୫୦ ଲକ୍ଷ ଟଙ୍କାର ଚରସ ସହ ଜଣେ ବିଟେକ ଛାତ୍ରକୁ ଗିରଫ କଲା ଅବକାରୀ ଟିମ୍, ଆନ୍ଧ୍ରକୁ ହେଉଥିଲା ଚାଲାଣ

Published By : Prameya-News7 Bureau | July 11, 2025 IST

କୋରାପୁଟ: ଆନ୍ଧ୍ରକୁ ଚାଲାଣବେଳେ ୫୦ ଲକ୍ଷ ଟଙ୍କାର ଚରସ ଜବତ ସହ ତିନି ଜଣକୁ ଗିରଫ କରିଛି କୋରାପୁଟ ଅବକାରୀ ବିଭାଗ ସ୍କ୍ବାଡ। ଗିରଫ ତିନି ଜଣକ ମଧ୍ୟରେ ଜଣେ ବିଟେକ୍ ଛାତ୍ର ଅଛନ୍ତି। ଶୁକ୍ରବାର ଚରସ ଚାଲାଣ କରୁଥିବା ସମୟରେ ପାଡୁଆ ରେଲୱେ ଷ୍ଟେସନରେ ଧରିଛି ଅବକାରୀ ଟିମ୍। ଜବତ ଚରସର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅବକାରୀ ଉପ ଅଧିକ୍ଷକ ସ୍ୱାଗତିକା ମହାନ୍ତି। ସେ କହିଛନ୍ତି ଶୁକ୍ରବାର କୋରାପୁଟ ସଦର ଅବକାରୀ ବିଭାଗ ପକ୍ଷରୁ ୧ କିଲୋ ଚରସ ସହ ୨୨.୫ କିଲୋ ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ଆନ୍ଧ୍ର ପ୍ରଦେଶର ବିଟେକ ଛାତ୍ର ସହ ଦୁଇ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ଦିଆଯାଇଛି। ତେବେ ଏମାନେ କୋରାପୁଟର କେଉଁ ଅଞ୍ଚଳରୁ ଚରସ ନେଉଥିଲେ ତାହା ଜଣାପଡ଼ିନଥିବାବେଳେ ଜିଲ୍ଲାରୁ ପ୍ରଥମ ଥର ଏତେ ପରିମାଣର ଚରସ ଜବତ କରାଯାଇଛି। ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି କେଉଁଠି ପ୍ରସ୍ତୁତ କରାଯାଉଛି ତାହାର ତଦନ୍ତ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.