ନୂଆଦିଲ୍ଲୀ: ଆପଲ ଏବଂ ଚାଟ୍ଜିପିଟି ନିର୍ମାତା ଓପନଏଆଇ ବିରୁଦ୍ଧରେ ବଡ଼ ଅଭିଯୋଗ ଆଣିଲେ ଏଲନ ମସ୍କ। ସୋମବାର କୋଟିପତି ଏଲନ ମସ୍କଙ୍କ ଏଆଇ xAI ପକ୍ଷରୁ ଟେକ୍ସାସରେ ଆମେରିକୀୟ ଫେଡେରାଲ୍ କୋର୍ଟରେ Apple ଏବଂ ChatGPT ନିର୍ମାତା OpenAI ବିରୁଦ୍ଧରେ ମାମଲା କରିଛନ୍ତି। ଅଭିଯୋଗ ଅନୁସାରେ ଏଆଇ କ୍ଷେତ୍ରରେ ପ୍ରତିଯୋଗିତାରେ xAIକୁ ପଛରେ ପକାଇଦେବାକୁ ଏମାନେ ଷଡ଼ଯନ୍ତ୍ର କରୁଛନ୍ତି।
ମାମଲା ଅନୁଯାୟୀ, ଆପଲ ଏବଂ ଓପନ୍ଏଆଇ "ନିଜର ଏକାଧିକାର ବଜାୟ ରଖିବା ପାଇଁ X ଓ xAI ଭଳି ନିବେଶକଙ୍କୁ ପ୍ରତିଯୋଗିତାରୁ ବଞ୍ଚିତ ରଖିବାକୁ ଉଦ୍ୟମ କରୁଛନ୍ତି। ଆପଲ୍ ଏବଂ ଓପନ୍ଏଆଇ ମିଶି ଆପଲ୍ ଆପ୍ ଷ୍ଟୋରରେ xAIର ପ୍ରଡକ୍ଟକୁ ରୋକିବାକୁ ଷଡ଼ଯନ୍ତ୍ର କରିଥିଲେ।’’
ଅଭିଯୋଗ ହୋଇଛି ଓପନଏଆଇ ଆପଲ ସହ ଚୁକ୍ତି କରିଥିବାରୁ ପ୍ଲେ ଷ୍ଟୋରରେ ଏହାର ଆପ୍କୁ ଭଲ ଭାବରେ ପ୍ରଦର୍ଶିତ କରାଯାଉଛି। ମାତ୍ର X ଆପ୍ ଏବଂ ଗ୍ରୋକ୍ ଆପ୍କୁ ପ୍ରମୁଖ ଭାବରେ ପ୍ରଦର୍ଶିତ କରାଯାଉନାହିଁ।’’ ତେବେ ଏନେଇ ଆପଲ୍ ଏବଂ ଓପନ୍ଏଆଇ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ।
ପୂର୍ବରୁ ଅଗଷ୍ଟ ମାସ ଆରମ୍ଭବେଳେ ମଧ୍ୟ ଏଲନ ମସ୍କ କାଲିଫର୍ଣ୍ଣିଆସ୍ଥିତ ଆପଲ୍ କୁପର୍ଟିନୋ ଉପରେ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ। ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟରେ କହିଥିଲେ ଯେ, ଆପଲର ବ୍ୟବହାର "OpenAI ବ୍ୟତୀତ ଅନ୍ୟ କୌଣସି AI କମ୍ପାନୀ ପାଇଁ ଆପ୍ ଷ୍ଟୋରରେ ୧ ନମ୍ବରରେ ପହଞ୍ଚିବା ଅସମ୍ଭବ ।"
ସୂଚନାଥାଉକି, ମସ୍କଙ୍କ xAI ମାର୍ଚ୍ଚ ମାସରେ ୩୩ ବିଲିୟନ ଡଲାରରେ Xର Grok ଚାଟବଟ୍କୁ ଅଧିଗ୍ରହଣ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା ଏକ୍ସର ଚାଟବଟ୍ ଟ୍ରେନିଂ କ୍ଷମତାକୁ ବଢ଼ାଇବା। ମସ୍କଙ୍କ Grok ଚାଟବଟ୍ ମଧ୍ୟ ଟେସଲା କାର୍ରେ ସଂଯୁକ୍ତ ରହିଛି।
xAI ଦୁଇ ବର୍ଷ ତଳେ ଲଞ୍ଚ ହୋଇଥିଲା। ଏହା OpenAI ଏବଂ ଚୀନ୍ ଷ୍ଟାର୍ଟଅପ୍ DeepSeek ସହିତ ପ୍ରତିଯୋଗିତା କରେ।