ଅନ୍ୟ ୫ ଜଣଙ୍କୁ ମୁକ୍ତ କଲେ, ହେଲେ ସରଜିଲ ଇମାମ ଓ ଉମର ଖାଲିଦକୁ ଜାମିନ ଦେଲେନି ସୁପ୍ରିମକୋର୍ଟ, ଜାଣନ୍ତୁ କାହିଁକି?

NEWS7
emraan-hashmi-neck-injury

ନୂଆଦିଲ୍ଲୀ ୫।୧: ସୁପ୍ରିମକୋର୍ଟ ସୋମବାର ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଉମର ଖାଲିଦ ଓ ସରଜିଲ ଇମାମର ଜାମିନ ନିବେଦନ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ୫ ସହ ଅଭିଯୁକ୍ତ ଗୁଲଫିସା ଫାତିମା, ମୀରାନ ହୈଦର, ଶିଫା-ଉର-ରହମାନ, ମହମଦ ସଲିମ ଖାନ ଓ ସଦାବ ଅହମଦକୁ ଜାମିନ ମଞ୍ଜୁର କରିଛନ୍ତି। ଜାମିନ ଦେବାରେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଓ ଏନ.ଭି.ଅଞ୍ଜାରୀଙ୍କ ବେଞ୍ଚ ଖାଲିଦ ଓ ଇମାମଙ୍କ ଗୁଣାତ୍ମକ ଭାବେ ଭିନ୍ନ ସ୍ଥିତି ଉପରେ ଧ୍ୟାନ ଦେଇଛନ୍ତି।

ସୁପ୍ରିମକୋର୍ଟ ଉମର ଖାଲିଦ ଓ ସର୍ଜିଲ ଇମାମଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଛନ୍ତି, ଏମାନେ ଦିଲ୍ଲୀ ଦଙ୍ଗାରେ କଥିତ ଆତଙ୍କବାଦୀ କୃତ୍ୟର ଅବଧାରଣା, ଯୋଜନା ଓ ସମନ୍ୱୟରେ କେନ୍ଦ୍ରୀୟ ତଥା ମାର୍ଗଦର୍ଶନକାରୀର ଭୂମିକା ନିର୍ବାହ କରିଥିବା କହିଛନ୍ତି। ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ ଏତଲାରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଭାରତ ବେଆଇନ ଗତିବିଦ୍ଧି (ନିୟନ୍ତ୍ରଣ) ଅଧିନିୟମ ୟୁପିଏର ଧାରା ୧୫ରେ ୨୦୨୦ ଦିଲ୍ଲୀ ଦଙ୍ଗାର ବଡ଼ ଷଡ଼ଯନ୍ତ୍ର ଅଭିଯୋଗରେ ଅଭିଯୁକ୍ତ କରିଛି।

ଜାମିନ ମଞ୍ଜୁର କରିବା ସମୟରେ ସୁପ୍ରିମକୋର୍ଟ ସାଧାରଣ ଓ ବିଶେଷ ଆଇନ ଯେପରିକି ୟୁଏପିଏରେ ରୁଜୁ ଅଭିଯୋଗର ମୂଲ୍ୟାୟନ କରିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ ଦଙ୍ଗାରେ ସବୁ ଆବେଦନକାରୀଙ୍କ ସମ୍ପୃକ୍ତି ସମାନ ନାହିଁ। ସୁପ୍ରିମକୋର୍ଟ ୟୁଏପିଏ ଧାରା ୪୩ଡି(୫)ରେ ବୈଧାନିକ ଜାମିନ କଟକଣାରେ ଉମର ଖାଲିଦ ଓ ସର୍ଜିଲ ଇମାମର ଯାମିନ ନିବେଦନ ଖାରଜ କରିବା ନିଷ୍ପତ୍ତି କାୟମ ରଖିଛନ୍ତି। ଏହି ଅଭିଯୋଗରେ ଅଭିଯୁକ୍ତଙ୍କ ସମ୍ପୃକ୍ତିର ବିଭିନ୍ନ ସ୍ତର ସାମ୍ନାକୁ ଆସିଛି।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟେକ ଜାମିନ ନିବେଦନର ଅଲଗା ଅଲଗା ବିଚାର କରିଛନ୍ତି। ମାମଲାରେ ଅଭିଯୁକ୍ତଙ୍କ ଅପରାଧକୁ ଏକପ୍ରକାର ମାନି ନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଉମର ଖାଲିଦ ଓ ସର୍ଜିଲ ଇମାମଙ୍କୁ କେନ୍ଦ୍ରୀୟ ଭୂମିକା ନିର୍ବାହ କରିଥିବା ପ୍ରମୁଖ ଖେଳାଳି ସ୍ୱୀକାର କରି ସେମାନଙ୍କ ଯାମିନ ଖାରଜ କରିଦେଇଛନ୍ତି। ତେବେ ଅନ୍ୟ ୫ ଅଭିଯୁକ୍ତଙ୍କ କମ୍ ସମ୍ପୃକ୍ତିକୁ ନଜରରେ ରଖି ସେମାନଙ୍କୁ ଜାମିନ ମଞ୍ଜୁର କରିଛନ୍ତି।

କୋର୍ଟ କହିଛନ୍ତି ଯେ ପ୍ରୋସିକ୍ୟୁସନ ପକ୍ଷରୁ ସାକ୍ଷୀମାନଙ୍କ ସାକ୍ଷ ରେକର୍ଡ ହେବା ପରେ ଅଥବା ୧ ବର୍ଷ ଅତିବାହିତ ହେବା ପରେ ଖାଲିଦ ଓ ଇମାମ ଦ୍ୱିତୀୟବାର ଜାମିନ ପାଇଁ ଆବେଦନ କରିପାରନ୍ତି। ଫେବୃଆରୀ ୨୦୨୦ରେ ଉତ୍ତର-ପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସାରେ ୫୦ରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ। ପୋଲିସ ଅଭିଯୋଗ କରିଛି ଯେ ହ୍ୱାଟସଆପ୍, ଭାଷଣ ଓ ବିରୋଧ ପ୍ରଦର୍ଶନ ମାଧ୍ୟମରେ ସୁନିୟୋଜିତ ଉପାୟରେ ଦଙ୍ଗା ସୃଷ୍ଟି କରାଯାଇଥିଲା ଓ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରଯାଇଥିଲା। ଏହି ଆବେଦନ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ୨ ସେପ୍ଟେମ୍ବରର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଯେଉଁଥିରେ ସରଜିଲ ଇମାମ ଓ ଉମର ଖାଲିଦଙ୍କୁ ୟୁପିଏ ଧାରାରେ ଜାମିନ ମଞ୍ଜୁର ନ କରାଯିବାରୁ ଚ୍ୟାଲେଞ୍ଜ କରାଯାଇଥିଲା।