ଗତବର୍ଷରୁ ଗଠନ ହୋଇଛି ‘ଆଣ୍ଟି କ୍ୱାକେରୀ ସେଲ୍’, କିନ୍ତୁ ରାଜ୍ୟରେ ବଢ଼ିଚାଲିଛି ନକଲି ଡାକ୍ତରଙ୍କ ଉତ୍ପାତ

Published By : Prameya-News7 Bureau | July 30, 2025 IST

ଭୁବନେଶ୍ୱର ୩୦।୭: ରାଜ୍ୟରେ ନକଲି  ଡାକ୍ତରଙ୍କ ଉତ୍ପାତ ବଢ଼ିଚାଲିଛି । କାର୍ଯ୍ୟାନୁଷ୍ଠାନ  ଭୟ ନଥିବାରୁ ସେମାନଙ୍କ ଚେର କୋଣ ଅନୁକୋଣରେ ଲମ୍ବି ଚାଲିଛି । ସେମାନଙ୍କ ପାଖରେ  ଚିକିତ୍ସା ହୋଇ ରୋଗୀ ଭଲ ହେବା ପରିବର୍ତ୍ତେ  କଷ୍ଟ ବଢ଼ିଯାଉଛି । ଭୁଲ ଚିକିତ୍ସା ପାଇଁ ଜୀବନ  ମଧ୍ୟ ଯାଉଛି । ଏଳଭି ସମ୍ବେଦଶୀଳ ଘଟଣାରେ  ସ୍ୱାସ୍ଥ୍ୟ ବିଭାଗ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଛି । ରାଜ୍ୟରେ ନକଲି ଡାକ୍ତରଙ୍କୁ ଧରିବା  ପାଇଁ ୨୦୨୪ ଏପ୍ରିଲ୍‌ ୨୪ରେ ‘ଆଣ୍ଟି କ୍ୱାକେରୀ  ସେଲ’ ଗଠନ ହୋଇଛି । ହେଲେ ଏହି ସେଲ୍‌  କେବଳ କାଗଜକଲମରେ ସୀମିତ ହୋଇରହିଛି । ଆଦିବାସୀ ବହୁଳ ଜିଲ୍ଲା ଗ୍ରାମାଞ୍ଚଳରେ  ନକଲି ଡାକ୍ତରଙ୍କ ଉତ୍ପାତ ବଢ଼ିଚାଲିଛି । ବର୍ତ୍ତମାନ  ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳରୁ ଏଭଳି  ସଙ୍ଗିନ ଅଭିଯୋଗ ଆସିଛି । ତୁରେକେଲା ଥାନା  ମହୁଲପାଟି ଗାଁର ଭବାନୀ ପୁଟା ଗୋଡ଼ ହାତ  ଯନ୍ତ୍ରଣା ପାଇଁ ନକଲି ଡାକ୍ତରଙ୍କ ପାଖକୁ ଚିକିତ୍ସା  ପାଇଁ ଯାଇଥିଲେ । ସେ କି ଇଞ୍ଜେକ୍ସନ ଦେଲେ  ଯେ ଭବାନୀଙ୍କ ଜୀବନ ଚାଲିଗଲା । ଭବାନୀଙ୍କ  ମୃତ୍ୟୁ ପରେ ସଂପୃକ୍ତ ନକଲି ଡାକ୍ତର ଫେରାର୍‌  ହୋଇଯାଇଛନ୍ତି । ଭବାନୀଙ୍କ ପରିବାର ଲୋକେ  ଥାନାରେ ଅଭିଯୋଗ କରିଛନ୍ତି । ସେହିପରି  ଜୁନ୍‌ ୬ରେ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ଗାଁରେ  ପଶ୍ଚିମବଙ୍ଗର ନକଲି ଡାକ୍ତର ଧରାପଡ଼ିଥିଲେ ।  ସେ ନକଲି କ୍ଲିନିକ୍‌ ଚଳାଇଥିଲେ । ଭୁଲ ଚିକିତ୍ସା  ଯୋଗୁ ରୋଗୀଙ୍କ ଯନ୍ତ୍ରଣା ବଢ଼ିଯାଇଥିଲା । ଅନ୍ୟ  ଏକ ସ୍ଥାନରେ ମଧ୍ୟ ରୋଗୀଙ୍କ ଜୀବନ ଯାଇଥିଲା ।  ଗତବର୍ଷ ନବରଙ୍ଗପୁର ରାଇଘର ତୁମୁଡ଼ି ଓ  କୁମୁଲି ଗାଁରେ ନକଲି ଡାକ୍ତରଙ୍କ ପାଇଁ ୨ଜଣଙ୍କ  ଜୀବନ ଯାଇଥିଲା । ସେହିପରି ୨୦୨୩ରେ  କଳାହାଣ୍ଡିରେ ମଧ୍ୟ ଜଣେ ମହିଳାଙ୍କ ଜୀବନ  ଯାଇଥିବା ଅଭିଯୋଗ ଥିଲା । ପ୍ରତି ଜିଲ୍ଲାରେ  ଏଭଳି ଅଭିଯୋଗ ନିୟମିତ ଜାରି ରହିଛି ।  ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବକୁ ନେଇ ଆଇନଜୀବୀ  ରାଧାକାନ୍ତ ତ୍ରିପାଠୀ ମଧ୍ୟ ଏନ୍‌ଏଚ୍‌ଆରସିରେ  ଅଭିଯୋଗ କରିଥିଲେ । ସେ ଦର୍ଶାଇ ଥିଲେ  ଗଞ୍ଜାମ, କୋରାପୁଟ, ମାଲକାନଗିରି,  ନବରଙ୍ଗପୁର, ଗତପତି ଓ ରାୟଗଡ଼ାରେ ନକଲି   ଡାକ୍ତରଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ୱାସ୍ଥ୍ୟ ବିଭାଗ  ଜିଲ୍ଲାସ୍ତରୀୟ ‘ଆଣ୍ଟି-କ୍ୱାକେରୀ’ ସେଲ୍‌ ଗଠନ  କରିଛି । ଏଥିରେ ଜିଲ୍ଲାସ୍ତରୀୟ ୫ ଜଣିଆ  ସେଲ୍‌ରେ ଜିଲ୍ଲାପାଳଙ୍କ ପ୍ରତିନିଧି, ଏସ୍‌ପିଙ୍କ   ପ୍ରତିନିଧି, ସିଡିଏମ୍‌, ପିଏଚ୍‌ଓ, ଜିଲ୍ଲା ନ୍ୟାୟିକ  ସେବା ପ୍ରାଧିକରଣର ପ୍ରତିନିଧି ଏବଂ ଭାରତୀୟ  ମେଡିକାଲ ଆସୋସିଏସନ୍‌ର ଜଣେ ପ୍ରତିନିଧି  ସଦସ୍ୟ ରହିଛନ୍ତି । ପ୍ରତି ୧୫ ଦିନରେ ଥରେ  ସେଲ୍‌ ଜିଲ୍ଲାରେ ନକଲି ଡାକ୍ତରଙ୍କ ଉପରେ  କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ସ୍ୱାସ୍ଥ୍ୟ  ବିଭାଗକୁ ପ୍ରଦାନ କରିବେ । ହେଲେ ଏହି ସେଲ୍‌  କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଯଦି କୌଣସି ସ୍ଥାନରେ ନକଲି ଡାକ୍ତରଙ୍କ ଚିକିତ୍ସା  ସମ୍ପର୍କରେ ସୂଚନା ମିଳେ, ସେଲ୍‌ ତୁରନ୍ତ  ଚଢ଼ାଉ କରିବ । ଲୋକେ ଅଭିଯୋଗ କଲେ  ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ   ଗଣମାଧ୍ୟମରୁ ଜଣାପଡ଼ିଲେ ବି ସେଲ୍‌ ପଦକ୍ଷେପ   ନେବ । କିନ୍ତୁ ପଦକ୍ଷେପ କିଛି ନିଆ ଯାଉନଥିବା   ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ ନକଲି ଡାକ୍ତରଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୧୯ରେ  ‘ଓଡ଼ିଶା ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ ଅଥୋରିଟି’  ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ  ହୋଇଥିଲା । ଏହାର ଶୁଣାଣି କରି ୧୨ ଡିସେମ୍ବର  ୨୦୨୨, ୨୨ ଜୁନ୍‌ ୨୦୨୩ ଓ ୨୭ ଫେବ୍ରୁଆରୀ  ୨୦୨୪ରେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ  ରିପୋର୍ଟ ତଲବ କରିଥିଲେ । ସଚିବ ଓଡ଼ିଶା  କାଉନସିଲ୍‌ ଅଫ୍‌ ମେଡିକାଲ ରେଜିଷ୍ଟ୍ରେସନ୍‌  (ଓସିଏମ୍‌ଆର)ରେ ୩୫ ହଜାର ଏଲୋପାଥିକ୍‌  ଡାକ୍ତର ପଞ୍ଜିକୃତ ହୋଇଥିବା ଜଣାଇଥିଲେ ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.