ନୂଆଦିଲ୍ଲୀ: ତେନ୍ଦୁଲକର-ଆଣ୍ଡରସନ୍ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ଥିବା ଇଂଲଣ୍ଡ ଚତୁର୍ଥ ଟେଷ୍ଟ ପାଇଁ ନିଜର ଚୂଡ଼ାନ୍ତ ଏକଦାଶ ଘୋଷଣା କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ ତଥା ହେଉଛି ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ନୁହେଁ, ବରଂ ୪୩ ଘଣ୍ଟା ପୂର୍ବରୁ ନିଜ ପ୍ଲେଇଂ ଇଲେଭେନ୍ ଘୋଷଣା କରିଛି । ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ୨୩ ଜୁଲାଇରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏବଂ ଏଥିପାଇଁ ଇଂଲଣ୍ଡ ତାର ପ୍ଲେଇଂ-୧୧ରେ ଏକ ପରିବର୍ତ୍ତନ କରିଛି । ପ୍ରାୟ ୮ ବର୍ଷର ଦୀର୍ଘ ଅପେକ୍ଷା ପରେ ସ୍ପିନର ଲିଆମ ଡସନ୍ ଦଳକୁ ଫେରିଛନ୍ତି ।
ଲର୍ଡସ୍ ଟେଷ୍ଟରେ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ୨୨ ରନ୍ରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ରହିଛି । ଏହି ମ୍ୟାଚ୍ରେ ଇଂଲଣ୍ଡ ପାଇଁ ଶେଷ ୱିକେଟ୍ ସ୍ପିନର ସୋଏବ ବଶିର ନେଇଥିଲେ । କିନ୍ତୁ ତାଙ୍କ ଆଙ୍ଗୁଠିରେ ଆଘାତ ଯୋଗୁଁ ସେ ସିରିଜରୁ ବାଦ ପଡ଼ିଛନ୍ତି । ଏହାପରେ ଇଂଲଣ୍ଡ ଚୟନକର୍ତ୍ତା ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ ପାଇଁ ବାମହାତୀ ସ୍ପିନ୍ ଅଲରାଉଣ୍ଡର ଲିଆମ୍ ଡସନ୍ଙ୍କୁ ଦଳରେ ସାମିଲ କରିଥିଲେ ।
ଡସନ୍ଙ୍କ ରୂପେ ଇଂଲଣ୍ଡ ପ୍ଲେଇଂ ଇଲେଭେନରେ କେବଳ ଗୋଟିଏ ପରିବର୍ତ୍ତନ କରିଛି । ଖରାପ ଫର୍ମ ସତ୍ତ୍ୱେ, ଓପନର ଜ୍ୟାକ୍ କ୍ରାଉଲି, ଉପ-ଅଧିନାୟକ ଓଲି ପୋପ୍ ଏବଂ ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି ।
ନାୟାରଙ୍କ ପରି ଡସନ୍ ମଧ୍ୟ ୨୦୧୬ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ୩ ମ୍ୟାଚ୍ ପରେ ୨୦୧୭ରେ ତାଙ୍କୁ ମଧ୍ୟ ବାହାର କରାଯାଇଥିଲା । ନାୟାର ଏହି ଇଂଲଣ୍ଡ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ପରି, ଏହି ଇଂଲଣ୍ଡ ସ୍ପିନରଙ୍କୁ ମଧ୍ୟ ଦ୍ୱିତୀୟ ସୁଯୋଗ ମିଳିଛି । ଇଂଲଣ୍ଡର ଚୂଡ଼ାନ୍ତ ଏକଦଶ
ବେନ୍ ଷ୍ଟୋକ୍ସ (ଅଧିନାୟକ), ଜ୍ୟାକ୍ କ୍ରଉଲି, ବେନ୍ ଡକେଟ୍, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜେମି ସ୍ମିଥ୍, ଲିଆମ୍ ଡସନ୍, କ୍ରିସ୍ ୱକ୍ସ, ବ୍ରାଇଡନ୍ କାର୍ସେ ଏବଂ ଜୋଫ୍ରା ଆର୍ଚର ।