ଟାର୍ଗେଟରେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍, ୧୫ ଦିନରେ ସମୁଦ୍ରରେ ୧୭ ଜାହାଜ ଉପରେ ଆକ୍ରମଣ

NEWS7
engagement-has-ends-but-son-not-agree-for-marriage

ତେହେରାନ, ୧୬ /୦୩: ଗଡୁଛି ଦିନ । ବଢୁଛି ଉତ୍ତେଜନା । ପଛକୁ ହଟୁନି ଇରାନ । ଶକ୍ତିଶାଳୀ ଆମେରିକା ଏବଂ ଇସ୍ରାଏଲକୁ ଜବାବ ଦେଉଛି । ଘନ ଘନ ମିସାଇଲ୍ ଆକ୍ରମଣ କରୁଛି । ଡ୍ରୋନରେ ଆମେରିକାର ସାମରିକ ବେସକୁ ଟାର୍ଗେଟ୍ କରୁଛି ।

ଗତ ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ଏହା ପରଠାରୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଲାଗି ରହିଛି । ଫଳରେ ଏହି ଅଞ୍ଚଳରେ ଜଳପଥ ଦେଇ ହେଉଥିବା ପଣ୍ୟ ପରିବହନ ବିଶେଷ ଭାବେ ପ୍ରଭାବିତ ହୋଇଛି । ଗତ ମାର୍ଚ୍ଚ ୧ ତାରିଖରୁ ୧୫ ତାରିଖ ଭିତରେ ମଧ୍ୟପ୍ରାଚ୍ୟରେ ୧୭ଟି ଜାହାଜ ଉପରେ ଆକ୍ରମଣ ହୋଇଛି । ବ୍ରିଟେନର ଏକ ସାମୁଦ୍ରିକ ସୁରକ୍ଷା ଏଜେନ୍ସି ୟୁକେ ମେରିଟାଇମ ଟ୍ରେଡ ଅପରେସନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ୟୁକେ ମେରିଟାଇମ୍ ପକ୍ଷରୁ କୁହାଯାଇଛି କି ପାରସ୍ୟ ଉପସାଗର,ହର୍ମୋଜ ପ୍ରଣାଳୀ ଓ ଓମାନ ଉପକୂଳ ଅଞ୍ଚଳରେ ଯାଉଥିବା କିମ୍ବା ଅଟକି ଥିବା ଜାହାଜ ଉପରେ ଏହି ଆକ୍ରମଣ କରାଯାଇଛି । ବିଶ୍ୱର ଅଧିକାଂଶ ଦେଶକୁ ଏହି ମାର୍ଗ ଦେଇ ଅଶୋଧିତ ତୈଳ ଓ ଗ୍ୟାସ୍ ପରିବହନ କରାଯାଉଥିବାରୁ ଜାହାଜ ଉପରେ ଆକ୍ରମଣ ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ ବୋଲି ସଙ୍ଗଠନ କହିଛି । ତେଣୁ ସେହି ଅଞ୍ଚଳ ଦେଇ ଯାତାୟତ କରୁଥିବା ଜାହାଜମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜାହାଜ କମ୍ପାନିମାନେ ମଧ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ଜାହାଜ ଚଳାଚଳ ବନ୍ଦ କରିଛନ୍ତି ନଚେତ ଅନ୍ୟ ରୁଟ୍ରେ ଜାହାଜ ଚଳାଚଳ କରୁଛନ୍ତି ।

ଷ୍ଟ୍ରେଟ୍ ଅଫ୍ ହରମୋଜରେ ଜାହାଜର ସୁରକ୍ଷା ଚିନ୍ତା

ନିକଟରେ ଡୋନାଲ୍ଡ ଟ୍ରମ୍ପ୍ ଦାବି କରିଥିଲେ ଯେ, ଆମେରିକା ଇରାନର ୧୦୦% ସାମରିକ କ୍ଷମତା ନଷ୍ଟ କରିଦେଇଛି । ତଥାପି ଇରାନ ଡ୍ରୋନ୍, ମାଇନ୍ କିମ୍ବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସାହାଯ୍ୟରେ ଜାହାଜ ଚଳାଚଳକୁ ବାଧା ଦେବାକୁ ଚେଷ୍ଟା କରିପାରେ। ସେ ଚୀନ୍, ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆ ଏବଂ ୟୁକେ ଭଳି ଦେଶଗୁଡ଼ିକୁ ଏହି ଅଞ୍ଚଳକୁ ସେନା ପଠାଇବାକୁ ଅପିଲ୍ କରିଛନ୍ତି ।

ଟ୍ରମ୍ପ କହିଥିଲେ ଯେ, ପ୍ରଭାବିତ ଦେଶର ସୈନ୍ୟ ମୁତୟନ ହେବା ପରେ ହର୍ମୋଜ୍ ପ୍ରଣାଳୀ ଉପରେ ମୁଣ୍ଡ ନଥିବା ଦେଶ (ଇରାନ୍)ର ପ୍ରଭାବ ରହିବ ନାହିଁ । ଆମେରିକା ସେନା ଇରାନରେ ଆକ୍ରମଣ ଜାରି ରଖିବ। ଯେଉଁ ଉପାୟରେ ହେଉ, ଆମେ ଶୀଘ୍ର ହର୍ମୋଜ୍ ପ୍ରଣାଳୀକୁ ଖୋଲା, ନିରାପଦ ଏବଂ ମୁକ୍ତ କରିବୁ ବୋଲି ଟ୍ରୁଥ ସୋସିଆଲରେ ପୋଷ୍ଟ କରିଥିଲେ ।