ନୂଆଦିଲ୍ଲୀ: ଗତ ୩ ବର୍ଷ ହେଲା ସେ ମୁମ୍ବାଇରେ ଥିବା ଏକ ଫ୍ଲାଟ୍ରେ ନିଜକୁ କବାଟ କିଳି ରଖିଥିଲେ। ବଞ୍ଚିବା ପାଇଁ ଫୁଡ୍ ଡେଲିଭରି ଆପ୍ ମାଧ୍ୟମରେ ଖାଇବା ମଗାଉଥିଲେ, ଖାଇବା ନେଇ ସାରି ପୁଣି ଭିତରେ ନିଜକୁ ଲକ୍ କରି ଦେଉଥିଲେ। ଅବସ୍ଥା ଏମିତି, ଦେଖିଲେ ସାଧାରଣ ଲୋକଟେ ଡରିଯିବ। ମୁହଁ ସାରା ଦାଢ଼ି, ମୁଣ୍ଡରେ ଅଠା ଭଳି ବସିଯାଇଥିବା ଚୁଟି। ଭୂତନାଥ ସିନେମାରେ ଅମିତାଭ ବଚ୍ଚନଙ୍କ ପରି ହାତରେ ବଡ଼ ବଡ଼ ଓ ମଳିଛିଆ ନଖ। ପାଦରେ ସଂକ୍ରମଣ। ଘର ସାରା ଖେଳାଇହୋଇ ପଡ଼ିଛି ଅଳିଆ ଆଉ ଆଳିଆ। ଖବର ପାଇ ଏନ୍ଜିଓ ସଂସ୍ଥା ଯେତେବେଳେ ଘରେ ପଶିଥିଲା ସେତେବେଳେ ଦେଖିବାକୁ ପାଇଥିଲା ଏଭଳି ଦୃଶ୍ୟ। ପାଗଳ ପ୍ରାୟ ଦେଖାଯାଉଥିବା ଏହି ବ୍ୟକ୍ତି ହେଲେ ପୂର୍ବତନ କମ୍ପ୍ୟୁଟର ପ୍ରୋଗ୍ରାମର ଅନୁପ କୁମାର ନାୟର। ହେଲେ ତାଙ୍କର ଏଭଳି ଅବସ୍ଥା ହେଲା କେମିତି ?
ଏକଲାପଣ, ବିଶାଦ, ଅବସାଦ ଯେ ଗୋଟେ ଟେକ୍ ସେଭି ମଣିଷକୁ ଏମିତି କରିଦେବ କେହି ଭାବିପାରୁ ନଥିଲେ। ଗତ ସପ୍ତାହରେ ନଭୀ ମୁମ୍ବାଇରେ ଥିବା ଏକ ଆପାର୍ଟମେଣ୍ଟରୁ ୫୫ ବର୍ଷୀୟ ଅନୁପଙ୍କୁ ଏଭଳି ଅବସ୍ଥାରେ ଉଦ୍ଧାର କରିଥିଲା ମହାରାଷ୍ଟ୍ର ପାନଭେଲର SEAL ନାମକ ଏକ ଏନ୍ଜିଓ ସଂସ୍ଥା। ଅନୁପ ଗୁରୁତର ମାନସିକ ଅବସାଦରେ ପୀଡିତ ଏବଂ ମାନସିକ ଆଘାତ ଓ ଅବସାଦ ଯୋଗୁ ସେ ନିଜକୁ ନିଜ ଇଚ୍ଛାରେ ବାହାର ଦୁନିଆ ଠାରୁ ଅଲଗା କରିଦେଇଥିଲେ।
ସିଲ୍ ସାମାଜିକ କର୍ମୀଙ୍କ ସୂଚନା ଅନୁସାରେ, ଅନୁପ ଜୁଇନଗରର ସେକ୍ଟର ୨୪ ସ୍ଥିତ ଘରକୁଲ ସୋସାଇଟିରେ ରହୁଥିଲେ। ସେ ୩ ବର୍ଷ ହେଲା ଘରୁ ବାହାରୁ ନଥିଲେ। କେବଳ ଫୁଡ ଡେରିଭରି ଆପ୍ରେ ଖାଇବା ଅର୍ଡର କଲା ବେଳେ ତାଙ୍କର ବାହ୍ୟ ଜଗତ ସହିତ ଅଳ୍ପ ସମୟ ପାଇଁ ସମ୍ପର୍କ ହେଉଥିଲା। ତା’ ପରେ ସେ ପୁଣି ତାଙ୍କର ଏକଲାପଣକୁ ଫେରିଯାଉଥିଲେ। ପଚରାଉଚରା ପରେ ଜଣାପଡ଼ିଥିଲା ଯେ ନାୟରଙ୍କ ବ୍ୟକ୍ତିଗତ ଜୀବନରେ ଯେଉଁ ଦୁଃଖର ଝଡ଼ ସୃଷ୍ଟି ହୋଇଛି, ସେଥିପାଇଁ ଆଜି ତାଙ୍କର ଏ ଅବସ୍ଥା। ଗତ କିଛି ବର୍ଷ ତଳେ ଅନୁପଙ୍କ ବାପାମା ଆରପାରିକୁ ଚାଲିଯାଇଥିଲେ। ଦୁଇ ଦଶନ୍ଧୀ ତଳେ ଅନୁପଙ୍କ ବଡ଼ ଭାଇ ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଥିଲେ।
ପରିବାରର ଗୋଟିଏ ପରେ ଗୋଟିଏ ସଦସ୍ୟ ତାଙ୍କୁ ଛାଡ଼ି ଚାଲିଯିବା ପରେ ଦୁଃଖ ଯନ୍ତ୍ରଣାରେ ଭାଙ୍ଗି ପଡ଼ିଥିଲେ ଅନୁପ। ପରିବାର ଲୋକଙ୍କୁ ହରାଇବାର ଦୁଃଖ ସାଂଗକୁ ଓଜନିଆ ଏକଲାପଣ ଲଦି ହୋଇପଡ଼ିଲା ତାଙ୍କ ଶୋକସନ୍ତପ୍ତ ମାନସିକତା ଉପରେ। ମାନସିକ ଚାପରେ ଧୀରେଧୀରେ ସେ ଦୁନିଆ ସହ ଅଲଗା ହୋଇଗଲେ। ବନ୍ଧୁ, ପଡ଼ୋଶୀ ଏବଂ ସମାଜଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ବୋଧହୁଏ ସେତେବେଳେ ତାଙ୍କ ସାଥି ଅନୁପଙ୍କୁ କଲ୍ କରିଥିବେ, ପଡ଼ୋଶୀ ମିଶିବାକୁ ଚାହିଁ ଥିବେ। ହେଲେ ଅନୁପଙ୍କ ନିରବତା ବୋଧହୁଏ ସମସ୍ତଙ୍କୁ ବୋର୍ କରିଦେଇଥିବ। ଆଉ ସେମାନେ ତାଙ୍କୁ ତାଙ୍କ ବାଟରେ ସେମିତି ଛାଡ଼ି ଦେଇଥିବା ସମ୍ପୂର୍ଣ୍ଣ ଏକା। ଯେଉଁଥିପାଇଁ ଆଜି ତାଙ୍କର ଏ ଅବସ୍ଥା।
ଅନୁପଙ୍କ ଏଭଳି ଅବସ୍ଥା ଦେଖି ଜଣେ ପଡ଼ୋଶୀ ଏନ୍ଜିଓ ସଂଗଠନ ସିଲକୁ ଜଣାଇବା ପରେ ସଂସ୍ଥା ଆସି ତାଙ୍କୁ ଆପାର୍ଟମେଣ୍ଟର ସେହି ବନ୍ଦ କୋଠରୀରୁ ଉଦ୍ଧାର କରି ଡାକ୍ତରଖାନାରେ ବର୍ତ୍ତି କରାଇଛି। ତାଙ୍କ ମାନସିକ ଅବସ୍ଥାରେ ସୁଧାର ଆସୁଥିବା ଡାକ୍ତରମାନେ କହିଛନ୍ତି। ଅନୁପଙ୍କ ବିଷୟରେ ଘରକୂଲ ସୋସାଇଟିର ଅଧ୍ୟକ୍ଷ ବିଜୟ ଶିବେ କହିଛନ୍ତି ଯେ ସେ ବହୁତ କମ୍ ସମୟ ପାଇଁ ତାଙ୍କ ଦ୍ୱାର ଖୋଲୁଥିଲେ। କେବେ ଅଳିଆ ଫିଙ୍ଗୁ ନଥିଲେ। ବେଳେ ବେଳେ ଆମେ ତାଙ୍କୁ ଛୋଟ ଛୋଟ କଥାରେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲୁ। ଯେତେବେଳେ ସମ୍ଭବ ହେଉଥିଲା ଆର୍ଥିକ ସହାୟତା ମଧ୍ୟ ଦେଇଥିଲୁ। କିନ୍ତୁ ମାମଲା ଗମ୍ଭୀର ଜଣାପଡ଼ିବା ପରେ ଚିନ୍ତା ବଢ଼ିଥିଲା"
ତେବେ ଘଟଣା ବିଷୟରେ ଏନଜିଓ ସଂସ୍ଥାକୁ ଖବର ଦେଇଥିବା ନିଖିଲ ମରାଠେ କିନ୍ତୁ ସମାଜର ଏଭଳି ଅବସ୍ଥା ଦେଖି ଚିନ୍ତା ପ୍ରକଟ କରିଥିଲେ। ଚୁପଚାପ କାହାକୁ ଏମିତି ଖରାପ ହେଉଥିବା ଦେଖିବା ସତରେ ହୃଦୟ ବିଦାରକ। ଆମ ଚାରିପାଖରେ ଏକା ରହୁଥିବା ଲୋକଙ୍କ ବିଷୟରେ ଆମ ସମସ୍ତଙ୍କୁ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି।" ବର୍ତ୍ତମାନ, ନାୟର ପାନଭେଲର SEAL ଆଶ୍ରମରେ ଚିକିତ୍ସା ଏବଂ ଆଶ୍ରୟ ନେଇଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ବି ମାନସିକ ଭାବରେ ଦୁର୍ବଳ ଅଛନ୍ତି ତେବେ ଡାକ୍ତର ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନେ କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତାରେ ଉନ୍ନତି ପରିଲଖିତ ହେଉଛି। ଆଶ୍ରମରେ ତାଙ୍କ ଯତ୍ନ ନେଉଥିବା ଲୋକ ନାୟରଙ୍କ ସହ କଥା ହେବା ପରେ ନାୟାର କହିଥିଲେ, "ମୋ ବାପାମା ଆଉ ନାହାନ୍ତି, ମୋ ଭାଇ ଆଉ ନାହାନ୍ତି, ଏବଂ ମୋର କୌଣସି ବନ୍ଧୁ ନାହାନ୍ତି। ମୋର ସ୍ୱାସ୍ଥ୍ୟ ମଧ୍ୟ ଭଲ ନାହିଁ। ତେଣୁ ନୂଆ ଆରମ୍ଭ ପାଇଁ କୌଣସି ସୁଯୋଗ ନାହିଁ।"
ଖାଲି ଅନୁପ କାହିଁକି, ଏମିତି ଅନେକ ଲୋକ କେଉଁଠି ନା କେଉଁଠି ବିଷାଦ, ଅବସାଦରେ ଥାଇ ଓଜନିଆ ଏକଲାପଣ ସହ ଯୁଝୁଥିବେ। ଯାହାଙ୍କୁ ଖୋଜିବାକୁ ହୁଏତ କାହା ପାଖରେ ତର ନଥିବ। କେହି କେହି ଥରେ ଦୁଇଥର କଲ୍ କରିଥିବେ,ଭେଟିବାକୁ ଚେଷ୍ଟା କରିଥିବେ, ହେଲେ ପରେ ଭୁଲି ଯାଇଥିବେ। ଆଖି ଅଗରେ କେହି ଜଣେ ଏମିତି ଅନୁପଙ୍କ ଭଳି ବର୍ଷ ବର୍ଷ ମାସ ମାସ ଧୀରେ ଧୀରେ ନିଜର ସଂଜ୍ଞା ହରାଇ ପରିଚୟ ଖୋଜିବୁଲୁଥିବା ଦୁନିଆ ବାଟରେ। ସବୁକିଛି ଯେମିତିକି ସେମିତି ଚାଲିଥିବ। ଏସବୁ ଦେଖିଲେ ଲାଗେ ଯେମିତି ମଣିଷ ଖୁବ୍ଶୀଘ୍ର ମଣିଷପଣିଆ ଠାରୁ ବୋର୍ ହେଇଯାଉଛି। କାହା ସହ ସୁଖଦୁଃଖ ବାଣ୍ଟିବାକୁ ଇଚ୍ଛା ହଉନି। ଯିଏ ଯେମିତି ଥାଉ ଟିକେ ମୋର ଯାଏ ଆସେ ନାହିଁ....। ଏମିତିରେ କେତେ ଦିନ ଆମେ ବଞ୍ଚି ପାରିବା...? ଆମେ ପରା ମଣିଷ.. ଏକଥା ଥରେ ଭାବିବା ଉଚିତ୍