ହାତରେ ବୀଣା, ଅନ୍ୟ ହାତଟି ଆଶୀର୍ବାଦ ମୁଦ୍ରା: ଆଖି ଖୋସିହେଲା ଭଳି ମୂର୍ତ୍ତି

NEWS7
fadnavis-vows-tough-action-against-those-who-attacked-nagpur-cops

ଭୁବନେଶ୍ୱର ୨୨/୦୧: ଆଖି ଖୋସିହେଲା ଭଳି ୬୪ ଫୁଟ ଉଚ୍ଚର ମା’ଙ୍କ ମୂର୍ତ୍ତି । ଗୋଟିଏ ହାତରେ ବୀଣା ଧରିଥିବା ବେଳେ ଅନ୍ୟ ହାତଟି ଆଶୀର୍ବାଦ ମୁଦ୍ରାରେ ରହିଛି । ଧଳା ଶାଢି ସାଙ୍ଗକୁ ପାଦରେ ଅଳତା ଲଗାଇ ହଂସ ଉପରେ ବିରାଜମାନ ହୋଇଛନ୍ତି ମା’ । ଏଭଳି ଆକର୍ଷଣୀୟ ମା’ ଙ୍କ ମୂର୍ତ୍ତି ଗଢୁଛନ୍ତି ୟୁନିଟ୍-୯ସ୍ଥିତ ଚାରିଟେବୁଲ୍ ଟ୍ରଷ୍ଟ କ୍ଲବ୍ ।

ପ୍ରତି ବର୍ଷ ଛୋଟ ମୂର୍ତ୍ତି ତିଆରି କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଥମକରି ଅନୁଷ୍ଠାନ ପକ୍ଷରୁ ମା’ଙ୍କର ଭବ୍ୟ ୬୪ ଫୁଟ୍ ଉଚ୍ଚର ମୂର୍ତ୍ତି ଅନୁଷ୍ଠାନ ପକ୍ଷରୁ ନିର୍ମାଣ କରାଯାଉଛି । ଏହି ମୂର୍ତ୍ତିକୁ ପ୍ରସ୍ତୁତ କରିବା ପାଇଁ ୧୫ ଜଣ କାରିଗର କୋଲକାତାରୁ ଆସିଛନ୍ତି । ଗତ ଦେଢମାସ ହେବ ସେମାନେ ଏହି ଭବ୍ୟ ମୂର୍ତ୍ତି ତିଆରିରେ ଲାଗିଥିଲେ । ବର୍ତ୍ତମାନ ଶିଳ୍ପୀମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବା ଆରମ୍ଭ କରିଦେଲେଣି । ଖାଲି ସେତିକି ନୁହେଁ ପୂଜା ପାଇଁ ରଙ୍ଗବେରଙ୍ଗ ଆଲୋକରେ ଝଟକିବ ମଣ୍ଡପଠୁ ରାସ୍ତା ପର୍ଯ୍ୟନ୍ତ । ସବୁଠାରୁ ବଡ଼ ଆକର୍ଷଣ ସାଜିବ ମୀନା ବଜାର ।

ଏହି ପୂଜା ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । ୨୩ ତାରିଖ ଶୁକ୍ରବାର ଅପରାହ୍ଣ ୪ଟାରେ କଳସ ଯାତ୍ରା ବାହାରିବ । ସନ୍ଧ୍ୟା ୭ଟା ରେ ମା’ ବିଦ୍ୟାଦାତ୍ରୀଙ୍କର ପୂଜା ଆରମ୍ଭ ହେବ । ୨୪ ତାରିଖ ଶନିବାର ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅପରାହ୍ଣ ୪ଟାରେ ଆରମ୍ଭ ହେବ । ସୋମବାର ଭକ୍ତମାନଙ୍କ ନିମନ୍ତେ ରାତି୮ଟାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ ।

ବୁଧବାର, ଗୁରୁବାର, ଶୁକ୍ରବାର ତାରକା ଗାୟକ ସନ୍ତୋଷ ଡୋରା, ଶ୍ରୀଚରଣ ମହାନ୍ତି, ରୁକୁସୁନାଙ୍କ ସଙ୍ଗୀତ ଲାଇଭ୍ ସୋ ରଖାଯାଇଛି । ୧ ତାରିଖ ଅର୍ଥାତ୍ ରବିବାର ନିରାଡମ୍ବର ଭାବେ ଭସାଣୀ ଉତ୍ସବ ହେବ । ଅନୁଷ୍ଠାନ ସମ୍ପାଦକ ଶୁଭକାନ୍ତ ସାହୁ କହନ୍ତି, ନୀତିନିୟମ ସହକାରେ ମା’ଙ୍କ ପୂଜାର ଆୟୋଜନ କରାଯାଉଛି । ପୂଜାରେ ଯୋଗଦେଇ ମା’ଙ୍କ ଆଶିଷଲାଭ କରିବାକୁ ସେ ଅନୁରୋଧ ଜଣାଇଛନ୍ତି ।