ପୂରଣ ହେଲା ଦୀର୍ଘଦିନର ଦାବି, ହଟିଲା ବିଦୁବଜାରରେ ଜବରଦଖଲ

Published By : Prameya-News7 Bureau | June 06, 2025 IST

ନୀଳଗିରି: ଦୀର୍ଘ ଦିନର ଅପେକ୍ଷା ପରେ ହଟିଲା ବିଦୁ ବଜାର ଜବରଦଖଲ। ଶୁକ୍ରବାର ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧୀନ ବିଦୁ ବଜାରରେ ଜବର ଦଖଲରେ ଥିବା ଦୋକାନ ଘର ଉଚ୍ଛେଦ କରାଯାଇଛି। ଏହି ଜବର ଦଖଲ ଉଚ୍ଛେଦ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେବି ଏହାକୁ ହଟାଯାଇନଥିଲା। ଶେଷରେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଜବର ଦଖଲ ହଟାଇଛି ପ୍ରଶାସନ। 

ସୂଚନାଯୋଗ୍ୟ, ବିଦୁ ବଜାରରେ କିଛି ଦୋକାନ ଗୃହ ଜବର ଦଖଲରେ ଥିଲା। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଏହା ପୂର୍ବରୁ ମଧ୍ୟ ବାଧକ ସାଜିଥିବାବେଳେ ଏନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଉଚ୍ଛେଦ କରିବାର ନାଁ ଧରୁନଥିଲା।

ଶେଷରେ ଘଟଣା ଯାଇ ମାନ୍ୟବର ହାଇକୋର୍ଟରେ ପହଞ୍ଚିଥିଲା। ଆଉ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଉଚ୍ଛେଦ ହେଉ ନଥିଲା। ଏପରିକି ଅଞ୍ଚଳବାସୀ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଠାରେ ପହଞ୍ଚିଥିଲେ। ପରେ ସାଂସଦ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସହିତ ଆଲୋଚନା କରି କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଜରୁରୀ ବୋଲି କହିଥିଲେ।

ଏପରିକି ଦୋକାନୀମାନଙ୍କୁ ପରବର୍ତ୍ତୀ ସମୟରେ ପେଟପାଟଣା ପାଇଁ ଥଇଥାନ ମଧ୍ୟ ଜରୁରୀ ବୋଲି ଦାବି ଉଠିଥିଲା। ଶେଷର ଶୁକ୍ରବାର ବିଦୁ ବଜାରକୁ ନୀଳଗିରି ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ତହସିଲଦାର ସୋନମ ଦାସ, ଈଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇ ଓ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କ୍ରମେ ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି। 

ଆଇନ ଶୃଙ୍ଖଳା ପରିସ୍ଥିତି ଦେଖି ନୀଳଗିରି ପ୍ରଶାସନ ତରଫରୁ ଏକ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ଦୋକାନ ବଜାର କରି ଆତ୍ମ ନିର୍ଭର ହୋଇଥିବା ଦୋକାନୀମାନେ  ହତାଶ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି।ସେପଟେ ଏହି ଉଛେଦକୁ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି। ମୋଟ ୬୦ଟି ଅସ୍ଥାୟୀ ଦୋକାନ ଭଙ୍ଗା ଯାଇଥିବାବେଳେ ସ୍ଥାୟୀ ଗୃହ ଯୋଗାଇ ଦିଆଯିବ ବୋଲି  ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାଧନା ମଳିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.