ଜାତିସଂଘ ରିପୋର୍ଟ: ଭାରତରେ ଦିନକୁ ୫୨ ଗର୍ଭବତୀଙ୍କ ମୃତ୍ୟୁ

Published By : Prameya-News7 Bureau | April 10, 2025 IST

ନୂଆଦିଲ୍ଲୀ ୧୦/୦୪: ବିଶ୍ୱରେ ପ୍ରତି ୨  ମିନିଟ୍‌ରେ ଜଣେ ଗର୍ଭବତୀ କିମ୍ବା ପ୍ରସୂତିଙ୍କ ମୃତ୍ୟୁ  ଘଟୁଛି । ପ୍ରତିଦିନ ଭାରତରେ ହାରାହାରି ୫୨ ଗର୍ଭବତୀ ବା ପ୍ରସୂତି ମହିଳାଙ୍କ ଜୀବନ ଯାଉଛି । ଜାତିସଂଘ ପକ୍ଷରୁ ଜାରି ଏକ ସଦ୍ୟ ରିପୋର୍ଟରୁ  ଏହି ତଥ୍ୟ ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ୨୦୨୩ରେ ଭାରତରେ ପ୍ରାୟ ୧୯ ହଜାର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏହି ସଂଖ୍ୟା ଦୁନିଆରେ ଗର୍ଭବତୀ ଥିବା ସମୟରେ ମୃତ୍ୟୁ ଘଟୁଥିବା ମୋଟ ମହିଳାଙ୍କର ୭.୨% ।  

ତାଲିକାରେ ନାଇଜେରିଆ ପରେ ଭାରତ ଦ୍ୱିତୀୟ  ସ୍ଥାନରେ ରହିଛି । ରିପୋର୍ଟରେ ପାକିସ୍ତାନରେ ହେଉଥିବା  ମାତୃ ମୃତ୍ୟୁସଂଖ୍ୟା ମଧ୍ୟ ସାମିଲ କରାଯାଇଛି । ପାକିସ୍ତାନରେ ୨୦୨୩ରେ ୧୧ ହଜାର ଗର୍ଭବତୀ/ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଛି ।  ଅର୍ଥାତ ପ୍ରତିଦିନ ହାରାହାରି ୩୦ ମାତୃ ମୃତ୍ୟୁ  ଘଟଣା ଘଟିଛି । ସେହିପରି ତାଲିକାର ପ୍ରଥମ  ସ୍ଥାନରେ ଥିବା ନାଇଜେରିଆରେ ୨୦୨୩ରେ ୭୫  ହଜାର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଏହା ଦୁନିଆର ମୋଟ ମାତୃ ମୃତ୍ୟୁର ୨୮.୭% ।  

ଡେମୋକ୍ରାଟିକ୍‌ କଙ୍ଗୋରେ ମଧ୍ୟ ୨୦୨୩ରେ ୧୯  ହଜାର ଗର୍ଭବତୀଙ୍କ ମୃତ୍ୟୁ ଘଟିଥିଲା । ବିଶ୍ୱରେ  ମୃତ୍ୟୁ ଘଟିଥିବା ମୋଟ ଗର୍ଭବତୀଙ୍କ ମଧ୍ୟରେ  ୪୭% କେବଳ ଏହି ୪ ଦେଶରେ ରହିଥିଲେ । ୨୦୨୩ରେ ମହିଳାଙ୍କ ଗର୍ଭାବସ୍ଥାରେ  ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁ ବିଶ୍ୱରେ ପ୍ରାୟ ୨  ଲକ୍ଷ ୬୦ ହଜାର ଜଣଙ୍କ ମୃତ୍ୟୁ ଘଟିଛି । କେତେକ  ଦେଶରେ ମାନବିକ ସହାୟତା ନ ପହଞ୍ଚିବା, ଜରୁରି  ସ୍ୱାସ୍ଥ୍ୟ ସେବା ନ ମିଳିବା ଯୋଗୁ ଏହି ସ୍ଥିତି ଆହୁରି  ଜଟିଳ ହୋଇପାରେ ବୋଲି ଜାତିସଂଘ ରିପୋର୍ଟରେ  ସତର୍କ କରାଯାଇଛି । 

୨୦୨୦ରୁ ୨୦୨୩ ମଧ୍ୟରେ  ଭାରତରେ ମାତୃ ମୃତ୍ୟୁ ହାରରେ ୭୮% ହ୍ରାସ  ଘଟିଛି । ଭାରତରେ ମାତୃ ମୃତ୍ୟୁ ହାର(ପ୍ରତି ୧ ଲକ୍ଷ  ଜୀବନ୍ତ ଶିଶୁ ଜନ୍ମ ଦେଉଥିବା ପ୍ରସୂତିଙ୍କ ମଧ୍ୟରେ  ମୃତ୍ୟୁ ଘଟୁଥିବା ମହିଳାଙ୍କ ସଂଖ୍ୟା) ୨୦୦୦  ମସିହାରେ ୩୬୨ ଥିବାବେଳେ ୨୦୨୩ରେ ତାହା ୮୦କୁ ଖସିଛି । ଚୀନ୍‌ରେ ଏହି ସମୟ ମଧ୍ୟରେ  ମାତୃ ମୃତ୍ୟୁ ହାର ୫୬ରୁ ୧୬କୁ ହ୍ରାସ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ, ସ୍ୱାସ୍ଥ୍ୟସେବା ସୁବିଧାରେ ବୃଦ୍ଧି ଯୋଗୁ  ୨୦୦୦ରୁ ୨୦୨୩ ମଧ୍ୟରେ ଦୁନିଆରେ ମାତୃ ମୃତ୍ୟୁ  ହାରରେ ୪୦% ହ୍ରାସ ଘଟିଛି । କିନ୍ତୁ ୨୦୧୬ ପରେ  ଏହି ହାରରେ ସୁଧାର ହେବା କମିଛି । 

ତେବେ ସ୍ୱାସ୍ଥ୍ୟଗତ ଜଟିଳତା ଦେଇ ଗତି କରୁଥିବା  ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି । ଅତ୍ୟଧିକ ରକ୍ତସ୍ରାବ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ସଂକ୍ରମଣ,  ଅସୁରକ୍ଷିତ ଗର୍ଭପାତ ଆଦି ମୃତ୍ୟୁର ପ୍ରମୁଖ କାରଣ । ସେହିଭଳି  ମଧୁମେହ, ହୃଦ୍‌ରୋଗ ମଧ୍ୟ ଗର୍ଭବତୀଙ୍କ ଜୀବନକୁ ଅଧିକ ବିପଦରେ  ପକାଉଥିବା ଜାତିସଂଘ ରିପୋର୍ଟ ଦର୍ଶାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.