ନୂଆଦିଲ୍ଲୀ ୨୪।୫: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଲାଗି ୮.୨୫% ସୁଧହାର ପ୍ରସ୍ତାବରେ ମୋହର ଲଗାଇଛନ୍ତି। ଫଳରେ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ) ତାଙ୍କର ୭ କୋଟିରୁ ଅଧିକ ସବସ୍କ୍ରାଇବରଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ)ଖାତାରେ ବାର୍ଷିକ ସୁଧ ପ୍ରଦାନ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ଇପିଏଫଓ ଫେବୃଆରୀ ୨୮ରେ ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୮.୨୫% ସୁଧହାର କାୟମ ରଖିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଗତବର୍ଷର ସୁଧହାର ସହିତ ସମାନ।
ଧାର୍ଯ୍ୟ ସୂଧହାରକୁ ମଞ୍ଜୁରୀ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରାଳୟକୁ ପଠାଯାଇଥିବା ବେଳେ ଏଥିରେ ଏବେ ମୋହର ବାଜିଛି। ଶ୍ରମମନ୍ତ୍ରାଳୟଙ୍କ ଜନୈକ ଅଧିକାରୀଙ୍କ ଅନୁସାରେ ପ୍ରସ୍ତାବିତ ସୁଧ ହାରକୁ ମନ୍ତ୍ରାଳୟଙ୍କ ସହମତି ମିଳିଛି। ଏଣୁ ଏ ବାବଦେ ମନ୍ତ୍ରାଳୟଙ୍କୁ ସୂଚନା ପଠାଇ ଦିଆଯାଇଛି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ୨୮ ତାରିଖରେ ଅନୁଷ୍ଠିତ କେନ୍ଦ୍ରୀୟ ନ୍ୟାସୀ ବୋର୍ଡର ୨୩୮ତମ ବୈଠକରେ ଇପିଏଫ ସୁଧହାର ଉପରେ ନିଷ୍ପତ୍ତି ନିଆଯାଇଥିଲା।
ଇପିଏଫଓ ଫେବୃଆରୀ ୨୦୨୪ରେ ୨୦୨୩-୨୪ ବର୍ଷ ନିମନ୍ତେ ସୁଧହାରକୁ ମାମୁଲି ବୃଦ୍ଧି କରି ୮.୨୫ % କରିଥିଲେ। ପୂର୍ବରୁ ୨୦୨୨-୨୩ରେ ଏହି ହାର ୮.୧୫% ଥିଲା। ସେହିପରି ମାର୍ଚ୍ଚ ୨୦୨୨ରେ ୨୦୨୧-୨୨ ବର୍ଷ ନିମନ୍ତେ ଇପିଏଫ ସୁଧହାରକୁ ୪ ଦଶନ୍ଧୀର ସବୁଠୁ ନିମ୍ନ ସ୍ତର ୮.୧% ଧାର୍ଯ୍ୟ କରିଥିଲେ। ତେବେ ଏହା ପୂର୍ବରୁ ୨୦୨୦-୨୧ରେ ଏହି ହାର ୮.୫% ଥିଲା।