ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ବିଜୟ ପରେ ମାଞ୍ଚେଷ୍ଟରରେ ହେବାକୁ ଥିବା ଚତୁର୍ଥ ମ୍ୟାଚ୍ ପାଇଁ ଇଂଲଣ୍ଡ ଦଳ ଘୋଷଣା କରିଛି। ଲର୍ଡ୍ସ ଟେଷ୍ଟ ମ୍ୟାଚ୍ରେ ବିଜୟ ମୁହୂର୍ତ୍ତ ଦେଇଥିବା ଶୋଏବ ବସିରଙ୍କୁ ଦଳରୁ ବାଦ୍ ଦିଆଯାଇଛି। ବସିରଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ତେଣୁ ସେ ସିରିଜ୍ରେ ଅବଶିଷ୍ଟ ମ୍ୟାଚ୍ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ଅନୁଭବୀ ସ୍ପିନର ଲିୟାମ ଡାସନଙ୍କୁ ଦଳରେ ସାମିଲ କରାଯାଇଛି।
ଶୋଏବ ବସିରଙ୍କ ପ୍ରଦର୍ଶନ ଏହି ସିରିଜ୍ ସେତେ ଉତ୍ସାହଜନକ ନ ଥିଲା। ମାତ୍ର ଲର୍ଡ୍ସ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଆଉଟ୍ କରି ସେ ଦଳକୁ ବିଜୟର ମୁହୂର୍ତ୍ତ ଦେଇଥିଲେ। ଏବେ ସିରିଜ୍ର ଅବଶିଷ୍ଟ ଦୁଇଟି ମ୍ୟାଚ୍ରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ତୃତୀୟ ଟେଷ୍ଟରେ ଋଷଭ ପନ୍ତଙ୍କ ଏକ ସଟ୍ ତାଙ୍କ ବାମ ହାତର ସବୁଠୁ ଛୋଟ ଆଙ୍ଗୁଠିରେ ବାଜିବାରୁ ବଡ଼ ଆଘାତ ଲାଗିଛି।
Also read: ଅଲିମ୍ପିକ୍ସ ୨୦୨୮: ଜୁଲାଇ ୧୨ରୁ ଆରମ୍ଭ ହେବ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ, ଭାଗ ନେବେ ୬ଟି ଦଳ
ଅନ୍ୟପଟେ ଲିୟାମ ଡାସନଙ୍କ କ୍ୟାରିୟର ଉପରେ ନଜର ପକାଇଲେ ସେ ୨୦୧୬-୧୭ରେ ଇଂଲଣ୍ଡ ପାଇଁ ମୋଟ୍ ୩ଟି ଟେଷ୍ଟ ଖେଳି ସାରିଛନ୍ତି। ଏଥିରୁ ଗୋଟିଏ ମ୍ୟାଚ୍ ସେ ଭାରତ ବିପକ୍ଷରେ ଖେଳିଥିଲେ। ତେବେ ଘରୋଇ କ୍ରିକେଟ୍ରେ ତାଙ୍କର ବେଶ ଅଭିଜ୍ଞତା ରହିଛି। ଏହି କାରଣରୁ ଏହି ଅନୁଭବୀ ସ୍ପିନରଙ୍କୁ ଇଂଲଣ୍ଡ ନିଜ ଦଳରେ ସାମିଲ କରିଛି। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ଡାସନ ୩୭୧ ଓ୍ଵିକେଟ୍ ନେଇଛନ୍ତି। ଏହା ବାଦ୍ ଇଂଲଣ୍ଡ ଦଳରେ ଆଉ କୌଣସି ପରିବର୍ତ୍ତନ ଘଟିନି।
ଚତୁର୍ଥ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ
ବେନ ଷ୍ଟୋକ୍ସ(ଅଧିନାୟକ), ଜୋଫ୍ରା ଆର୍ଚର, ଗସ ଏଟଙ୍କିସନ, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଇଡନ କାର୍ସ, ଜ୍ୟାକ କ୍ରାଉଲି, ଲିୟାମ ଡାସନ, ବେନ ଡକେଟ୍, ଓଲି ପୋପ, ଜୋ ରୁଟ୍, ଜେମି ସ୍ମିଥ(ଓ୍ଵିକେଟ୍ କିପର), ଜୋଶ ଟଙ୍ଗ ଓ କ୍ରିସ୍ ଓ୍ଵକ୍ସ।