ମହୁଲ ମାଫିଆଙ୍କ ଗୁଣ୍ଡାଗିରି, ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଛଡ଼ାଇ ନେଲେ ସିଜ୍ ଗାଡ଼ି

Published By : Prameya-News7 Bureau | April 09, 2025 IST

ଉଦଳା ୦୯।୦୪: ମହୁଲ ମାଫିଆଙ୍କ ଗୁଣ୍ଡାଗିରି। ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଛଡ଼ାଇ ନେଲେ ଜବତ ମହୁଲ ସହ ପିକ୍ ଅପ୍ ଭ୍ୟାନ। ସିନେମା ଷ୍ଟାଇଲେ ରାସ୍ତାରେ ଜବତ ଗାଡିକୁ ଅଟକାଇଲେ। ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ। ଗାଡିରେ ବସିଥିବା ମହିଳା ଅବକାରୀ ଅଧିକାରୀଙ୍କୁ ସାଙ୍ଗରେ ନେଇ ଘର ପାଖରେ ଗାଡ଼ିରୁ ଖାଲି କରିଦେଲେ ଜବତ ମହୁଲ। ଜବତ ଗାଡ଼ିକୁ ବି ଖସାଇ ନେଇଥିଲେ। ଆଉ ଜଳକା ହୋଇ ରହିଥିଲେ ଅବକାରୀ ଅଧିକାରୀ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାରଡା ଗାଁରେ ଏମିତି ଘଟଣା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ମହୁଲ ଚୋରା ଚାଲାଣ ଖବର ପାଇ ଉଦଳା ଅବକାରୀ ଟିମ୍ କପ୍ତିପଦାରେ ଚଢ଼ାଉ କରିଥିଲା। କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକଅପ ଜବତ କରିଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଗିରଫ କରିଥିଲେ ଅବକାରୀ କର୍ମଚାରୀ। ଅବକାରୀ ବିଭାଗରେ ଜଣେ ମହିଳା ସବଇନ୍ସପେକ୍ଟର ମହୁଲ ବୋଝେଇ ପିକଅପ ଜବତ କରିବା ପରେ ଡ୍ରାଇଭର ସହ ବସି ଉକ୍ତ ଗାଡିକୁ ଉଦଳା କାର୍ଯ୍ୟାଳୟକୁ ଆଣୁଥିଲେ। ହେଲେ ଉଦଳା - ବାରିପଦା ରାଜ୍ୟ ରାଜପଥ ଜାରଡା ଛକ ନିକଟରେ ମହୁଲ ମାଫିଆ ଗାଡିକୁ ଅଟକାଇବା ସହିତ ଗାଡିର ଡ୍ରାଇଭରକୁ ମାଡ଼ ମାରିଥିଲେ। ଗାଡିରୁ ବାହାର କରି ଦେଇଥିଲେ। ଜଣେ ମାଫିଆ ଜବତ ଗାଡିକୁ ନିଜ ଘରକୁ ନେଇଯାଇଥିଲେ । ଉକ୍ତ ଗାଡ଼ିରେ ମହିଳା ସବଇନ୍ସପେକ୍ଟର ମଧ୍ୟ ରହିଥିଲେ। ଅଧିକାରୀଙ୍କ ସାମ୍ନାରେ ସମସ୍ତ ଜବତ ହୋଇଥିବା୧୬ କୁଇଣ୍ଟାଲ ମହୁଲକୁ ଅନଲୋଡ଼ କରିବା ସହ ପିକଅପ କୁ ଖସାଇ ଦେଇଥିଲା ମାଫିଆ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହୁଲ ଜବତ କରିବା ସହିତ ମହୁଲ ନେଇ ଆସୁଥିବା ପିକଅପର ୪ ଜଣଙ୍କୁ ଗିରଫ କରିଛି। ଘଟଣା ଘଟାଇବା ପରେ ମାଫିଆ କିନ୍ତୁ ଛୁ ମାରିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.