ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଅଲରାଉଣ୍ଡର

Published By : Prameya-News7 Bureau | July 28, 2025 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍ ଜୁଲାଇ ୩୧ରେ ଓଭାଲରେ ଖେଳାଯିବ। ଏହି ମୁକାବିଲା ପାଇଁ ଘରୋଇ ଦଳ ସୋମବାର ଟିମ୍ ଘୋଷଣା କରିଛି। ଦଳରେ  ଦ୍ରୁତ ବୋଲିଂ ଅଲରାଉଣ୍ଡର ଜେମି ଓଭରଟନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଓଭରଟନ ଏହି ସିରିଜ୍‌ର ପ୍ରଥମ ତିନୋଟି ଟେଷ୍ଟରେ ଇଂଲଣ୍ଡ ଦଳର ସଦସ୍ୟ ଥିଲେ। ହେଲେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା, ଯଦ୍ଵାରା ସେ ସରେ ପାଇଁ କାଉଣ୍ଟି ମ୍ୟାଚ୍ ଖେଳି ପାରିବେ।

ଜେମି ଓଭରଟନ ଏ ପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ଏକମାତ୍ର ଟେଷ୍ଟ ଖେଳି ୯୭ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି। ତେବେ ଓଭରଟନଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାର ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ଅଦ୍ୟାବଧି ୯୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୩୧.୨୩ ହାରରେ ୨୩୭ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଏହା ସହିତ ୨୧.୮୨ ହାରରେ ୨୪୦୧ ରନ କରିଛନ୍ତି। 

Also read: ମାଞ୍ଚେଷ୍ଟର ଟେଷ୍ଟ ଡ୍ର ପରେ BCCIର ବଡ଼ ନିଷ୍ପତ୍ତି, କୋଚ୍ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଆକ୍ସନ !

ସିରିଜ୍‌ରେ ଭାରତୀୟ ଦଳ ୧-୨ରେ ପଛୁଆ ରହିଛି। ଲିଡ୍ସରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଜିତିଥିବା ବେଳେ ବର୍ମିଂହାମରେ ଭାରତ ୩୩୬ ରନର ବିଶାଳ ବ୍ୟବଧାନରେ ମ୍ୟାଚ୍ ଜିତିଥିଲା। ତେବେ ଲର୍ଡ୍ସ ଟେଷ୍ଟକୁ ଇଂଲଣ୍ଡ ଜିତି ୨-୧ରେ ଆଗୁଆ ରହିଛି। ମାଞ୍ଚେଷ୍ଟରରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ନିଶ୍ଚିତ ପରାଜୟକୁ ଟାଳିବାରେ ସଫଳ ହୋଇଛି। ଅଧିନାୟକ ଶୁଭମନ ଗିଲ୍, ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦରଙ୍କ ଶତକ ସହ କେଏଲ ରାହୁଲଙ୍କ ୯୦ ରନ ବଳରେ ମ୍ୟାଚ୍‌କୁ ଡ୍ର କରାଇ ପାରିଛି। 

ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ

ବେନ ଷ୍ଟୋକ୍ସ(ଅଧିନାୟକ), ଜୋଫ୍ରା ଆର୍ଚର, ଗସ ଏଟଙ୍କିସନ, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଇନ କାର୍ସ, ଜ୍ୟାକ କ୍ରାଉଲି, ଲିୟାମ ଡାସନ, ବେନ ଡକେଟ୍, ଜେମି ଓଭରଟନ, ଓଲି ପୋପ, ଜୋ ରୁଟ୍, ଜେମି ସ୍ମିଥ, ଜୋଶ ଟଙ୍ଗ, କ୍ରିସ ଓ୍ଵକ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.