ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ, ଏରୋ କ୍ଲବ୍ ଇଣ୍ଡିଆ-ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ ସହ ଚୁକ୍ତିନାମା ସ୍ଵାକ୍ଷରିତ

NEWS7
enraged-monkeys-kill-250-dogs-to-take-revenge-after-puppy-kills-baby-monkey

ଭୁବନେଶ୍ୱର ୨୪।୨: ଓଡ଼ିଶା ହେବ ପୂର୍ବ ଭାରତର ପ୍ରମୁଖ ସାହସିକ ପର୍ଯ୍ୟଟନ କେନ୍ଦ୍ର । ମଙ୍ଗଳବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଲୋକ ସେବା ଭବନରେ ‘ଗୋ-ଆଡଭେଞ୍ଚର’ ପୋର୍ଟାଲର ଶୁଭାରମ୍ଭ କରିବା ସହ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ (IMF) ଏବଂ ଏରୋ କ୍ଲବ୍ ଅଫ୍ ଇଣ୍ଡିଆ (ACI) ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି ।

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଓଡ଼ିଶାରେ ସାହସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି । ଆଧ୍ୟାତ୍ମିକ ପର୍ଯ୍ୟଟନରେ ସୀମିତ ନରହି, ଏହାକୁ କିଭଳି ଅନୁଭୂତିଭିତ୍ତିକ ପର୍ଯ୍ୟଟନ ସହ ଯୋଡ଼ାଯାଇପାରିବ, ସେଥିପାଇଁ ସରକାର ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାହସିକ ପର୍ଯ୍ୟଟନର ପ୍ରଚଳନ ଯୁବ ଉଦ୍ୟୋଗୀମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରିବାକୁ ଆକର୍ଷିତ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ପରିଦୃଶ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ପର୍ଯ୍ୟଟନ, କ୍ରୀଡ଼ା ଏବଂ ଗୃହ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ସେ ଏହି ସହଯୋଗୀ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏଥିସହ, ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସେ ସମସ୍ତ ବିଭାଗକୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ, ‘ରାଜ୍ୟ ସରକାର ୨୦୩୬ ସୁଦ୍ଧା ଉତ୍କର୍ଷ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରଖି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି’ । ସଂପୃକ୍ତ ସମସ୍ତ ବିଭାଗ, ନିଜ ବିଭାଗ ସହିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କଣ କରାଯାଇ ପାରିବ, ସେଥିପ୍ରତି ଧ୍ୟାନ ଦେବା ସହିତ ସାମୂହିକ ପ୍ରୟାସ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ସାହସିକ ପର୍ଯ୍ୟଟନ ସ୍ଥାନୀୟ ଅର୍ଥନୀତି ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଓଡ଼ିଶା ପର୍ଯ୍ୟଟନର ନୂଆ ଦିଗ ଉପସ୍ଥାପନ କରି ସେ ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ ମନ୍ତ୍ରକୁ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ।

'ଗୋ-ଆଡଭେଞ୍ଚର' (Go-Adventure) ପୋର୍ଟାଲ ସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ପଞ୍ଜିକରଣ, ଯାଞ୍ଚ ଏବଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି ।