷ୍ଟ୍ରେଲିଆ ପରି ଆଇନ ପାରିତ କରିବା ଉପରେ ବିଚାର କରିବା ଦରକାର । ଯେପର୍ଯ୍ୟନ୍ତ ଏପରି ଆଇନ ପାସ୍ ନହୋଇଛି, ଆୟୋଗ ଏପରି ସାମଗ୍ରୀ ପାଇଁ ସମସ୍ତ ସୋସିଆଲ୍ ମିଡିଆ ଜରିଆରେ ସଚେତନା କାର୍ଯ୍ୟକ୍ରମ କରିବା ଦରକାର । ସେ ଆମେ ଆଶା କରୁଛୁ ଯେ ଆୟୋଗ (ଶିଶୁ ସୁରକ୍ଷା ଅଧିକାର ପାଇଁ) ଦୁଇ ରାଜ୍ୟ ଓ କେନ୍ଦ୍ର ଏହି ମାମଲାରେ ଏକ ଯୋଜନା କରିବେ ଏବଂ ତାହାକୁ ଲାଗୁ କରିବେ ।

ମଦୁରାଇ ନିବାସୀ ଏସ୍ ବିଜୟକୁମାର ୨୦୧୮ରେ ଏକ ଜନସ୍ୱାର୍ଥ ମାମଲାର ଦାୟର କରିଥିଲେ, ଯେଉଁଥିରେ ସେ ଛୋଟ ପିଲାଙ୍କ ପାଇଁ ସହଜରେ ଅଶ୍ଲୀଳ ସାମଗ୍ରୀର ଉପଲବ୍ଧତା ଓ ପହଞ୍ଚ ଉପରେ ଚିନ୍ତା ପ୍ରକାଶ କରିଥିଲେ । ଜନସ୍ୱାର୍ଥ ମାମଲାରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଓ ତାମିଲନାଡ଼ୁ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ନିକଟରେ ଏକ ବିଶେଷ ଅନୁରୋଧ କରାଯାଇଥିଲା । ଏଥିରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ପ୍ୟାରେଣ୍ଟାଲ ୱିଣ୍ଡୋ ସିଷ୍ଟମ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଓ ଲୋକଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରାଯାଇଥିଲା । ଆବେଦନରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ISPs)ମାନଙ୍କୁ ୟୁଜର୍ ଆଇଡିଗୁଡ଼ିକୁ ପ୍ୟାରେଣ୍ଟାଲ୍ ନିୟନ୍ତ୍ରଣ କିମ୍ବା "ପ୍ୟାରେଣ୍ଟାଲ୍ ୱିଣ୍ଡୋ" ସୁବିଧା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା ।

ଅଷ୍ଟ୍ରେଲିଆ ନିକଟରେ ଏକ ଆଇନ ପାସ୍ କରିଛି । ଏହା ଅନୁଯାୟୀ ସୋସିଆଲ ମିଡିଆ କମ୍ପାନିଗୁଡ଼ିକ ୧୬ ବର୍ଷରୁ କମ୍ ବୟସର ପି​​​​​ଲାମାନଙ୍କୁ ସେମାନଙ୍କ ପ୍ଲାଟଫର୍ମରେ ଆକାଉଣ୍ଟ କରିବାକୁ ଦେବେ ନାହିଁ । ଯଦି ଏଥିରେ ଉଲ୍ଲଂଘନ ହୁଏ ତେବେ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ । ତେବେ ଏହି ଆଇନ ପିଲାମାନଙ୍କୁ କିମ୍ବା ସେମାନଙ୍କ ଅଭିଭାବକଙ୍କୁ ଦଣ୍ଡିତ କରିବ ନାହିଁ ।

ଆବେଦନକାରୀଙ୍କ ଓକିଲ ଅଷ୍ଟ୍ରେଲିଆରେ ପାରିତ ଆଇନକୁ ଉଲ୍ଲେଖ କରିଥିଲେ । ଭାରତ ସରକାର ସମାନ ଆଇନ ପ୍ରଣୟନ କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟପଟେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ ଓକିଲ କହିଥିଲେ, ସେମାନେ ଏକ ଅଲଗା ଆଇନ ଅଧୀନରେ ଆସୁଛନ୍ତି । କୋର୍ଟକୁ ଅବଗତ କରାଇଥିଲେ ଯେ ସମୟ ସମୟରେ ସ୍ଥିତିର ସମୀକ୍ଷା କରାଯାଏ ଏବଂ ଆଇଟି ନିୟମ ୨୦୨୧ ଅନୁଯାୟୀ, ଯଦି ସମ୍ପୃକ୍ତ ଆଇଏସପିଗୁଡ଼ିକ ଆପତ୍ତିଜନକ ୱେବସାଇଟ୍ ବିଷୟରେ ଜାଣନ୍ତି, ତେବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ଏବଂ ସେଗୁଡ଼ିକୁ ବନ୍ଦ କରାଯାଏ। 

କମିଶନକୁ ଆଇନା ଦେଖାଇଲେ କୋର୍ଟ

ମାଦ୍ରାସ ହାଇକୋର୍ଟ ଚିନ୍ତା ପ୍ରକାଶ କରିଥିଲେ ଯେ ଶିଶୁ ଅଧିକାର ଆୟୋଗ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ, ୨୦୦୫ ଅନୁଯାୟୀ ଏହାର କର୍ତ୍ତବ୍ୟ ଉପଯୁକ୍ତ ଭାବରେ ପାଳନ କରୁନାହିଁ । କୋର୍ଟ କହିଥିଲେ, "ସମାଜର ବିଭିନ୍ନ ବର୍ଗକୁ ଶିଶୁ ଅଧିକାର ଏବଂ ଏହି ଅଧିକାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ବିଷୟରେ ଶିକ୍ଷା ଦେବା କମିଶନର ସାମ୍ବିଧାନିକ କର୍ତ୍ତବ୍ୟ ଏବଂ ଦାୟିତ୍ୱ । ସ୍କୁଲଗୁଡ଼ିକରେ କିଛି ସଚେତନତା ଅଭିଯାନ କରାଯାଏ । କିନ୍ତୁ ଏହି ଅଭିଯାନଗୁଡ଼ିକ ଯଥେଷ୍ଟ ନୁହେଁ ।" କୋର୍ଟ କହିଥିଲେ ଯେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠରେ ସେ ଅସନ୍ତୁଷ୍ଟ ଏବଂ ଆଇନର ବ୍ୟବସ୍ଥା ଅନୁଯାୟୀ ଦାୟିତ୍ୱକୁ ଉପଯୁକ୍ତ ଭାବରେ ନିର୍ବାହ କରୁନାହିଁ ।

କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ପରାମର୍ଶ

କୋର୍ଟ ବ୍ୟାପକ ନିର୍ଦ୍ଦେଶାବଳୀ ଜାରି କରିବାରୁ ନିବୃତ୍ତ ରହି ଉଲ୍ଲେଖ କରିଥିଲେ ଯେ ସୁପ୍ରିମକୋର୍ଟ ଗତ ବର୍ଷ ସମାନ ମାମଲାରେ ଶିଶୁ ଯୌନ ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଧିକାର ସମ୍ପର୍କରେ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇସାରିଛନ୍ତି । କୋର୍ଟ କହିଥିଲେ, "ଏହି ଉଦ୍ଦେଶ୍ୟରେ, ଶିଶୁ ପର୍ଣ୍ଣୋଗ୍ରାଫିର ବିପଦ ଏବଂ ଏହାକୁ ରୋକିବା ପାଇଁ ପଦକ୍ଷେପ ବିଷୟରେ ବ୍ୟବହାରକାରୀଙ୍କୁ ସଚେତନ କରିବା ଅତ୍ୟନ୍ତ ଜରୁରୀ । ଶେଷରେ,ଏପରି ଘୃଣ୍ୟ ସାମଗ୍ରୀକୁ ପ୍ରବେଶ କରିବା କିମ୍ବା ଏଡ଼ାଇବା ଏକ ବ୍ୟକ୍ତିଗତ ପସନ୍ଦ ଏବଂ ଅଧିକାର । ପିଲାମାନଙ୍କ କ୍ଷେତ୍ରରେ ସେମାନଙ୍କର ଦୁର୍ବଳତା ଅଧିକ, ତେଣୁ ବାପାମାଆଙ୍କ ଦାୟିତ୍ୱ ଆହୁରି ଅଧିକ ।"