ବୋଲରଙ୍କ ବଳରେ ଭାରତର ବଡ଼ କମ୍‌ବ୍ୟାକ୍, ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୭ରେ ଅଲ୍‌ଆଉଟ୍

Published By : Prameya-News7 Bureau | August 01, 2025 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୭ ରନରେ ଅଲ୍‌ଆଉଟ୍ ହୋଇଛି । ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣା ଚାରୋଟି ଲେଖାଏଁ ୱିକେଟ୍ ନେଇଥିଲେ । ଅନ୍ୟପଟେ ଆକାଶଦୀପଙ୍କୁ ଗୋଟିଏ ସଫଳତା ମିଳିଛି । ପ୍ରଥମ ଇନିଂସ ବଳରେ ଇଂଲଣ୍ଡ ୨୩ ରନ୍‌ରେ ଆଗରେ ରହିଛି । 

ଇଂଲଣ୍ଡ ପାଇଁ ଜ୍ୟାକ୍ କ୍ରାଉଲି ଓ ବେନ୍ ଡକେଟ୍ ଭଲ ଆରମ୍ଭ ଦେଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୯୨ ରନ୍ ସହଭାଗୀତା ହୋଇଥିଲା । ଡକେଟଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଆକାଶଦୀପ । ଏହାପରେ ଦ୍ୱିତୀୟ ୱିକେଟ୍ ପାଇଁ ଓଲି ପୋପ ଏବଂ କ୍ରାଉଲିଙ୍କ ମଧ୍ୟରେ ୩୭ ରନ୍ ପାର୍ଟନରଶିପ୍ ହୋଇଥିଲା । କ୍ରାଉଲି ୫୭ ବଲରେ ୬୪ ରନ୍ କରିବା ପରେ ଆଉଟ୍ ହୋଇଥିଲେ । ପ୍ରସିଦ୍ଧ କୃଷ୍ଣ ତାଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। 

ଦ୍ୱିତୀୟ ସେସନରେ ବୋଲରମାନଙ୍କ ବଳରେ ଭାରତ ଜୋରଦାର କମବ୍ୟାକ୍ କରିଥିଲା । ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କୃଷ୍ଣ ଏହି ସେସନରେ ତିନୋଟି ଲେଖାଏଁ ୱିକେଟ ନେଇ ଇଂଲଣ୍ଡକୁ ବ୍ୟାକଫୁଟରେ ପକାଇଥିଲେ । ଏହି ସେସନରେ କ୍ରାଉଲିଙ୍କ ପରେ, ଓଲି ପୋପ୍ (୨୨), ଜୋ ରୁଟ୍ (୨୯), ଜାକବ୍ ବେଥେଲ୍ (୬), ଜେମି ସ୍ମିଥ୍ (୮), ଜେମି ଓଭରଟନ୍ (୦) ୱିକେଟ ହରାଇଥିଲେ । ତୃତୀୟ ସେସନରେ ଇଂଲଣ୍ଡ ଅଗ୍ରଣୀ ହାସଲ କରିଥିଲା, କିନ୍ତୁ ବିଶେଷ କିଛି କରିପାରି ନଥିଲା । ଗସ୍ ଆଟକିନସନ୍ ୧୧ ଏବଂ ହ୍ୟାରି ବ୍ରୁକ୍ ୫୩ ରନ୍ କରି ଆଉଟ୍ ହୋଇଥିଲେ । ଜୋଶ୍ ଟଙ୍ଗ୍ ଖାତା ଖୋଲି ନପାରି ଅପରାଜିତ ରହିଥିଲେ । କ୍ରିସ୍ ୱକ୍ସ ଆଘାତ ଯୋଗୁଁ ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ଏହି କାରଣରୁ ଇଂଲଣ୍ଡ ନଅ ଜଣ ବ୍ୟାଟରଙ୍କୁ ନେଇ ଖେଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.