ଟ୍ରମ୍ପଙ୍କ ସହ ଝଗଡ଼ା ଏଲନ ମସ୍କଙ୍କୁ ମହଙ୍ଗା ପଡ଼ିଲା: ଗୋଟିଏ ଦିନରେ ୩ ଲକ୍ଷ କୋଟି ସମ୍ପତ୍ତି ହ୍ରାସ

Published By : Prameya-News7 Bureau | June 06, 2025 IST

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସହ ଝଗଡ଼ା ଏଲନ ମସ୍କଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ଗୋଟିଏ ଦିନରେ ତାଙ୍କ ସମ୍ପତ୍ତିରେ ବଡ଼ ହ୍ରାସ ଘଟିଛି। ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ମସ୍କଙ୍କ ମୋଟ ସମ୍ପତ୍ତି ଏବେ ୩୩୫ ବିଲିୟନ ଡଲାର ରହିଛି। ବ୍ଲୁମବର୍ଗ ଅନୁଯାୟୀ, ନଭେମ୍ବର ୨୦୨୧ ପରଠାରୁ ଏହା ମସ୍କଙ୍କର ଗୋଟିଏ ଦିନରେ ହୋଇଥିବା ସବୁଠାରୁ ବଡ଼ କ୍ଷତି।

ଏଥିସହିତ ମସ୍କଙ୍କର କମ୍ପାନୀର ମାର୍କେଟ କ୍ୟାପ୍ ପ୍ରାୟ ୧୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏଲୋନ ମସ୍କଙ୍କ ମଧ୍ୟରେ ସୋସିଆଲ ମିଡିଆରେ ହୋଇଥିବା ବିତର୍କ ନିବେଶକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା, ଯାହା ଫଳରେ ଏହି ହ୍ରାସ ଘଟିଛି। ଟେସଲାର ଷ୍ଟକ୍ ଜୁନ୍ ୬ ତାରିଖରେ ୧୪.୨୬% ହ୍ରାସ ପାଇ $୨୮୪.୭୦ ରେ ବନ୍ଦ ହୋଇଥିଲା। ତଥାପି, ଏହି ବଡ଼ ହ୍ରାସ ପରେ, ଆଜି ସେୟାରଗୁଡ଼ିକ ୭% ବୃଦ୍ଧି ପାଇଛି। ଗତ ୬ ମାସରେ ଷ୍ଟକ୍ ପ୍ରାୟ ୨୫% ହ୍ରାସ ପାଇଥିବା ବେଳେ ଗୋଟିଏ ବର୍ଷ ମଧ୍ୟରେ ଷ୍ଟକ୍ ୬୦% ବୃଦ୍ଧି ପାଇଛି। 

ତେବେ ସୂଚନା ଥାଉକି ୬ ଜୁନ୍  ୨୦୨୫ରେ ମସ୍କ ୩୩୫ ବିଲିୟନ ଡଲାରର ସମ୍ପତ୍ତି ସହିତ ବିଶ୍ୱ ଧନୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୨୪୧ ବିଲିୟନ ଡଲାର ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଟ୍ରମ୍ପ-ମସ୍କଙ୍କର ବିବାଦ

ଏଲନ ମସ୍କ ଟ୍ରମ୍ପ ସରକାରରେ ଥିବା ବେଳେ କିଛି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ମସ୍କ ଟ୍ରମ୍ପଙ୍କ ଘରୋଇ ନୀତି ଏବଂ ଟିକସ ବିଲ୍‌କୁ ସମାଲୋଚନା କରିଥିଲେ, ଯାହାକୁ ଟ୍ରମ୍ପ 'ବିଗ୍ ବ୍ୟୁଟିଫୁଲ ବିଲ୍' ଭାବରେ ପ୍ରଚାର କରୁଥିଲେ। ମସ୍କ ଏହି ବିଲ୍‌କୁ ଆମେରିକା ଅର୍ଥନୀତି ପାଇଁ 'ବହୁତ ଖରାପ' ବୋଲି କହିଥିଲେ। ଏହାର ଜବାବରେ ଟ୍ରମ୍ପ ସ୍ପେସଏକ୍ସର ସରକାରୀ ଚୁକ୍ତିନାମା ବାତିଲ କରିବାକୁ ଧମକ ଦେଇଥିଲେ। 

ଏହି ଧମକ ମସ୍କଙ୍କ ପାଇଁ ଏକ ବଡ଼ ଆଘାତ ଥିଲା, କାରଣ ସ୍ପେସଏକ୍ସର ଆୟର ଏକ ବଡ଼ ଅଂଶ ଏହି ଚୁକ୍ତିନାମାରୁ ଆସିଥାଏ। ଏଥିସହିତ ଟ୍ରମ୍ପ ମସ୍କଙ୍କ କମ୍ପାନୀଗୁଡ଼ିକ ଉପରେ କଡ଼ା ନିୟମ ଲାଗୁ କରିବା ବିଷୟରେ କହିଥିଲେ, ଯାହା ଟେସଲା କାର ଏବଂ ରୋବୋଟିକ୍ସ ପରି ପ୍ରକଳ୍ପଗୁଡ଼ିକୁ ପ୍ରଭାବିତ କରିପାରେ। 

ଏହା ବ୍ୟତୀତ, ମସ୍କ ଏବଂ ଟ୍ରମ୍ପଙ୍କ ମଧ୍ୟରେ ବ୍ୟକ୍ତିଗତ ଅହଂକାରର ସଂଘର୍ଷ ମଧ୍ୟ ବିବାଦକୁ ଆହୁରି ବଢ଼ାଉଛି। ମସ୍କ ସର୍ବଦା ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିବା ପାଇଁ ଜଣାଶୁଣା, ସେପଟେ ଟ୍ରମ୍ପ ତାଙ୍କ ବକ୍ତବ୍ୟ ଏବଂ ନିଷ୍ପତ୍ତିରେ ମଧ୍ୟ କଠୋର। ଯେତେବେଳେ ମସ୍କ ଟ୍ରମ୍ପଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଥିଲେ, ଟ୍ରମ୍ପ ଏହାକୁ ବ୍ୟକ୍ତିଗତ ଭାବରେ ନେଇଥିଲେ। ଯାହାକୁ ନେଇ ବିବାଦ ବଢ଼ି ଯାଇଥିଲା। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.