ନୂଆଦିଲ୍ଲୀ: ପ୍ରତିକୂଳ ପାଣିପାଗ କାରଣରୁ ଖୁଚୁରା ସାମଗ୍ରୀର ଦରଦାମ ବଢିବାର ବିପଦ ହୋଇପାରେ । ଏହାସହ ବୈଶ୍ୱିକ ସ୍ତରରେ ଦୀର୍ଘ ସମୟରୁ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି କାରଣରୁ ଅଶୋଧିତ ତେଲର ମୂଲ୍ୟରେ ଅସ୍ଥିରତା ଜାରି ରହିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏପ୍ରିଲରୁ ବୁଲେଟିନରେ ଏହା କୁହାଯାଇଛି ।
ଖାଉଟି ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚରେ କମି ୪.୯ ପ୍ରତିଶତ ହୋଇଛି । ଏହା ପୂର୍ବରୁ ଗତ ଦୁଇ ମାସରେ ଏହା ହାରାହାରି ୫.୧ ପ୍ରତିଶତ ରହିଥିଲା । ରିଜର୍ଭ ବ୍ୟାଙ୍କ ନିଜର ଦ୍ୱିମାସିକ ମୁଦ୍ରା ନୀତିରେ ପହଞ୍ଚିବା ସମୟରେ ମୁଖ୍ୟ ରୂପେ ଖୁଚୁରା ଦରଦାମକୁ ଧ୍ୟାନରେ ରଖିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରାସ୍ଫୀତି ମୋର୍ଚ୍ଚାରେ ଚିନ୍ତାକୁ ଉଲ୍ଲେଖ କରି ଫେବ୍ରୁଆରୀରେ ନୀତିଗତ ରେପୋକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ।
ବୁଲେଟିନରେ ପ୍ରକାଶିତ ଆର୍ଟିକଲ୍ ଅର୍ଥବ୍ୟବସ୍ଥାର ସ୍ଥିତିରେ କୁହାଯାଇଛି ଯେ ୨୦୨୪ର ପ୍ରଥମ ତ୍ରୈମାସରେ ବୈଶ୍ୱିକ ବୃଦ୍ଧିର ଗତି ଭଲ ରହିଛି ଏବଂ ବିଶ୍ୱ ବ୍ୟବସାୟର ଆଉଟଲୁକ୍ ପଜିଟିଭ ରହିଛି । ଅର୍ଥବ୍ୟବସ୍ଥାରେ ବଣ୍ଡ ପ୍ରତିଫଳ ଏବଂ ଋଣ ଉପରେ ସୁଧହାର ବଢୁଛି । ସୁଧ ହାର କମ ହେବା ନେଇ ଯେଉଁ ସମ୍ଭାବନା ଥିଲା, ତାହା ଦୁର୍ବଳ ହୋଇଛି ।