କର୍ଣ୍ଣାଟକରେ ମହଙ୍ଗା ହେଲା ବିଦ୍ୟୁତ୍, ଅଙ୍ଗୁଳି ଉଠାଇଲା ବିଜେପି, ଜାଣନ୍ତୁ କ’ଣ କହିଲେ ମନ୍ତ୍ରୀ?

Published By : Prameya-News7 Bureau | March 20, 2025 IST

ବେଙ୍ଗାଲୁରୁ ୨୦।୩: କର୍ଣ୍ଣାଟକରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଏବେ ଅଧିକ ବିଦ୍ୟୁତ ବିଲ୍ ପୈଠ କରିବାକୁ ପଡିବ। ବିଦ୍ୟୁତ ନିୟାମକ ଆୟୋଗ (କେଇଆରସି) ୟୁନିଟ ପିଛା ବିଦ୍ୟୁତ ମୂଲ୍ୟ ବଢେଇ ଉପଭୋକ୍ତାଙ୍କୁ ଝଟକା ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ ୧ ଏପ୍ରିଲରୁ ଉପଭୋକ୍ତାଙ୍କୁ ପ୍ରତି ୟୁନିଟ୍ ବିଦ୍ୟୁତ ପାଇଁ ୩୬ ପଇସା ସରଚାର୍ଜ ରୂପେ ଦେବାକୁ ପଡିବ। ବିଦ୍ୟୁତ ଯୋଗାଣକାରୀ କମ୍ପାନୀଙ୍କୁ କର୍ମଚାରୀଙ୍କ ପେନସନ ଓ ଗ୍ରାଚ୍ୟୁଟି ଯୋଗଦାନରେ ସରକାରଙ୍କ ଅଂଶ ଉପଭୋକ୍ତାଙ୍କଠାରୁ ଅସୁଲ ନିମନ୍ତେ ଅନୁମତି ମିଳିବା ପରେ ଏହି ଶୁଳ୍କ ବୃଦ୍ଧି ହୋଇଛି।  

ତେବେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିଜେପି ବିରୋଧ କରିଛି। ମାର୍ଚ୍ଚ ୧୮ ତାରିଖରେ କେଇଆରସି ତାଙ୍କ ଆଦେଶରେ କହିଛନ୍ତି ଯେ ସରକାରଙ୍କ ଆଦେଶ ପରେ ଏହି ଶୁଳ୍କ ବୃଦ୍ଧି ହୋଇଛି। ପେନସନ ଓ ଗ୍ରାଚ୍ୟୁଟି ବାବଦ ଯୋଗଦାନ ରୂପେ ସରକାରଙ୍କ ଅଂଶ ବାବଦ ଦେୟ ବିଦ୍ୟୁତ ଉପଭୋକ୍ତାଙ୍କଠାରୁ ସମାନ ରୂପେ ଆଦାୟ ନିମନ୍ତେ ସରକାର ଅନୁମତି ଦେଇଛନ୍ତି। ଏହି ସରଚାର୍ଜ ଉପଭୋକ୍ତାଙ୍କ ଠାରୁ ୧ ଏପ୍ରିଲ ୨୦୨୫ରୁ ୨୦୨୭-୨୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅସୁଲ କରାଯିବ। 

ରାଜ୍ୟ ବିଜେପି ଅଧ୍ୟକ୍ଷ ବି.ୱାଇ. ବିଜୟେନ୍ଦ୍ର କହିଛନ୍ତି ଯେ ଯେବେଠାରୁ କର୍ଣ୍ଣାଟକରେ ‘ଜନବିରୋଧୀ’ କଂଗ୍ରେସ ସରକାର କ୍ଷମତାକୁ ଆସିଲାଣି ମାତ୍ର ଗୋଟିଏ ଗ୍ୟାରେଣ୍ଟି ପୂରଣ କରିଛି, ତାହା ହେଉଛି ‘ମୂଲ୍ୟ ବୃଦ୍ଧି’। ଗୋଟିଏ ପଟେ ସରକାର ଗ୍ୟାରେଣ୍ଟି ଦେଇଥିବା ଯୋଜନା ଲାଗୁ କରୁଥିବାର ଦାବି କରୁଥିବା ବେଳେ ଅନ୍ୟପଟେ ଲୋକଙ୍କ ଉପରେ ମୂଲ୍ୟବୃଦ୍ଧି ଲଦି ଦିଆଯାଉଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ଶିକ୍ଷାମନ୍ତ୍ରୀ ଶରଣ ପ୍ରକାଶ ପାଟିଲ କହିଛନ୍ତି ଯେ ଏହି ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରଭାବ ରାଜ୍ୟର ୮୫ ପ୍ରତିଶତ ଲୋକଙ୍କ ଉପରେ ପଡିବ ନାହିଁ। କାରଣ ରାଜ୍ୟ ସରକାର ସେମାନଙ୍କୁ ‘ଗୃହ ଜ୍ୟୋତି’ ଯୋଜନାରେ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇ ଦେଉଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.