ଇସ୍ଲାମାବାଦ ୧୭।୮: ପାକିସ୍ତାନ ସରକାର ଓ ସେନା ଲଗାତାର ଦାବି କରୁଛନ୍ତି ୭-୧୦ ମେ କାଳରେ ଭାରତ ସହିତ ହୋଇଥିବା ସୈନ୍ୟ ସଂଘର୍ଷରେ ଆମେ ବିଜୟୀ ହୋଇଛୁ। ଏଥି ପାଇଁ ପାକିସ୍ତାନ ଅଗଷ୍ଟ ୧୪ରେ ମେଡାଲ ମଧ୍ୟ ବାଣ୍ଟିଛି, ହେଲେ ଏହି ଦାବି ଉପରେ ଏବେ ଦେଶ ଭିତରୁ ପ୍ରଶ୍ନ ଉଠୁଛି। ବରିଷ୍ଠ ସାମ୍ବାଦିକ ତଥା ନୱାଜ ସରିଫଙ୍କ ନିକଟତମ ନଜମ ସେଠୀ କହିଛନ୍ତି ଯେ ଭାରତର ଅପରେସନ ସିନ୍ଦୂର କାଳରେ ପାକିସ୍ତାନୀ ସେନା ନାଚାର ହୋଇପଡିଥିଲା।
ଭାରତ ପକ୍ଷରୁ ହେଉଥିବା ଗୋଟାକ ପରେ ଗୋଟେ ମିଜାଇଲ ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲା। ନଜମ ସେଠୀ ସାମା ଟିଭିରେ ଆୟଶା ନାଜଙ୍କ କାର୍ଯ୍ୟକ୍ରମରେ କହିଛନ୍ତି ଯେ ପାକିସ୍ତାନର ସବୁଠୁ ବଡ଼ ବିଫଳତା ଏହାର ଏୟାରଡିଫେନ୍ସ ସିଷ୍ଟମ ଥିଲା। ସେ କହିଛନ୍ତି ଭାରତ ଲଗାତାର ମିଜାଇଲ ମାଡ଼ କରୁଥିଲା ହେଲେ ଆମର ମିଜାଇଲ ସେଗୁଡିକୁ ଏୟାରବେସ୍ ପର୍ଯ୍ୟନ୍ତ ପହଞ୍ଚିବାରେ ଅଟକାଇ ପାରୁନଥିଲା। ଅପରେସନ ସିନ୍ଦୂରରେ ଭାରତ ସ୍ପଷ୍ଟ ଅଗ୍ରଣୀ ଥିଲା। ସେଠୀ କହିଛନ୍ତି ଯେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆଇରନ ଡୋମ ଭଳି କାମ କରିଥିଲା ଓ ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ଅଟକାଇଥିଲା।
Huge admission on Op Sindoor- India hit our camps & airbases with precision missiles. We couldn't stop them. But India stopped ours. India showed ability to hit our parked aircrafts but we couldn't hit theirs.
— Pakistan Untold (@pakistan_untold) August 17, 2025
- Najam Sethi ruins Field Marshal's partypic.twitter.com/ak4OPenybF
ନଜମ ସେଠୀଙ୍କ ସାକ୍ଷାତକାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେଠୀ ପାକିସ୍ତାନ ସରକାର ଓ ସେନାର ଦାବି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କାରଣ ଭାରତ ଭୂମିରେ ପାକିସ୍ତାନ ସେପରି କୌଣସି ମଜଭୁତ କାର୍ଯ୍ୟାନୁଷ୍ଠାନ କରିବାରେ ବିଫଳ ହୋଇଥିଲା। ତେବେ ନଜମ ସେଠୀ ଏହା ମଧ୍ୟ କହିଛନ୍ତି ଯେ ‘ଯଦି ଭାରତର ଆକ୍ରମଣ ପାକିସ୍ତାନର ଅସ୍ତିତ୍ୱ ପ୍ରତି ସଂକଟ ସୃଷ୍ଟି କରେ ତେବେ ପାକିସ୍ତାନୀ ସେନା ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ କୁଣ୍ଠିତ ହେବନି’। ସେ କହିଛନ୍ତି ଯେ ଆମର ପରମାଣୁ ଅସ୍ତ୍ରଶସ୍ତ୍ର କେବଳ ଦିପାବଳି ପାଳିବାକୁ ତିଆରି ହୋଇନି। ଆବଶ୍ୟକତା ପଡିଲେ ସେ ଗୁଡିକର ବ୍ୟବହାର ମଧ୍ୟ ହୋଇପାରେ।
ସେଠୀ ଏହା ମଧ୍ୟ କହିଛନ୍ତି ଯେ ଲାହୋର ଅନୁପ୍ରବେଶ, କରାଚୀ ବନ୍ଦରକୁ ଅକ୍ତିଆର କରିବା ଅଥବା ସିନ୍ଧୁ ବୁଝାମଣାକୁ ଭାଙ୍ଗି ପାଣି ଅଟକାଇବା ଭଳି ପରିସ୍ଥିତିରେ ପାକିସ୍ତାନ ପରମାଣୁ ଅସ୍ତ୍ର ର ବ୍ୟବହାର କରିପାରେ। ତେବେ ତାଙ୍କର ଏହି ବୟାନ ଓ ପାକିସ୍ତାନର ବିଜୟ ଉତ୍ସବ ପାଳନ ଉପରେ ଏବେ ଦେଶରେ ନୂଆ ବିତର୍କ ସୃଷ୍ଟି କରିଛି। ବିଶେଷଜ୍ଞ କହିଛନ୍ତି ଯେ ଅପରେସନ ସିନ୍ଦୂରରେ ଭାରତ ସ୍ପଷ୍ଟ ରୂପେ ନିଜର ସାମରିକ କ୍ଷମତାକୁ ପ୍ରଦର୍ଶନ କରିଛି ଓ ପାକିସ୍ତାନର ଦାବି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।